ପୃଷ୍ଠା:Typical selections from Oriya literature.pdf/୧୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କେ ବୋଲଇ କପିଗୋଟି ଅଟଇ ଅଦୃଶ୍ୟ ।
କେମନ୍ତେ ମାଇଲା ଏହି ଏତେକ ରାକ୍ଷସ ॥
କେ ବୋଲଇ ଆହୋ ଜମ୍ବୁମାଳିବୀର ମଲା ।
କେ ବୋଲଇ ଅକ୍ଷୟବୀର ଗୋ ନାଶଗଲା ॥
କେ ବୋଲଇ ମଲେ ପୁଣି ପାଞ୍ଚ ସେନାପତି ।
କେ ବୋଲଇ ମଲେ ଗୋ ଅନେକ ଘୋଡ଼ା ହାତୀ ॥
କେ ବୋଲଇ ରଥ କଚାଡ଼ଇ ଏହି ତୋଳି ।
କେ ବୋଲଇ ଏ ବାନରଗୋଟି ମହାବଳୀ ॥
କେ ବୋଲଇ ରାଜାର ଶାଳକଗଣ ମଲେ ।
କେ ବୋଲଇ କିଙ୍କରଗଣ ଗୋ କ୍ଷୟଗଲେ ॥
କେ ବୋଲଇ ଏହାକୁ କିପାଇଁ ଅଛୁ ଥୋଇ ।
ବେଗେ ଏହାକୁ ପ୍ରାଣରେ ମାରୁ ଲଙ୍କସାଇଁ ॥
କେ ବୋଲଇ ଏଥେ ଥାଇଁ କରିବା ଗୋ କିସ ।
ଏହା ହେତୁ ଅମଙ୍ଗଳ ହୋଇଲା ଏ ଦେଶ ॥
ଏସନକ ବୋଲି ସର୍ବେ ଗୋଡ଼ାଇ ଅଛନ୍ତି ।
ଶୁଣ ଆଗୋ ଶାକମ୍ବରି ଶଙ୍କର କହନ୍ତି ॥
ଯହୁଁ ସେ ହନୁମତକୁ ବାନ୍ଧ ଘେନିଗଲେ ।
ସହସ୍ରେ ଅସୁରୀ ଯାଇଁ ସୀତାଙ୍କୁ କହିଲେ ॥
ଶୁଣ ଶୁଣ ଜାନକୀ ଗୋ ଏ ଆମ୍ଭର ବାଣୀ ।
ଯେବଣ କପିର ସଙ୍ଗେ ଭାଲୁଥିଲୁ ପୁଣି ॥
ସେ ଯେଉଁ ପ୍ରବଳପଣ ମଧୁବନେ କଲା ।
ଜାଣିଣ ରାବଣ ରାଜା ସୈନ୍ୟ ପେଷିଦେଲା ॥
ଅଶୀ ସହସ୍ର କିଙ୍କର ମାଇଲା ସେ କପି ।
ଶାଳକଗଣ ପେଷିଲା ରାୟେ ହୋଇ କୋପୀ ॥
ସେହୁ ବାନର ଯୁଦ୍ଧରେ ପ୍ରାଣ ହରାଇଲେ ।
ପୁଣୀ ଜମ୍ବୁମାଳୀ ବୀର ପ୍ରଶସ୍ତ ଅଇଲେ ॥
ବାନର ହାତରେ ବୀର ଜମ୍ବୁମାଳୀ ମଲା ।
ଧର୍ମେଣ ପ୍ରଶସ୍ତ ସେନାପତି ପଳାଇଲା ॥
ନୃପତି ଆଗରେ ଚାର ଜଣାଇଲା ଯାଇଁ ।
ଅକ୍ଷୟକୁମରକୁ ସେ ଦେଲା ପଠିଆଇ ॥
ବହୁତ ସୈନ୍ୟ ଘେନିଣ ସେ ବୀର ଅଇଲା ।
ବାନର ସଙ୍ଗତରେ ଅନେକ ଯୁଦ୍ଧକଲା ॥
କେବେହେଁ ତାହାକୁ ଗୋ ସେ ନ ପାରିଲା ଜିଣି ।
ରାଜାର ପୁତ୍ରକୁ କପି ପକାଇଲା ହାଣି ॥