ପୃଷ୍ଠା:Typical selections from Oriya literature.pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କୂଅ ଭିତରେ ପଶିଲା କେହୁ ଯାଇଁ ଡେଇଁ ।
ତହିଁ ପୋଡ଼ିମଲା ସେ ଯେ ଅଗ୍ନି ଜ୍ବାଳା ପାଇ ॥
କେହୁ ପାଣି ପକାଇ ଲିଭାଇ ଦ୍ୟନ୍ତି ଘର ।
କେ ବୋଲଇ ଆସି ମୋତେ ବେଗକରି ଧର ॥
କେ ବୋଲଇ ରାବଣ ଯେ ଏହା ଅରଜିଲା ।
ସୀତାକୁ ଆଣି ସମ୍ପଦ ହେଳେ ନାଶ କଲା ॥
କେ ବୋଲଇ ବାବୁରେ ମୋହର ପୁଅ ନାହିଁ ।
କେ ବୋଲଇ କେଣେ ପଳାଇଲା ମୋର ଭାଇ ॥
କେ ବୋଲଇ ମୋହର ଜନନୀ ନ ଅଇଲା ।
କେ ବୋଲଇ ମୋହର ପିଅର କେଣେ ଗଲା ॥
କେ ବୋଲଇ ଲଙ୍କାକୁ ବେଢ଼ିଲା ହୁତାଶନ ।
ବାହାର ହୋଇ ଯିବାକୁ କେ ଅଛି ଭାଜନ ॥
କେ ବୋଲଇ ଆଜ ଏଥେ ମରିବା ନିୟତ ।
କେ ବୋଲଇ ପୂର୍ବର ଗୋ ଏହି କଲା କୃତ୍ୟ ॥
ଏସନ ଯେବେ ପୂର୍ବରୁ ଅଛଇ ଭବିଷ୍ୟ ।
ଆଉ ଏହାକୁ ଭାଳିଲେ ହୋଇବ ବା କିସ ॥
ଲଙ୍କା ପୋଡ଼ିଯିବା କାଳେ ସମସ୍ତେ ମରିବା ।
ଏତେକ ପାପଯୋଗକୁ କିବୁଦ୍ଧି କରିବା ॥
କେ ବୋଲଇ ଏକାକେ ବାନର ଏହା କରି ।
ଶ୍ରୀରାମ ଅଇଲେ କି ରହିବ ଲଙ୍କାପୁରୀ ॥
ଚଉକତି ସମୁଦ୍ର ଯେ କେଣେ ପଳାଇବା ।
ରାବଣର ପ୍ରସାଦେ ଯେ ସମସ୍ତେ ମରିବା ॥
ଏତେ କାଳ ନିଶ୍ଚିନ୍ତରେ ରହି ଯେ ଥିଲାଇଁ ।
ଏକାବେଳେକେ ସମସ୍ତେ ପ୍ରାଣ ଯେ ହରାଇ ॥
କେ ବୋଲଇ ହୁତାଶନ ସମସ୍ତ ଲାଗିଲା ।
ପବନ ବହିବାରେ ଦ୍ବିଗୁଣ ପୋଡ଼ିଗଲା ॥
କେ ବୋଲଇ ଅଗ୍ନି ଯେ ଉଠଇ ଅନ୍ତରାଳେ ।
ଦଶଦିଶ ଧୂମମୟ ପବନର ବଳେ ॥
କେ ବୋଲଇ ହନୁମତ ଥାଇଁ ଯେ ଆକାଶେ ।
ଲାଞ୍ଜ ବେଢ଼ାଉ ଦେଇଣ ଅଛି ଚଉପାଶେ ॥
ସୁବର୍ଣ୍ଣମୟ ଯେ ଲଙ୍କା ଅଙ୍ଗାର ହୋଇଲା ।
ଏକା ବାନର କ୍ଷଣକେ ଏତେ କୃତ୍ୟ କଲା ॥
ଏସନକ ବିକଳ ହୁଅନ୍ତ ନର ନାରୀ ।
ବ୍ୟାକୁଳେ କର ମାରନ୍ତି ବିଧାତା ସୁମରି ॥