ପୃଷ୍ଠା:Typical selections from Oriya literature.pdf/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦ୍ରବ୍ୟ ନାଶ ଯିବାରୁ ବୁକୁରେ କୋଡ଼ି ହ୍ବନ୍ତି ।
ମୂରଛି ନ ପାରିଣ ଥୋକାଏ ଦୂର ଯାନ୍ତି ॥
ତାତି ସହି ନ ପାରିଣ ଆସନ୍ତି ବାହୁଡ଼ି ।
କେନ୍ଦୁ ଭୂମିରେ ପଡ଼ନ୍ତି ହୋଇଣ କଚାଡ଼ି ॥
କାହାର ପଣନ୍ତେ ଯାଇ ଲାଗିଲାକ ଜୋଇ ।
ମଲି ମଲି ବୋଲି କେହୁ ବିକଳ ଯେ ହୋଇ ॥

ଲଙ୍କାକାଣ୍ଡ
(୧)


ଶ୍ରୀରାମଙ୍କ ଉପଦେଶ ଓ ଲକ୍ଷ୍ମଣଙ୍କ ପ୍ରତିଜ୍ଞା
ପାଛୋଟି ନେଲେ ସୁଗ୍ରୀବ ଲକ୍ଷ୍ମଣ ଯେ ବୀର ।
ଜାମ୍ବବ ସହ ଲମ୍ବିଲେ ଶ୍ରୀରାମ ପୟର ॥
ଦେଖି ହସ ହସ ହେଲେ ଅଯୋଧ୍ୟାର ସାଇଁ ।
ଆନନ୍ଦେ ବେନି ନେତ୍ରୁ ଅଶ୍ରୁଜଳ ଗଳଇ ॥
ଭାଇକି କୋଳ କରିଣ କରନ୍ତି ରୋଦନ ।
ତୁ ମୋର ପ୍ରାଣସଖା ରେ ସୁମିତ୍ରା ନନ୍ଦନ ॥
ଯେତେବେଳେ ତୋତେ ସେହି ମାଇଲା ଶକତି ।
ଅନ୍ଧକାରମୟ ମୋତେ ଦିଶିଲାକ ପୃଥ୍ବୀ ॥
ନାକେ ପଶି ଯେହ୍ନେ ତାଳୁରେ ପଶଇ ପାଣି ।
ବୁଦ୍ଧି ହଜିଗଲା ମୋର ତେସନକ ଜାଣି ॥
ସେ ବାପା ପୋଏ ଅଟନ୍ତି ଜାଣ କ୍ଷତ୍ରିବର ।
ନୋହିଲେ ଆନେ କେହ୍ନେ ଜିଣିଲେ ବଜ୍ରଧର ॥
ସ୍ବଭାବେ ଅସୁର ପୁଣି ତପେ ବଳୀୟାର ।
ବ୍ରହ୍ମାଣ୍ଡ ଭିତରେ ସେ ଅଟନ୍ତି ହନ୍ତକାର ॥
ଆର ବେଳେ ବାବୁ ରେ ନୋହିବୁ ଆଗୁଁସାର ।
ମାୟାଯୁଦ୍ଧ ଦଇତେ ଯେ ଜାଣନ୍ତି ଅପାର ॥
ବିଭୀଷଣ ସଙ୍ଗତେ ସମର କାଳେ ଥିବୁ ।
ଏ ଯେଣେ ନିଅଇ ବାବୁ ତୁହି ତେଣେ ଯିବୁ ॥
ଜାଣୁଟିକି ମିତ୍ରଘନ ମାଇଲାକ ଶୂଳ ।
ବିଭୀଷଣ ନୋହିଥିଲେ ପୂରନ୍ତାନି କାଳ ॥