ପୃଷ୍ଠା:Typical selections from Oriya literature.pdf/୧୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଇନ୍ଦ୍ରଜିତ ଯୁଦ୍ଧ ଯେ ରହିଲା ମୋର ଭାଗେ ।
ପୁଣ ପୁଣ ପ୍ରତିଜ୍ଞା କରଇ ବୀର ରାଗେ ॥
ଏବେ ଭେଟିଲେ କି ସେହି ଯିବ ପ୍ରାଣ ଘେନି ।
ଏ କଥାକୁ ସାକ୍ଷି ଥାଅ ଚନ୍ଦ୍ର ସୂର୍ଯ୍ବ ବେନି ॥
ଯେବେ ଇନ୍ଦ୍ରଜିତର ମୁଁ ନ ଛେଦଇଁ ମାଥ ।
ଏ ଧନୁଶରକୁ ମୁହିଁ ନ ଧରିବି ହାତ ॥
ସୁଗ୍ରୀବ ବିଭୀଷଣ ଅଙ୍ଗଦ ହନୁମତ ।
ନଳ ନୀଳ ସୁଷେଣ ତାରାକ୍ଷ୍ୟ ବାଳିସୁତ ॥
ଗନ୍ଧମାଦନ ସହ ଶଉରି ସେନାପତି ।
ରଣରାଜପୁତ୍ରେ ଏଥେ ଯେତେକ ଅଛନ୍ତି ॥
ରୁକ୍ଷ କପି ତୁମ୍ଭେମାନେ ଥାଅ ଏବେ ଜାଣି ।
ଇନ୍ଦ୍ରଜିତ ଯୁଦ୍ଧକୁ ନ ଭାଲୁ ରଘୁମଣି ॥
ସତ୍ୟ ସତ୍ୟ ମୁହିଁ ଯେ କହୁଛି ଏହ୍ନେକ ।
ରାମାୟଣ ଯୁଦ୍ଧରେ ପ୍ରତିଜ୍ଞା ମୋର ଦେଖ ॥
ଉଭୟ ବଳ ମଧ୍ୟେ କରିବି ଯିସ ରୀତି ।
ସାକ୍ଷୀ ହୋଇଥାଅ ଯେ ପଞ୍ଚିଶ ଜୂଥପତି ॥
ଯେବେ ସେ ଇନ୍ଦ୍ରଜିତ ସମରକୁ ଆସଇ ।
ପୁଣି କି ଲେଉଟି ଯିବ ନିଜ ବାସକୁହିଁ ॥
ବ୍ରହ୍ମାଦି ଦେବତାଏ କରିବେ ଯେବେ ରକ୍ଷା ।
ତଥାପି ନ ବର୍ତ୍ତଇ ସେ ରାବଣର ବତ୍ସା ॥
ଜାଣିବା ଇନ୍ଦ୍ରକୁ ଜିଣିଲା କେବଣ ରଣେ ।
ଦଶଦିଗପାଳକୁ ଜିଣିଲା କେଉଁ ବାଣେ ॥
ମୁହିଁ ନୁହଇ ନା ସୁରଗଣଙ୍କ ସମାନ ।
ମୋହର ହାତେ ତାହାର ନିଶ୍ଚୟ ଜୀବନ ॥
ଲକ୍ଷ୍ମଣ ପ୍ରତିଜ୍ଞା ଯେ କରନ୍ତେ ରାମ ହସି ।
ନିଶବଦ ହୋଇଣ ଅଛନ୍ତି ସର୍ବେ ବସି ॥

(୨)
ଇନ୍ଦ୍ରଜିତ ଓ ଲକ୍ଷ୍ମଣଙ୍କ ଉକ୍ତିପ୍ରତୁକ୍ତ


ଆଶ୍ଚର୍ଯ୍ବ ସଂଗ୍ରାମ ଯେ ଅପୂର୍ବ ମହାରଣ ।
ଧନ୍ୟ ଇନ୍ଦ୍ରଜିତ ଧନ୍ୟ ଧନ୍ୟ ତୁ ଲକ୍ଷ୍ମଣ ॥
ଧନ୍ୟ ଧନ୍ୟ ଅଟ ତୁମ୍ଭେ କ୍ଷତ୍ରି ବର ବେନି ।
ତିନିପୁରେ ତୁମ୍ଭର ମହିମା ଅଟେ ଧନି ॥