ପୃଷ୍ଠା:Typical selections from Oriya literature.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସାତ ସସ୍ର ନାରାଚ ବିନ୍ଧିଲା ଇନ୍ଦ୍ରଜିତ ।
ଦେଖି ନିବାରିଲା ତାହା ସୁମିତ୍ରାର ସୁତ ॥
ଅଜୟ ଶସ୍ତ୍ର ବାଛି ବିନ୍ଧିଲା ରାମଭାଇ ।
ଶରପଥ ଚଳନ୍ତେଣ ଜଗତ ହଲଇ ॥
ଦୁଇ ଶସ୍ତ୍ର ମଧ୍ୟରେ ହୋଇଲେ ଭେଟାଭେଟି ।
ହାବୋଡ଼ା ବାଜିଣ ଯେ ପ୍ରଳୟ ଅଗ୍ନି ଉଠି ॥
ନିର୍ଘାତ ପ୍ରାୟେକ ଘୋର ଶବଦ ଶୁଭିଲା ।
ଶସ୍ତ୍ରଙ୍କର ତେଜେ ସୂର୍ଯ୍ବକିରଣ ଲୁଚିଲା ॥
ଦୁଇ ଶସ୍ତ୍ର ବାଜିଣ ପଡ଼ିଲେ ଭୂମିତଳେ ।
ଉଲ୍କାପାତ ହୋଇଲା କି ପ୍ରଳୟେର କାଳେ ॥
ଏସନକ ଦେଖିଣ ଯେ ରୁଷଭ ସୁଷେଣ ।
ଜାମ୍ବବ ଅଙ୍ଗଦ ହନୁମତ ବିଭୀଷଣ ॥
ଶଉରି ସେନାପତି ଯେ ଶତବାଳୀ ନୀଳ ।
ମହୀନ୍ଦ୍ର ଦ୍ବିବିଦ ହନୁମତର ପିଅର ॥
ଗବୟ ଗବାକ୍ଷ କପି ଗନ୍ଧମାରଦନ ।
ଦଧିମୁଖ ବଳିମୁଖ କୁମୁଦ କଞ୍ଚନ ॥
ସୁଶୋଧନ ଶରସେତୁ କୁନ୍ଦ ଆଉ ନଳ ।
ଧାଇଁଲେ ଏ ଯୂଥପତି ଘେନି ତରୁ ଶିଳ ॥
ଇନ୍ଦ୍ରଜିତ ରଥରେ ଯେ ଉଠିଲେକ ଯାଇଁ ।
ଚାରି ଘୋଡ଼ା ତାହାର ଯେ ମାଇଲେ ତୁହାଇ ॥
ଚକ୍ଷୁର ଛଟକେ ସେହି ବାହୁଡ଼ିଲେ ପୁଣି ।
ସାରଥିକି ଲକ୍ଷ୍ମଣ ନାରାଚ ପେଷି ହାଣି ॥
ବିରଥୀ ହୋଇଲା ସେ ଯେ ରାବଣର ସୁତ ।
ଲକ୍ଷ୍ମଣକୁ ଚାହିଁ ପୁଣି ବୋଇଲା ଦଇତ ॥
ବିରଥୀ ହୋଇଲି ମୁହିଁ ଆସେ ଚଢ଼ି ରଥ ।
ବିଭୀଷଣ ବୋଲେ ଶୁଣ ସୁମିତ୍ରାର ସୁତ ॥
ସେହି ରଥେ ବସି ଏହି ଦୁଇବେଳ ଗଲା ।
ନାଗପାଶେ ବାନ୍ଧିଲା ଯେ ବ୍ରହ୍ମଶସ୍ତ୍ର କଲା ॥
ଏବେ ମୋର ବୋଲ ତୁହି କର ସଉମିତ୍ର ।
ଏ ସେ ଇନ୍ଦ୍ରଜିତ ଯେ ଅଟଇ ମହାକ୍ଷେତ୍ରି ॥
କିଞ୍ଚିତ ନାରାଚେ ଜଗତ ଜିଣି ପାରଇ ।
ସେ ରଥେ ବସିଲେ ଯେ କାହାକୁ ନ ଗଣଇ ॥
ଏବେ ଏହାକୁ ଓଗାଳି ଯୁଦ୍ଧ କର ହାଦେ ।
ମୁହିଁ ବୋଲୁଅଛି ଏହାକୁ ତୁ ଛାଡ଼ି ନ ଦେ ॥