ପୃଷ୍ଠା:Typical selections from Oriya literature.pdf/୧୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବିଭୀଷଣ କହନ୍ତେ ଜାଣିଲା ଇନ୍ଦ୍ରଜିତ ।
ମନେ ବିଚାରିଲାତ ହୋଇଲା ବିପରୀତ ॥
ଚାଣ୍ଡାଳ ଖୁଡ଼ୁତା ଯେ କହିଲା ମୃତ୍ୟୁଭେଦ ।
ଏତେ ବୋଲି ରାଗେ ଲେଉଟିଲା ମେଘନାଦ ॥
ଦେବ୍ୟରଥେକ ଆଣି ସାରଥି ସାଜିଦେଲା ।
ତହିଁ ମହାବୀର ଯେ ବିଜୟ ଯାଇଁ କଲା ॥
ବାବୁ ସେହି ରହୁବର ସବୁ ହୀରାମୟେ ।
ନବରତ୍ନେ ଜଡ଼ିତ ସେ ଚନ୍ଦ୍ର ସର୍ଯ୍ବ ପ୍ରାୟେ ॥
କାଳାନ୍ତ ଧ୍ବଜାନ୍ତ ଦିଗଦହନ ଚିରାଳ ।
ଦେଖି ରିପୁବଳ ଭୟେ ହୁଅନ୍ତି ବିହ୍ବଳ ॥
କରି ଧନୁ ଧରିଣ ପଶିଲା ଆସି ରଣେ ।
ଭୋକିଲା ସିଂହ କି ବୁଲଇ ଯେ ଏଣେ ତେଣେ ॥
ବିଭୀଷଣକୁ ଚାହିଁ ବୋଲଇ ଇନ୍ଦ୍ରଜିତ ।
ଧିକ ହେଉ ନା ନିର୍ଲ୍ଲଜ୍ଜ ତୋହର ଜୀବିତ ॥
କ୍ଷତ୍ରି ହୋଇ ତୁ ଯେ ମରଣକୁ ଭୟ କଲୁ ।
ଶତ୍ରୁର ତହିଁ ଯାଇଣ ଶରଣ ପଶିଲୁ ॥
ସୁକେଶ ଦଇତର ବିଦ୍ୟୁତ ନାମେ ସୁତ ।
ତାହା ତନୟ ସୁମାଳି ମାଳି ମାଲ୍ୟବନ୍ତ ॥
ମାଳି ମାଲ୍ୟବନ୍ତକୁ ଶ୍ରୀହରି ନାଶ କଲେ ।
ସୁମାଳି ପଳାଇ ଯାଇଁ ପାତାଳେ ପଶିଲେ ॥
ତାହାର ଦୁହିତା ଯେ ଅଟଇ ନଉକେଶୀ ।
ତାହାକୁ ବିଭା ହେଲା ବିଶ୍ରବା ମହରୁଷି ॥
ତା ତହୁଁ ତିନିପୁତ୍ର ହୋଇଲ ତୁମ୍ଭେ ଜାତ ।
ମାତା ଗୁଣ ଘେନିଣ ଯେ ହୋଇଲ ଦଇତ ॥
ଜ୍ୟେଷ୍ଠଭାଇ ରାବଣ ଜିଣିଲା ତିନିପୁର ।
କଟକ କଲାକ ଆଣି ସମୁଦ୍ର ଭିତର ॥
ଚଉଦ ଭୁବନର ଯେ ଧନ ବସ୍ତ୍ର ନାରୀ ।
ଲଙ୍କା ଗଡ଼େ ଆଣି ଠୁଳକଲା ଦଶଶିରୀ ॥
କୁମ୍ଭକର୍ଣ୍ଣ ମହାତ୍ମା ଯେ ନିଦ୍ରାଭୋଗ କଲା ।
ସବୁ ସମ୍ପଦ ରାବଣ ତୋତେ ସମର୍ପିଲା ॥
ଅକଣ୍ଟକ ରାଜ୍ୟଭୋଗ ତୁହି କରୁଥିଲୁ ।
ଅସମୟ ଦେଖିଣ ଯେ ଛାଡ଼ି ପଳାଇଲୁ ॥
ଶତ୍ରୁର ସଙ୍ଗେ ମିଶି କୁଟୁମ୍ବ ଛିଦ୍ର କହୁ ।
ଏଡ଼େକ ପାପଆତ୍ମା କେବଣ ଗୁଣେ ବହୁ ॥