ପୃଷ୍ଠା:Typical selections from Oriya literature.pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବିଶ୍ବାସଘାତକ ତୁହି ଅଟୁରେ ଚାଣ୍ଡାଳ ।
ଏତେ ନିସତରେ ତୁ ଜୀଇବୁ କେତେକାଳ ॥
ଧର୍ମଶାସ୍ତ୍ର ପୁରାଣ କି ଶୁଣି ନାହୁଁ କର୍ଣ୍ଣେ ।
ସୋଦର ବଧ କଲେ କେମନ୍ତ ହୋନ୍ତି ଜନେ ॥
ଏକାକେ ତୁଯାଇଣ କୁଟୁମ୍ବ ହରାଇଲୁ ।
ଆପେ ନ ମାରିଣ ପର ହାତେ ମରାଇଲୁ ॥
ମୁହିଁ ତୋର ପୁତୁରା ମୋତେ ଯେ ମନ୍ଦ ଚିନ୍ତୁ ।
ଜ୍ୟେଷ୍ଠଭାଇ କୁମ୍ଭକର୍ଣ୍ଣ ମଲା ତୋର ହେତୁ ॥
ଲଙ୍କାଗଡ଼େ ରାଜା ତୁ ହୋଇବୁ ବୋଲି ଅଛୁ ।
ତେଣୁ ପାପିଷ୍ଠ ରେ କୁଟୁମ୍ବକୁ ଛିଦ୍ର ପାଞ୍ଚୁ ॥
ରୁକ୍ଷ ମର୍କଟଙ୍କୁ ତୁହି ପାଇଅଛୁ ସାହା ।
ତପୀ ବାପୁଡ଼ାର ହୋଇଛୁ ଡ଼ାହାଣ ବାହା ॥
ଏମନ୍ତ ବୁଦ୍ଧି କରି ରେ ମରାଇଲୁ ବଂଶ ।
ଏସନେକ ଭରସାରେ କୁଳ କଲୁ ନାଶ ॥
ନ ଜାଣୁ କି ମୋହର ରେ ବୀରଶୂର ପଣ ।
ଆକ୍ଷି ଘେନି ଦେଖି ନାହୁଁ କିରେ ମୋରେ ରଣ ॥
ସଂଗ୍ରାମଭୂମିରେ ମୁଁ କାହାକୁ ଅଛି ହାରି ।
ଏ କଥା କିପାଁ ରେ ତୁ କହିଲୁ ନ ବିଚାରି ॥
ଆଜ ତୋର ଜୀବକୁ ପେଷଇ ଯମଆଳ ।
ଏତେ ବୋଲି କରେ ଝମକାଇ କରବାଳ ॥

(୩)
ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ ।


ଏଥୁ ଅନନ୍ତରେ ଯେ ଶ୍ରୀରାମଚନ୍ଦ୍ର ରାୟେ ।
ଲକ୍ଷ୍ମଣଙ୍କୁ କୋଳ କରି ଶୋକେ ତନୁ ଦହେ ॥
ଗଳାରେ ଗଳାକୁ ବାନ୍ଧି ଭୁଜେ ଭୁଜ ଛନ୍ଦି ।
ବଡ଼ କ୍ରୋଧଭରେ କଉଶଲ୍ୟାସୁତ କାନ୍ଦି ॥
ହା ହା ଦଇବ ରେ ତୁହି ଏହା ମୋତେ କଲୁ ।
ଉଦାର ଭାଇକି ମୋର ଏଡ଼େ କଷ୍ଟ ଦେଲୁ ॥
ରାଜ୍ୟ ଭୋଗ ଛାଡ଼ିଣ ଅଇଲା ମୋର ତୁଲେ ।
ବାହୁଡ଼ି ନ ଗଲା ସେ ଯେତେକ ତିଆରିଲେ ॥
କନ୍ଦମୂଳ ଖାଇଣ ଦୁଃଖେଣ ଦିନ ନେଲା ।
ଚଉଦ ବରଷ ବନେ ଅନିଦ୍ରା ହୋଇଲା ॥