ପୃଷ୍ଠା:Typical selections from Oriya literature.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରାତ୍ରେ ଉଜାଗର ସେ ହୋଇଣ ଜଗି ଥାଇ ।
ଦୁଃଖକୁ ସଂଖାଳୀ ତୁହି ଅଟୁ ମୋର ଭାଇ ।
ସାବତଜନନୀର ଯେ ଅଟଇ ତନୟ ।
ହିଂସା ନ ବହଇ ଯେ ଏହାର ଧର୍ମକାୟ ।
ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ ।
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ ।
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।
ଲକ୍ଷ୍ମଣ ଯେ କାହିଁ ବୋଲି ପଚାରିବେ ଆସି ।
କି ବୋଲି ବୋଲିବି ଆରେ ସୁମିତ୍ରାର ବତ୍ସି ।
ତୋହର ମଲେ କି ମୁହିଁ ଅଯୋଧ୍ୟାକୁ ଯିବି ।
ଇଷ୍ଟବନ୍ଧୁ ମୁଖକୁ ମୁଁ କେମନ୍ତେ ଚାହିଁବି ।
ଜାନକୀ ନେବାରେ ମୋର ପ୍ରୟୋଜନ ନାହିଁ ।
ଏହା ସେ କରମେ ମୋର ଲିହିଅଛି ବିହି ।
ଆପେ ସିନା ଜୀଇଥିଲେ ଭାର୍ଯ୍ବା ପାଇସିନା ।
ଭାଇ ଉପୁଜଇ ବାପ ମାଆ ଥିଲେ ସିନା ।
କେବଣ ବିଧାତା ଲାଗିଲୁ ତୁ ମୋତେ ବାଦେ ।
ରାଜ୍ୟଭ୍ରଷ୍ଟ କରି ରୁହାଇଲୁ ବନମଧ୍ୟେ ।
ତହିଁ ପୁଣି ଘରଣୀକି ଆନ ଘେନିଗଲା ।
ଏବେ ମୋର ସଖା ସହୋଦର ଭାଇ ମଲା ।
ଅଇଲୁଁ ଯେ ତିନିଜଣ ଦୁଇ ଛାଡ଼ି ଗଲେ ।
ଅଗାଧ ଜଳେ ମୋହର ଭେଳା ବୁଡ଼ାଇଲେ ।
ସୁକୁମାର ଶରୀର ବିଷମଶର ଫୁଟି ।
ଏଡ଼େ ଭାଗ କେସନେ ସହିଲା ଦେହଗୋଟି ।
ଛାଇ ଜାଣି ମୋର ବାବୁ ସେବା କରି ଥାଇ ।
ଅଗମ୍ୟ ବନକୁ ମୁହିଁ ମୃଗ ମାରି ଯାଇ ।
ଚଇଦ ବରଷ ଆମ୍ଭେ ବଞ୍ଚିଲୁ ଅରଣ୍ୟେ ।
ତହିଁରେ ଯେ ଦୁଃଖ ବୋଲି ନଧଇଲୁ ମନେ ।
ସୀତା ହଜିଲା ଦିନୁ ହୋଇଲି ମୁହିଁ ବାଇ ।
ତହିଁକି ଅନେକ ତିଆରିଲୁ ମୋର ଭାଇ ।
ତୋହର କଥା ଶୁଣି ଛାଡ଼ଇ ମୋର ଚିନ୍ତା ।
ତୋତେ ଦେଖି ପାଶୋରଇ ସୀତାର ଯେ କଥା ।