ପୃଷ୍ଠା:Typical selections from Oriya literature.pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦୁଃଖକୁ ତୁ ଦୁଃଖୀ ରେ ସୁଖକୁ ଉପକାରୀ ।
ଅଯୋଧ୍ୟା ନଗରେ ତୁହି ଅଟୁ ଅଧିକାରୀ ॥
ଅନୁଜ ଶତ୍ରୁଘ୍ନ ତୋର ପାଳୁଅଛି ପୃଥ୍ବୀ ।
ନୀରେଖ ଲୋକପ୍ରାୟେ ରେ ଭାଇ ମଲୁ ଏଥି ॥
ଛେଦଭେଦ କଥା ତୁ ନ ଜାଣୁ ମୋର ଭାଇ ।
ବେଳ ଜାଣି କଥା ମୋତେ ଦେଉ ଯେ ଶିଖାଇ ॥
ସୀତା ସ୍ବୟମ୍ବର କାଳେ ମୋତେ ତୁ କହିଲୁ ।
ଶିର ନୁଆଁଇଣ ଧନୁ ନ ଧର ବୋଇଲୁ ॥
ରାଜାମାନେ ମିଳି ବସିଅଛନ୍ତି ବହୁତ ।
ପ୍ରଣବ କଲା ପ୍ରାୟେ ଦିଶିବ ରଘୁନାଥ ॥
ତାହା ଶୁଣି ଧନୁ ମୁହିଁ ନ ଧଇଲି ଲଇଁ ।
କଥା ପଡ଼ିଲେ ଯେ ତୋତେ ମୁହିଁ ପଚାରଇଁ ॥
ସୀତା ଖୋଜୁଁ ଖୋଜୁଁ ବାଟେ ଅଇଲା କବନ୍ଧ ।
ଆକ୍ଷି ଥାଉଁ ଥାଉଁ ଯେ ମୁଁ ହୋଇଲଇଁ ଅନ୍ଧ ॥
ସୂପଲେଖୀର ଯେ କାଟିଲୁ ନାସା ଶ୍ରବଣ ।
ପ୍ରଚଣ୍ଡ ଅଗ୍ନି ଜାଣି ଦିଶଇ ତୋର ବାଣ ॥
ଇନ୍ଦ୍ରଜିତ ପ୍ରାୟେକ ତୁ କ୍ଷତ୍ରିକୁ ମାଇଲୁ ।
ଦେବତାମାନଙ୍କୁ ତୁ ଅଭୟ ବର ଦେଲୁ ॥
ଏବେ ଜୀବନ ହାରିଲୁ ରାବଣର ହାତେ ।
ମୁହିଁ ଏ ଦେହକୁ ବାବୁ ଧରିବି କେମନ୍ତେ ॥
ତୋତେ ଦେଖି ମୁହିଁ ସବୁ ଦୁଃଖ ପାସୋରିଲି ।
ରାବଣର ତହିଁ ଏବେ ବୁଦ୍ଧି ହରାଇଲି ॥
କେ ମୋତେ ସେବା ଯେ କରିବାକ ଦିବାନିଶି ।
ନିଦ କରାଇଣ ଶୋକେ ଥିବ ଜଗି ବସି ॥
ମନ ଜାଣି କେହୁ ପରଷିବ ମୋତେ ବାବୁ ।
ତୋହର ସଙ୍ଗେ ଥିଲେ ସମ୍ପଦ ଅଛି ସବୁ ॥
ଦିଗପାଳ ସମାନେରେ ଅଟୁ ମୋର ଭାଇ ।
ଦେବାସୁରେ ତୋତେ ଜିଣିବାକୁ କେହି ନାହିଁ ॥
ସର୍ବଗୁଣେ ସୁଲକ୍ଷଣ ନାହିଁ ଆନେ ମୃତୁ ।
ବିଶ୍ବାମିତ୍ର ମୁନି ମୋତେ କହିଛନ୍ତି ତତ୍ତ୍ବ ॥
ତାହାଙ୍କର ବୋଲି କି ହୋଇବ ଏବେ ଆନ ।
କିପାଁ ଏଡ଼େ ଶକତି ମାଇଲା ଦଶାନନ ॥
ତୋହର ଛାମୁରେ କିପାଁ ନ ମଲି ରେ ମୁହିଁ ।
ତୋତେ ହରାଇଣ କିପାଁ ଜୀଇଣ ଥିଅଇଁ ॥