ପୃଷ୍ଠା:Typical selections from Oriya literature.pdf/୧୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

(୪)

ରାବଣବଧ

ସେ ଧ୍ବନି ଶୁଣିଣ ରାମ ଉପରକୁ ଚାହିଁ ।
ଦାଶରଥିଙ୍କି ଦେଖିଣ ସୁରଗଣେ କହି ॥
ଭୋ ରାଘବ ତୋର ନାରାଚେ ରାବଣ ମରି ।
ଚଉଦଭୁବନର ଯେ ଉତପାତ ସରି ॥
ଶୁଣିଲେ ରଘୁନାଥ ସେ ବିବୁଧଙ୍କ ବାଣୀ ।
ରାବଣ ଶସ୍ତ୍ରକୁ ଦେବ ପକାଇଲେ ହାଣି ॥
ଦେଖିଣ ଦଶଶିର ବିନ୍ଧିଲା ଏକ ଶର ।
ଶ୍ରୀରାମ ଛେଦିଲେ ତାହା କିଞ୍ଚିତ ମାତର ॥
ବାବଲ ବାଣେକ ଯେ ବିନ୍ଧିଲେ ରଘୁନାଥ ।
ଶସ୍ତ୍ର ଗଳିଗଲା ତଳେ ନ ପଡ଼ିଲା ମାଥ ॥
ଗର୍ଜଇ ରାଗେ ଦଇତ କମ୍ପଇ ବ୍ରହ୍ମାଣ୍ଡ ।
କୋପେଣ ହଲାଇ ସେହି ଦଶଗୋଟା ମୁଣ୍ଡ ॥
ପୁଣିହିଁ ଶ୍ରୀରାମ ଯେ ଅସୁରା ଶସ୍ତ୍ର ପେଷି ।
ଦଶ ମଉଳି ରାମ ପକାଇଲେ ବିନାଶି ॥
ବେକ ସଳଖେଣ ତାର ବାଣ ଗଳିଗଲା ।
ଛିଡ଼ିଯାଇଁ ଦଶଶିର ଭୂମିରେ ପଡ଼ିଲା ॥
ପାଣିରେ ପିଟିଲେ ଯେହ୍ନେ ନୁହେ ବେନି ଭାଗ ।
ରାବଣ ଦେଖି ରାମ ପାଇଲେ ବଇରାଗ ॥
ପୁଣିହିଁ ଜଇନ୍ତା ନାମେ ଦେବଶସ୍ତ୍ର କଲେ ।
ତୋଟି ସଳଖେଣ ତାର ବାଣ ଗଳି ଗଲେ ॥
ନ ପଡ଼ିଣ ମୁଣ୍ଡ ଯେ ଲାଗିଲା ତତକ୍ଷଣ ।
କୋପେଣ ଘୋରଯୁଦ୍ଧ ଯେ କଲାକ ରାବଣ ॥
ଶ୍ରୀରାମ ପେଷିଲେ ପୁଣି ଅଧାଚନ୍ଦ୍ର ଶର ।
ପଡ଼ିଣ ସେ ଦଶଶିର-ବେକ ସଳଖର ॥
ଦଶମୁଣ୍ଡ ଛିଡ଼ି ଲାଗି ଗଲାକ ଯେ ପୁଣି ।
ରାମ ରାବଣ ମାତଳି ବିଭୀଷଣ ଜାଣି ॥
ଦେବେ ବିଚାରନ୍ତି ଯେ ରାବଣ ମହାବୀର ।
ନପୁଣ ଜୀଅଇ ସେହି ଆଜର ସମର ॥
ଏ ଘାନ୍ତି ବର୍ତ୍ତିଲେ ସେହି ନ ଥୋଇବ କାହିଁ !
ନିଶ୍ଚୟ ଏ ରସାତଳେ ପଡ଼ିବାକ ମହୀ ॥