ପୃଷ୍ଠା:Typical selections from Oriya literature.pdf/୧୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏବେ ଯେ ଦେଖିଣ ଆମ୍ଭେ ମନେ ଭ୍ରାନ୍ତି କଲୁଁ ।
ଆଜର ସମରକୁ ଯେ ଆଶା କରିଥିଲୁଁ ॥
ନପୁଣ ସେ ଲଙ୍କପତି ନୁହଇ ବିନାଶ ।
ଏ ଘାନ୍ତି ନିଶ୍ଚୟ ଛାଡ଼ିବୁଁ ଯେ ସ୍ବର୍ଗବାସ ॥
ଏସନକ ବୋଲିଣ ଭାଳନ୍ତି ସୁରଗଣ ।
ରାମ ରାବଣର ଯେ ସମର ଗରୁ ଟାଣ ॥
ଗୁଣ-ଟଙ୍କାର ପ୍ରଳୟ ମେଘ-ଘୋଷ ଜାଣି ।
ଶ୍ରାବଣ ବରଷା ଯେହ୍ନେ ବରଷଇ ପାଣି ॥
ତେସନକ ଶର ଯେ ବିନ୍ଧନ୍ତି ବେନି ବୀର ।
ଉଦୟ ହୋଇଅଛଇ ନାନାଜାତି ଶର ॥
ବ୍ରହ୍ମଶର ପରଶୁ ଯେ ପାଶୁପତ ଶର ।
ଅଗ୍ନିକାଳ ଶସ୍ତ୍ରକୁ ଡ଼ରନ୍ତି ତିନିପୁର ॥
ବରୁଣ ପବନ ଇନ୍ଦ୍ର ଆୟୂଧ ସହିତେ ।
କୁବେର ଶଙ୍କର ଶସ୍ତ୍ର ଶୂଳ ପରିଯନ୍ତେ ॥
କପିଳ ବିମନା ସୋମନାଥ ଶସ୍ତ୍ର ଅଛି ।
ମୋହନା ବକାର ଘାଏ ସ୍ବର୍ଗେ ସୁରେ ଲୁଚି ॥
ବଜ୍ରାଶର ଆବର ଯେ ବ୍ରହ୍ମଶିରା କାଣ୍ଡ ।
ମେଘାଶର ଘାତରେ ଯେ କମ୍ପଇ ବ୍ରହ୍ମାଣ୍ଡ ॥
ଗରୁଡ଼ ବିନତା ଆଦି ଯେତେ ଶସ୍ତ୍ର ଅଛି ।
ପନ୍ନଗା ଶସ୍ତ୍ରର ଘାତେ ଚନ୍ଦ୍ର ସୂର୍ଯ୍ବ ଲୁଚି ॥
ଗନ୍ଧର୍ବ ମାନବା ଶର ସୂର୍ଯ୍ବ ସମ ଆଭା ।
ସାବିତ୍ରୀ କାଳୀ ବାରୁଣୀ ଅଧାଚନ୍ଦ୍ର ଶୋଭା ॥
ବଜ୍ରମୁନା ଆଦି ଜୟା ବିଜୟା ଶକତି ।
ଅମୋହଶକତି ବଜ୍ରଶକତି ମାରନ୍ତି ॥
ଲୋହମୁଦୁଗର ଗଦାବର ପହୁଡ଼ନ୍ତି ।
ମହାମାୟା ଶୂଳ ବଜ୍ର ଗରୁହଂସ କାତି ॥
ଶିବଶୂଳ ଚକ୍ର ଯେ ଅପୂର୍ବ ଶରମାନ ।
ଏକକୁ ଆରେକ ଯେ ବିନ୍ଧନ୍ତି ଘନ ଘନ ॥
ଏମନ୍ତେ ଯେ ଅପ୍ରମିତ ହୋଇଲା ସମର ।
ବାରୁଣା ଶସ୍ତ୍ର ପେଷିଲେ ରାବଣ ଉପର ॥
ବେକେ ଗଳିଗଲା ସେ ଯେ ନ ଛିଡ଼ିଲା ମୁଣ୍ଡ ।
ପୁଣି ବିନ୍ଧିଲେ ରାମ ତାଡ଼କାବଧ କାଣ୍ଡ ॥
ତୋଟିଠାରୁ ଛିଡ଼ି ମୁଣ୍ଡ ପୁଣିହିଁ ଲାଗିଲା ।
ବେଳୁଁ ବେଳ ରାମର ଯେ ସାହାସ ଭାଙ୍ଗିଲା ॥