ପୃଷ୍ଠା:Typical selections from Oriya literature.pdf/୧୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରାବଣ ବୋଇଲା ତୁ ନ ଜାଣୁ ରଘୁନାଥ ।
ଶସ୍ତ୍ରରେ ଛେଦନ ଯେ ନୋହଇ ମୋର ମାଥ ॥
ମୁହିଁ ଯେବେ ମୁଣ୍ଡ ଛାଡିଗଲେ ମୃତ୍ୟୁ ପାନ୍ତି ।
ଏତେ କାଳ ଯାଏ କାହିଁ ପୁଣି ବର୍ତ୍ତିଥାନ୍ତି ॥
ଦେବତାଏ ବେଢ଼ି କରି ମାରନ୍ତେ ନା ମୋତେ ।
ଚଉଦଭୁବନ ଆନେ ସାଧିଲି କେମନ୍ତେ ॥
ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ପ୍ରାୟେ ମୋତେ ବୁଝୁ ।
ଦେବତାଙ୍କ ଶିଖାଇଲା କଥା ଘେନି ଯୁଝୁ ॥
ଆଜ ଏହିକ୍ଷଣି ମୁଁ ଘେନଇ ତୋର ପ୍ରାଣ ।
ଏତେକ ବୋଲି ସେ ବୃଷ୍ଟି କଲା ତୀକ୍ଷ୍ଣବାଣ ॥
ଦେଖିଣ ତା ନିବାରିଲେ କଉଶଲ୍ୟା ସୁତ ।
ବାଳିକି ମାଇଲା ଶର ପେଷିଲେ ତୁରିତ ॥
ଛିଡ଼ି ଦଶମୁଣ୍ଡ ପୁଣି ଲାଗିଲାକ ବେଗେ ।
ସପ୍ତଶାଳାଭେଦୀ ବାଣ ପେଷିଲେକ ରାଗେ ॥
ଦଶମୁଣ୍ଡ ଗଳିଗଲା ନ ଛିଡ଼ିଲା ଶିର ।
କୋପେଣ ଘୋରଗର୍ଜନ କଲା ଦୈତ୍ୟବୀର ॥
ଆକାଶକୁ ଚାହିଁ ଦେବତାଙ୍କୁ ସେ ଚଜଇ ।
ନିଶ୍ବାସକେ ଦଶବେଳ ମନ୍ତ୍ର ସେ ପଢ଼ଇ ॥
ଧାଇଁ ଆଗରରେ ଯେ ବିନ୍ଧଇ ଶରମାନ ।
ଶ୍ରୀରାମ ଯେ ତାହାକୁ ଛେଦନ୍ତି ଘନ ଘନ ॥
ଖଳ ଖଳ ରୁଧିର ବାହାର ଚଉକତି ।
କାଳମୁଖା ଶରକୁ ଯେ ରାଘବ ପେଷନ୍ତି ॥
ଛିଡ଼ିଲାକ ଦଶମୁଣ୍ଡ ଲାଗିଲାକ ପୁଣି ।
ରାମ ବିଚାରନ୍ତି ମୁହିଁ ନ ପାରିଲି ଜିଣି ॥
ଏତେ ବୋଲି ପୁଣି ସେହି ଦଶ ବାଣ ମାରି ।
ଛିଡ଼ିଲାକ ଦଶବେକ ଅଛି ଦଶଶିରୀ ॥
ଏହିମତି ଶତେକ ଉତ୍ତର ଶତେ ବେଳ ।
ରାବଣର ମୁଣ୍ଡକୁ କାଟିଲେ ରଘୁବାଳ ॥
ଆଶ୍ଚର୍ଯ୍ୟ ହୋଇଣ ରାମ ମାତଳିକି ଚାହିଁ ।
କେବଣ ପ୍ରକାର ଏହା ଜାଣୁଟିକି ତୁହି ॥
ବାବୁ କ୍ଷତ୍ରିୟ ଅଟଇ ଏହି ଲଙ୍କେଶ୍ବର ।
ଶସ୍ତ୍ରରେ ଭେଦ ନୁହଇ ଏହାର ଶରୀର ॥
ମୋହ ପରା କ୍ଷତ୍ରି ସାତ ଦିନ ଯୁଦ୍ଧ କଲି ।
ଯୁଝି ଯୁଝି ଏବେ ମୁହିଁ ନିରସ୍ତ ହୋଇଲି ॥