ପୃଷ୍ଠା:Typical selections from Oriya literature.pdf/୧୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କି ବୁଦ୍ଧି କରିବା ଏ କେମନ୍ତେ ନାଶ ଯାଉ ।
ମୋହରତ ବୁଦ୍ଧିବଳ ନାହିଁ କିଛି ଆଉ ॥
ଶସ୍ତ୍ର ପରତାପେ ଯାଇଁ ଗଳିଯାଏ ମୁଣ୍ଡେ ।
କେବେହେଁ ମସ୍ତକ ନ ପଡ଼ଇ ଭୂମିଖଣ୍ଡେ ॥
ବଜ୍ରହୁଁ ଆଣ୍ଟ ଅଟଇ ଏହର ଯେ ଦେହୀ ।
ଏହାପରି ଅସୁର ନ ଥିଲେ ପୂର୍ବେ କେହି ॥
ମହିଷାଅସୁର ଅଟଇ ଯେ ବଳବାନ ।
ଏକା ଶୂଳକେ ତାହାର ଗଲା ଯେ ଜୀବନ ॥
ହିରଣ୍ୟ ହିରଣ୍ୟାକ୍ଷ ଯେ ମଧୁ କଇଟଭ ।
ଶଙ୍ଖାସୁର ବୈଲୋଚନ ଦୁଷ୍ଟ କଉଣପ ॥
ଶମ୍ଭୁ ନିଶମ୍ଭୁ ଶୂଚୀ ଯେ ଅସୁର ପ୍ରଭୁତି ।
ବୃତ୍ରାସୁର ସହିତେ ଯେ ଥିଲେ ଏହି ପୃଥ୍ବୀ ॥
କେହି ଏଡ଼େବଡ଼ ଉପଦ୍ରବହିଁ ନ କଲା ।
ମାଇଲେ ମରନ୍ତି ଏହା ଅଛଇ ଶୁଣିଲା ॥
ରକ୍ତବୀର୍ଯ୍ୟ ସଇନି ରକତୁ ହୋଏ ଜାତ ।
ଶସ୍ତ୍ର ପ୍ରହାରନ୍ତେ ପୁଣି ମଲା ସେ ଦଇତ ॥
ଶସ୍ତ୍ର ପ୍ରହାରନ୍ତେ ବେଳେ ସିନା ନ ମରନ୍ତି ।
ଆର ବେଳ ଶସ୍ତ୍ର ମାଇଲେ ସେ ପ୍ରାଣ ଦ୍ୟନ୍ତି ॥
ଗରିଷ୍ଠ ଦାନବ ଏହି କେହେହେଁ ନ ମରି ।
ଏହି ବ୍ରହ୍ମାଣ୍ଡେ ଏହାକୁ କେହି ନୋହେ ସରି ॥
ଆହୋ ମାତଳି ଏଥିର ଜାଣୁ କି ଉପାୟ ।
କେବଣ ପ୍ରକାରେ ମରିବ ଏ ଲଙ୍କରାୟ ॥
ଅନେକ ଯେ ଦେବଶସ୍ତ୍ର କଲେହେଁ ନ ମଲା ।
ଚାଣ୍ଡାଳ ଦଇତ ମୋତେ ବହୁ ଦୁଃଖ ଦେଲା ॥
ମାତଳିକି କହୁଁ କହୁଁ ବିନ୍ଧୁଛନ୍ତି ଶର ।
ରଣଗୋଳ ଧନ୍ଧୋଳ ଯେ ଅସଂଖ୍ୟ ଅପାର ॥
ମାତଳି ବୋଇଲା ତୁ ହୋ ଶୁଣ ରଘୁବୀର ।
ବ୍ରହ୍ମାର ବଚନେ ଜାଣ ଅଜୟ ଅସୁର ॥
ଭୋ ଶ୍ରୀରାମ ଏହାର ମହିମା ତୁ ନ ଜାଣୁ ।
ଆନ ଅସୁରର ସଙ୍ଗେ ରାବଣକୁ ଗଣୁ ॥
ସୃଷ୍ଟିକରତା ତାକୁ ଅଭୟ ବର ଦେଲା ।
ସେହି ପୁଣି ଲେଉଟି ଏହାକୁ ସେବା କଲା ॥
ଇନ୍ଦ୍ର ଦେବତା ଯେ ତୁମ୍ଭ ଦେବତାଙ୍କ ରାୟେ ।
ସେ ଏହା ଦ୍ବାରପାଳ କତିରେ ବସିଥାଏ ॥