ପୃଷ୍ଠା:Typical selections from Oriya literature.pdf/୧୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରୁଦ୍ର ନୃତ୍ୟ କରେ ଅଗ୍ନି ଧୁଅଇ ଯେ ଶାଢ଼ୀ ।
ଏହାର ମହିମା ଦେବ କହିଲେ ନ ସରି ॥
ଯେବଣ ଦିନେ ଯାଇଁ ଏ ସ୍ବର୍ଗେ ଯୁଦ୍ଧ କଲା ।
ପ୍ରଳୟ ମେଘ ଜାଣି ନାରାଚ ବୃଷ୍ଟି କଲା ॥
ଦଶଦିଗପାଳଙ୍କୁ ଆଣିଲା ବନ୍ଦୀ କରି ।
ପୁଷ୍ପକରଥ ଚଢ଼ି ବୁଲଇ ତିନିପୁରୀ ॥
ରାକ୍ଷସ ଇନ୍ଦ୍ରପଦରେ ବଳେ ବଳବନ୍ତା ।
ଦେବାସୁର ନରେ ନାହିଁ ଏହାକୁ ଜିଣନ୍ତା ॥
କେତେ ଦୁଃଖ ପାଇ ଦେବେ ତୋତେ ଆଶ୍ରେ କଲେ ।
ସୁରଗଣେ ବିଚାରି ମାନବ ଦେହ ଦେଲେ ॥
ତୁ ସେ ନାରାୟଣ ପୁଣି ନ ପାରିଲେ ମାରି ।
ଆନବେଳେ ଏହାକୁ ଯେ ନୋହଇ ସଂହାରି ॥
ଏହାକୁ ଯୁଦ୍ଧରେ ଜିଣିବ ଯେବଣ ଜନ ।
ତାହାକୁ ସେବା କରିବେ ଜାଣ ସୁରଗଣ ॥
ସାମାନ୍ୟ ପ୍ରାୟ ଏହାକୁ ନ ମଣ ଗୋସାଇଁ ।
ମୁଣ୍ଡ କାଟିଲେ ଏହାର କେଭେ ମୃତ୍ୟୁ ନାହିଁ ॥
ବ୍ରହ୍ମଶର ଘେନି ଦେବ ମର୍ମସ୍ଥାନେ ମାର ।
ହୃଦୟ ଫୁଟିଲେ ଯେ ମରିବ ନିଶାଚର ॥
ପୂର୍ବେ ଶିରକମଳ ଦେଇଣ ମନାଇଲା ।
ପ୍ରସନ୍ନ ହୋଇଣ ଯେ ବିଧାତା ବର ଦେଲା ॥
ତେଣୁମୁଣ୍ଡ କାଟିଲେ ଏ ଦୁଷ୍ଟ ଯେ ନ ମରି ।
ବେକ ଛିଡ଼ି ଗଲେ ମୁଣ୍ଡ ଭୂମିରେ ନ ପଡ଼ି ॥
ଆନେ ତୋଟି କାଟିବାକୁ ନୁହନ୍ତି ଭାଜନ ।
ତୋହରେ ସେ ଏ କଥା ହୋଇଲା ରଘୁନାନ ॥
ଏବେ ବ୍ରହ୍ମଶସ୍ତ୍ର ଘେନିଣ ଯେ ବୁକୁ ଫୋଡ଼ ।
ଏହାର ବକ୍ଷସ୍ଥଳ ବଜ୍ରହୁଁ ଅଟେ ଗାଢ଼ ॥
ଶୁଣିଣ ଶ୍ରୀରାମ ଯେ ପ୍ରସନ୍ନ ମୁଖ ହୋଇ ।
ନନ୍ଦୀଘୋଷ ରଥରେ ବସିଲେ ଯାଇଁ ଡେଇଁ ॥
ଘେନିଲେ ସେ ଅଗସ୍ତିଙ୍କ ଦେଲା ବ୍ରହ୍ମଶର ।
ତତକ୍ଷଣ ତ୍ରୋଣୁ ତା କାଢ଼ିଲେ ରଘୁବୀର ॥
ଧନୁର୍ବେଦ ପଢ଼ିଣ ତା ବସାଇଲେ ଗୁଣେ ।
ଦେଖିଣ ଦଇତେ ପଳାଇଲେ ଏଣେ ତେଣେ ॥
ମଧ୍ୟାହ୍ନ ଆଦିତ୍ୟ ପ୍ରାୟେ ଶସ୍ତ୍ରଙ୍କର ତେଜ ।
ପ୍ରଳୟାଗ୍ନି କି ସଂସାର କରିବ ଦହିଯ ॥