ପୃଷ୍ଠା:Typical selections from Oriya literature.pdf/୧୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଦିତ୍ୟ ପ୍ରାୟ ଦିଶିଲା ଶ୍ରୀରାମଙ୍କ ପ୍ରଭା ।
ବିଷ୍ଣୁ-ହସ୍ତେ ଯେହ୍ନେ ସୁଦର୍ଶନଚକ୍ର ଶୋଭା ॥
ବନ ପର୍ବତ ଯେ କମ୍ପିଲାକ ଦଶଦିଶ ।
ଏକାବେଳେ ସଂସାରକି ହୋଇବ ବିନାଶ ॥
ଶ୍ରୀରାମ-କୋପ ଦେଖି ଭାଳନ୍ତି ସୁରମୁନି ।
ବିକଳ ହୋଇଲେ ଯେ ଆତଙ୍ଗ ମନେ ଘେନି ॥
ଶ୍ରୀରାମ ନାରାଚ ପୁରୋଇଣ ଉଡ଼ୁଛନ୍ତି ।
ମନ ପ୍ରାଣ ପବନ ଏକତ୍ବ କରିଛନ୍ତି ॥
ମୁଖ ବାଟରେ ଉଛୁଳି ପଡ଼ଇ ରକତ ।
ଆଖି ହୁଗୁଳିବା ପ୍ରାୟେ ଦିଶେ ରଘୁନାଥ ॥
ଉଛୁଡ଼ିବା ଘାଏ ଧନୁ ଗୋଟା ଲୋଚା ହୋଏ ।
ଗୁଣ କେ ବାଉଁଶ ବୋଲି ବାରଣ ନ ଯାଏ ॥
ଚକ୍ର ପ୍ରାୟେକ ଦିଶଇ ସେହି ଶରାସନ ।
ବଳୟ ଭିତରେ କି ରହିଲା ବଳମାନ ॥
କଟ କଟ କରି ରାମ ବାମେ ଧନୁ ଧରି ।
ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତେ ଆଣନ୍ତେ ଓଟାରି ॥
ଏସେନକ ସମୟେ ଶ୍ରୀରାମ-ବାମ-କର ।
ଦକ୍ଷିଣ ଭୁଜକୁ ସେହି କହଇ ଉତ୍ତର ॥
ସଂଗ୍ରାମ କାଳରେ କିପାଁ ପଛକୁ ପଳାଉ ।
ତୋହର ପରା ଲୋକ ନିଶତ କିପାଁ ହେଉ ॥
ଦକ୍ଷିଣ ଭୁଜ ବୋଲଇ ତାକୁ ଏହା ଶୁଣି ।
ତୁ ଯାହା ବୋଇଲୁ ହୋ ନୁହଇ ଏହୁବାଣୀ ॥
ମୁହିଁ ସଂଗ୍ରାମରେ କିପାଁ ଦେବି ପଛଘୁଞ୍ଛା ।
କେଉଣସି କାଳରେ ନୁହଇ ପଛଲୁଚା ॥
ଫାଳା ମେଲିବାରେ ତୁହି ମୋତେ ପଛ କରି ।
କରବାଳ ଘେନି ମୁହିଁ ଆଗ ଥାଟ ମାରି ॥
ଯେବଣ କାରଣେ ମୁହିଁ ପଛକୁ ଅଇଲି ।
ଶ୍ରୀରାମଚନ୍ଦ୍ର ଦକ୍ଷିଣକର୍ଣ୍ଣରେ କହିଲି ॥
କରୁଣାସାଗର ଅଟନ୍ତି ଯେ ରଘୁନାଥ ।
ଛେଦିବେ କି ନ ଛେଦିବେ ଏହା ଦଶମାଥ ॥
ସତ ପଚାରିବାକୁ ଯେ ଆସିଅଛି ମୁହିଁ ।
ଆଜ୍ଞା ହୋଇଲେ ଶତ୍ରୁକୁ ମାରିବଇଁ ଯାଇଁ ॥
ଏସନକ ସମୟେ ଯେ ବିଶ୍ରବା-ତନୟ ।
ବ୍ରହ୍ମଶର ଦେଖିଣ ଯେ କଲା ମହାଭୟ ॥