ପୃଷ୍ଠା:Typical selections from Oriya literature.pdf/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୩୪
ଓଡ଼ିଆ ସାହିତ୍ୟ-ପରିଚୟ

ଭାଳିଲା ରଘୁନାଥ ଜାଣିଲେ ମୃତ୍ୟୁଭେଦ ।
ଏହିକ୍ଷଣି ସରିବ ମୋ ଏଡେକ ସମ୍ପଦ ।
ଏତେକ ବିଚାରି ଦଶଭୁଜେ ଧନୁ ଧରି ।
ଅପ୍ରମିତ ନାରାଚ ବିନ୍ଧିଲା କୋପ କରି ।
ଲକ୍ଷ ଲକ୍ଷ କୋଟି କୋଟି ବେଳେକେ ପେଷଇ ।
ପ୍ରଳୟକାଳେ ଯେସନେ ମେଘ ବରଷଇ ।
ନନ୍ଦୀଘୋଷ ରଥ ଯେ କାଣ୍ତରେ ଲୁଚାଇଲା ।
ମାତଳି ଦେହେ କୋଡିଏ ନାରାଚ ମାଇଲା ।
ଲକ୍ଷେକ ନାରାଚ ସେ ଯେ ଶ୍ରୀରାମଙ୍କୁ ବିନ୍ଧି ।
ମଞ୍ଚ‌ହୁଁ ଆକାଶ ପରିଯନ୍ତେ ଶର ସନ୍ଧି ।
ବିଭୀଷଣକୁ ଲକ୍ଷେକ ହ‌ନୁକୁ ଯେ ଶଏ ।
ଅଙ୍ଗଦକୁ ଷାଠିଏ ବିନ୍ଧିଲା ଲଙ୍କରାୟେ ।
ସୁଗ୍ରୀବ‌କୁ ସ‌ହସ୍ରେକ ଜାମ୍ବବକୁ ଅଶୀ ।
ନଳ ନୀଳକୁ ଯେ ଦୁଇଶତ ବାଣ ପେଷି ।
ସୁଷେଣେ ପଞ୍ଚାଶ ଗନ୍ଧମାଦନ‌କୁ ଷୋଳ ।
ହାଙ୍କିଣ ନାରାଚ ଯେ ବିନ୍ଧଇ ଲଙ୍କପାଳ ।
ତାରାକ୍ଷ୍ୟକୁ ଚାଳିଶ ଯେ ରମଣକୁ ଦଶ ।
ଶଉରୀ ସେନାପତିକି ବିନ୍ଧି ଅଠାଇଶ ।
ଶତବାଳି ଆଠଶତ ନଳକୁ ଯେ ବାର ।
ମହୀନ୍ଦ୍ରକୁ କୋଡିଏ ଦ୍ୱିବିଦକୁ ଏଗାର ।
ସାରାଶକୁ ସାତଗୋଟା ପାରାଶକୁ ଚାରି ।
ବଳିମୁଖେ କାଳିମୁଖେ ପାଞ୍ଚ ପାଞ୍ଚ ମାରି ।
ଦ‌ଧିମୁଖେ ଦଶ କାଳିଞ୍ଜନ‌କୁ ଯେ ଶଏ ।
ସମ୍ପାତିକି ସତର ବିନ୍ଧଇ ଦୈତ୍ୟରାୟେ ।
ପବନ‌କୁ ଅୟୁତେ ଯେ କେଶରୀକି ଅଶୀ ।
ଦଶକାଳବୃଦ୍ଧକୁ ମାଇଲା ଅଠାଇଶି ।
ବସନ୍ତକୁ ଚଉଦ ଯେ ଡାଳିମ୍ବକୁ ବାର ।
ଚନ୍ଦନ ଋଷଭକୁ ମାଇଲା ତେର ତେର ।
ଯେତେ ଋକ୍ଷ କପି ରଣ ମଧ୍ୟେ ରହିଥିଲେ ।
ସମସ୍ତଙ୍କୁ ପାଞ୍ଚ ପାଞ୍ଚ ନାରାଚ ମାଇଲେ ।
କାହାକୁ ବାବଲ କାହାକୁ ଯେ ଦିବ୍ୟ ଶସ୍ତ୍ର ।
କାହାକୁ ଅସୁରାସ୍ତ୍ର କାହାକୁ ପାଶୁପତ ।
ବିଚାରିଲା ମୁହିଁ ଯେ ପଡ଼ିବି ରାମ-ବାଣେ ।
ମାରି ମରଇ ଯେବେ ଏଥିରୁ ଭଲ ଜଣେ ।