ପୃଷ୍ଠା:Typical selections from Oriya literature.pdf/୧୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୩୫
ଓଡ଼ିଆ ସାହିତ୍ୟ-ପରିଚୟ

ମାରିକରି ମଲା ବୋଲି ସମସ୍ତେ ଜାଣିବେ ।
କ୍ଷତ୍ରିପଣ କଲା ବୋଲି ପଛେ ସୁମରିବେ ।
ଶ୍ରୀରାମ ଏ ବେଳେ ନ ପାରିବ ଶସ୍ତ୍ର ଛେଦି ।
ପ୍ରତିଶସ୍ତ୍ର କରିବାକୁ ନାହିଁ କାରେ ବୁଦ୍ଧି ।
ଏତେବେଳେ ମୁହିଁ ମାରି ପାରିଲେ ପାରିବି ।
ଅଷ୍ଟସେନାରୁ ଆଜ ଗୋଟିଏ ସଂହାରିବି ।
ଏତେ ବୋଲି ରାଗେଣ ସେ ଶରବୃଷ୍ଟି କଲା ।
ସବୁନ୍ତି ସେ ପାଞ୍ଚ ପାଞ୍ଚ କରିଣ ମାଇଲା ।
କାହାକୁ ବାବଲ ଯେ କାହାକୁ ଦିବ୍ୟଶସ୍ତ୍ର ।
ରୋଷେଣ ମାରଇ ସେ ଯେ ବିଶ୍ରବାର ଶିଷ୍ୟ ।
ଶ୍ରୀରାମଙ୍କୁ ଲକ୍ଷେ ବାଣ କୋପେଣ ମାଇଲା ।
ମନ୍ତ୍ରପଢ଼ି ବେଗକରି ବାଣ ପ୍ରହାରିଲା ।
କୋଦଣ୍ତ କାଣ୍ତ ଛେଦିବା ପାଇଁ ଚକ୍ର ଶଏ ।
ବ୍ରହ୍ମଶସ୍ତ୍ରକୁ ସେ ଶସ୍ତ୍ର ପ୍ରତିତୁଲ କିଏ ।
ଧନୁଗୁଣ ଖେଦିବାକୁ ପେଷେ ତୀକ୍ଷ୍ଣଶର ।
ବ୍ରହ୍ମ‌ବାଣ ପେଷେ ଛେଦିବାକୁ ରହୁବର ।
ରଡ଼ି ଛାଡ଼ି ଗର୍ଜିଣ ବିନ୍ଧିଲା ଯହୁଁ ବାଣ ।
ଧାଇଁଲେ ଶସ୍ତ୍ରମାନେ ଶବଦ ଗରୁଟାଣ ।
ନାରାଚ ଶୂନ୍ୟେ ଆସନ୍ତେ ଲକ୍ଷ୍ମଣ ଚାହିଁଲେ ।
ଏକା ବାବଲଶରେ ସେ ଛେଦି ପକାଇଲେ ।
ଦେଖିଣ ଦେବତାଏ ଯେ ସାଧୁ ସାଧୁ କଲେ ।
ଧନ୍ୟ ଧନ୍ୟ ଲକ୍ଷ୍ମଣ ତୁ ବୋଲିଣ ବୋଇଲେ ।
ଏସନ‌କ ସମୟେ ଶ୍ରୀରାମଚନ୍ଦ୍ର ରାୟେ ।
ଧନୁର୍ବେଦ ପଢ଼ିଣ ସେ ବ୍ରହ୍ମଶସ୍ତ୍ର କିଏ ।
ନାରାଚ ଛାଡ଼ିଲେ ସେ ହୁଁକାର ଧ୍ୱନିକରି ।
ଶସ୍ତ୍ର ଚଳି ଆସନ୍ତେ କମ୍ପିଲା ବସୁନ୍ଧରୀ ।
ଦଶଦିଗପାଳ ଦେଖି ବୁଜିଲେ ନୟନ ।
ଜଳି ଆସୁଅଛି କି ପ୍ରଳୟ ହୁତାଶନ ।
ଯେତେକ ଶସ୍ତ୍ର ରାବଣ ପ୍ରତିତୁଲ କଲା ।
କେବଣ ମତେ ତାକୁ ନିବାରି ନ ପାରିଲା ।
ଭାଗ୍ୟଥିଲା ପ୍ରାଣିଙ୍କି ଯେ ନ କାଟଇ ଖଣ୍ତା ।
ଭାଗ୍ୟଥିଲା କାଳରେ ସେ ଆଜ୍ଞାଏ ପ୍ରଚଣ୍ତା ।
ଯେବଣ କାଳେ ରାବଣ କନ୍ଧେ ଲକ୍ଷ୍ମୀ ଥିଲା ।
ବ୍ରହ୍ମାହିଁ ଆସି ତାକୁ ପ୍ରବୋଧ କ‌ହୁଥିଲା ।