ପୃଷ୍ଠା:Typical selections from Oriya literature.pdf/୧୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୦
ଓଡ଼ିଆ ସାହିତ୍ୟ-ପରିଚୟ

ତୁହି ଯେବେ ଦଶଦିଗେ ନ ଯିବୁ ରେ ନାରୀ ।
ଭରତ ଲକ୍ଷ୍ମଣ ଭ୍ରାତା ଅଟନ୍ତି ମୋହରି ।
ଏହାଙ୍କର ଘରଣୀ ହୋଇଣ ଘର କର ।
ଉଚିତ ନୋହିଲେ ବିଭୀଷଣକୁ ତୁ ବର ।
ଏ ଲଙ୍କା ନ‌ଗ୍ରକୁ ଗୋ ବିଳାସ ସୁଖେ ଥାଇ ।
ତୋହଠାରେ ମୋହର ଗୋ କାର୍ଯ୍ୟ ଆଉ ନାହିଁ ।
ସୁଗ୍ରୀବ ଅଙ୍ଗଦ ହ‌ନୁ ଜାମ୍ବବକୁ ଚାହିଁ ।
ଯେ ମ‌ନ‌କୁ ରୁଚଇ ଗୋ ବର ତାକୁ ଯାଇଁ ।
ଶୁଣି ବଇଦେହୀ ଉଚ୍ଚେ ରୋଦନ ଯେ କଲା ।
ଶ୍ରୀରାମର ମୁଖ ଚାହିଁ ବଚନ ବୋଇଲା ।
ଋଷିଙ୍କର କୁଳେ ମୁହିଁ ହୋଇଅଛି ଜାତ ।
ରଘୁନାଥଙ୍କୁ ଯେ ବିଭା ଦେଲେ ମୋର ତାତ ।
ନଟନାରୀଙ୍କର ପ୍ରାୟେ ମୋତେ ତୁ ବିଳହୁଁ ।
ଏତେକ ନ ଜାଣିମା ପଣେ କି ପ୍ରଭୁ କ‌ହୁ ।
ଭୋ ଶତ୍ରୁଜିତ ମୁହିଁତ ନରେନ୍ଦ୍ରର ରାଣୀ ।
ଦୁଇକୁଳେ ବିଶୁଦ୍ଧା ଜଗତେ ମୋତେ ଜାଣି ।
ଏବେ ଅବିଗୁଣ ଘେନି ମୋତେ କୋପ କରି ।
ହାନି ଲାଭ କଥାକୁତ ବିଚାର ନ କରି ।
ଭୋ ସ୍ୱାମି ମୋହର ବୋଲ ଏବେ ତୁହି ଶୁଣ ।
ଆନ ନାରୀଙ୍କର ପ୍ରାୟେ ମୋତେ ତୁ ନ ମଣ ।
ଶ୍ରୀରାମ ବୋଇଲେ ଯେ କିଞ୍ଚିତ କୋପ କରି ।
ନାରୀଜାତିଙ୍କି ବିଶ୍ୱାସ ଯିବା କେଉଁପରି ।
ନୁହଇ ମୁଁ କୁପୁରୁଷ ନ ନେବଇଁ ତୋତେ ।
ସତ୍ୟ କଥା କ‌ହୁଅଛି ମୁଁ ତୋର ଅଗ୍ରତେ ।
ଶୁଣି କୋପ କରିଣ ବୋଇଲେ ବଇଦେହୀ ।
ଆନ ନାରୀ ପ୍ରାୟ ମୋତେ ନ ମଣ ଗୋସାଇଁ ।
ତୁ ଏବେ ପରୀକ୍ଷା କରି ମନମଧ୍ୟେ ବୁଝ ।
ଇହଲୋକ ପରଲୋକ ଦୁଇ ଲୋକ ଶୁଝ ।
ତିନିପୁର ଲୋକଙ୍କୁ ତୁ ଜିଣସି ଗୋସାଇଁ ।
ଜଳନ୍ତାଅନଳେ ମୁହିଁ ପଶିବି ଝସାଇ ।
ଭୋ ଲକ୍ଷ୍ମଣ ବେଗେ ଅଗ୍ନି ଆରୋପଣ କର ।
କିପାଇଁ ତୁମ୍ଭେ ମୋତେ ଯେ ଅବିଗୁଣ ଧର ।
ଏ ମୋହର ପ୍ରାଣପତି ପ୍ରତେ ଯେହ୍ନେ ଯାଇଁ ।
ତାହା ମୁହିଁ କରିବି ଯେ କଥା ଥାଉ ରହି ।