ପୃଷ୍ଠା:Typical selections from Oriya literature.pdf/୧୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୧
ଓଡ଼ିଆ ସାହିତ୍ୟ-ପରିଚୟ

କିପାଇଁ ଅଗ୍ନି ସଂଯୋଗ ନ କରୁ ଲକ୍ଷ୍ମଣ ।
ଅଗ୍ନି ଜାଳି ଦିଅ ମୁଁ ପଶିବି ଏହିକ୍ଷଣ ।
ଶୁଣିଣ ସଉମିତ୍ରି ଶ୍ରୀରାମର ମୁଖ ଚାହିଁ ।
ଦୃଷ୍ଟି ଅନୁମତେ ଯେ ଶ୍ରୀରାମ ଦେଲେ କହି ।
ରଘୁନାଥ ସନମତ ଜାଣିଲା ଲକ୍ଷ୍ମଣ ।
ଥାଟ ପେଷି କାଠ ବ‌ହି ଆଣିଲେ ବ‌ହନ ।
ତ୍ରୋଣ ଅଗ୍ନିବାଣ ଯେ କାଢ଼ିଣ ଜାଳି ଦେଲା ।
ପ୍ରଖର ଅନଳରାଶି ଜଳିଣ ଉଠିଲା ।
ବିଭୀଷଣ ଘରୁ ଘୃତ ଅଣାଇଲା ଧାତି ।
ଜଳନ୍ତା ହୁତାଶନର ଉପରେ ଢ଼ାଳନ୍ତି ।
ବିକରାଳ ହୋଇ ଅଗ୍ନି ଜଳିଲା ବହନ ।
ତପତିର ଘାଏ ଦୂର ହୋଇଲେ ସଇନ ।
ଦେଖିଣ ଜାନ‌କୀର ପରମ ତୋଷ ଚିତ୍ତ ।
ପୂର୍ବମୁଖ ହୋଇଣ ବୋଲନ୍ତି ସେ ଏମନ୍ତ ।
ଶ୍ରୀରାମହୁ ମନରେ ମୋହର ଆନ ଥାଇ ।
ଭୋ ହୁତାଶନ ଦେବତା ପକା ମୋତେ ଦହି ।
ଏସନେକ ବୋଲିଣ ପାଣିକି ଯେହ୍ନେ ପଶି ।
ଜଳନ୍ତା ହୁତାଶନରେ ବଇଦେହୀ ଝାସି ।
ଦେଖିଣ ହାହାକାର ସକଳ ଲୋକ କଲେ ।
ନିଶ୍ଚୟ ଜାନ‌କୀ ପ୍ରାଣ ନାଶିବ ବୋଇଲେ ।
କିପାଇଁ ରଘୁନାଥ ଯେ କଲେ ପାପକର୍ମ ।
ଜାଣିଲେ ସତେ ଲୋକ‌କୁ ଝିଙ୍ଘାସଇ ଧର୍ମ ।
ଯାହାର ନିମନ୍ତେ ଗୋ ଏଡ଼େକ କର୍ମ ହେଲା ।
ସେ ମହାସତୀକି ଅଗ୍ନି ମଧ୍ୟେ ପୋଡ଼ି ଦେଲା ।
ରକ୍ଷଅସୁରୀଙ୍କର ବୋବାଳି ଅପ୍ରମାଣ ।
ବୋଇଲେ ଏଡେ ନିର୍ଦୟ ଅଟେ ରାମରାଣ ।
ଆମ୍ଭଙ୍କୁ ମାଣ୍ତୁ ନ ଦେଲା ଅଗ୍ନି ସର୍ପଘଟ ।
କିପାଇଁ ଜାନ‌କୀକି ସେ ଦେଲା ଏଡ଼େ କଷ୍ଟ ।
ମନ୍ଦୋଦରୀ ସହିତେ ଯେତେକ ନାରୀମାନେ ।
ଡରେ ଥରହର ଯେ ଭାଳନ୍ତି ମନେ ମନେ ।
ବିଚାରନ୍ତି ଶ୍ରୀରାମର ନାହିଁ ନା ଉପ୍ରୋଧ ।
କିପାଇଁ ସେ ରାବଣକୁ ନ କରିବ ବଧ ।
ଲଙ୍କା-ରାକ୍ଷସ-ରାକ୍ଷସୀ ରୋଦନ କରନ୍ତି ।
ଶ୍ରୀରାମକୁ ମନେ ବଇରାଗ ସେ ଧରନ୍ତି ।