ଧୂମର ଘାଏ ନୁଆରି ତୁଲେ ଦୃଷ୍ଟି ଦେଇ ।
ନିଅ ବୋଲି ବେଢ଼ିଣ ବୁକୁରେ କୋଡ଼ି ହୋଇ ।
ଏସନ ବେଳେ ଜଳନ୍ତା ହୁତାଶନ ମଧ୍ୟେ ।
ପୁରୁଷେକ ଦିଶିଲା ଦେଖିଲେ ସୁରସିଦ୍ଧେ ।
ଅଗ୍ନିର ଭିତରୁ ସେହି ହୋଇଲା ବାହାର ।
ଅଗ୍ନିପ୍ରାୟେକ ଯେ ଦେହ ଦିଶଇ ତାହାର ।
ସୀତାଙ୍କୁ ଆଗ କରି ଶ୍ରୀରାମ ଆଗେ କହି ।
ଏ ସେ ଅପାପୀ ଅଟଇ ଜାଣ ବଇଦେହୀ ।
ଏମନ୍ତ କୃତ୍ୟ ଦେଖି ଦେଖଣାହାରୀମାନେ ।
ଉବୁରା ଉବୁରି ହୋଇ ଧାମନ୍ତି ବହନେ ।
ହୁତାଶନକୁ ବେଢ଼ିଣ ଶୁଣନ୍ତି ସମ୍ବାଦ ।
ସମସ୍ତ ଲୋକେ ହୋଇଣ ଅଛନ୍ତି ସ୍ତବଧ ।
ଅଗ୍ନିର ଭିତରେ ଥାଇ ବୋଳଇ ପୁରୁଷ ।
ଭୋ ଦେବ ଜାନକୀର ଯେ କିଛି ନାହିଁ ଦୋଷ ।
ଏହା ମୁଁ ସମ୍ପୂର୍ଣ୍ଣରୂପେ କହୁଅଛି ତୋତେ ।
ମାନବ ଯୋନିରେ ତୁ ଯେ ନ ଚିହ୍ନିଲୁ ମୋତେ ।
ମୁହିଁ ତୋତେ ଜାଣଇ ତୁ ପରମପୁରୁଷ ।
ଅନନ୍ତ ମୁରତି ସ୍ୱୟଂ ବିଷ୍ଣୁ ପୀତବାସ ।
ଏହି ସୀତା ଅଟଇ ପ୍ରତ୍ୟକ୍ଷେ କମଳିନୀ ।
ନିଷ୍କଳଙ୍କ ପ୍ରତିମା ଏ ବିଷ୍ଣୁପାଟରାଣୀ ।
ଦେବସ୍ତିରୀମାନେ ନୁହନ୍ତି ଏହାକୁ ସରି ।
ପରମବୈଷ୍ଣବୀ ଏହି ଜନକକୁମାରୀ ।
ଅଗ୍ନିର ଶିଖାକୁ ଏହି ଲଙ୍ଘିତ ପାରିବ ।
ଏ କଥା ଗୋଟି ଯେ ସତ୍ୟ ନ ଭାଳ ରାଘବ ।
ସୀତା କମଳିନୀ ଜାଣ ଅଗ୍ନିର ସମାନ ।
ଏହା ଛୁଇଁବାକୁ କି ଭାଜନ ଦଶାନନ ।
ମତ୍ତଗଜଗାମିନୀ ଏ କମଳାଆନନୀ ।
ଦରିଦ୍ର ଜନଙ୍କର ଏ ଦୁଃଖବିନାଶିନୀ ।
ମୁହିଁ ହାଦେ ବୋଲୁଛି ଏହାର ପାପ ନାହିଁ ।
ପ୍ରତିଗ୍ରହ କର ଏ ସୀତାକୁ ତୋଷ ହୋଇ ।
ସେ ପୁରୁଷ ବଚନେ ଶ୍ରୀରାମ ତୋଷ ହେଲେ ।
ଆସ ଆସ ଜାନକୀ ଗୋ ବୋଲିଣ ବୋଇଲେ ।
ସୀତାକୁ ସମର୍ପି ସେ ପୁରୁଷ ଅନ୍ତର୍ଦ୍ଧାନେ ।
ସାଧୁ ସାଧୁ ବୋଇଲେ ଦେଖଣାହାରିମାନେ ।
ପୃଷ୍ଠା:Typical selections from Oriya literature.pdf/୧୭୯
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୩
ଓଡ଼ିଆ ସାହିତ୍ୟ-ପରିଚୟ