ପୃଷ୍ଠା:Typical selections from Oriya literature.pdf/୧୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୬
ଓଡ଼ିଆ ସାହିତ୍ୟ-ପରିଚୟ

ଏକର କ‌ହ‌ନ୍ତେ ଯେ ଆରେକ ତାହା ଜାଣି ।
ଯତନେହେଁ ଲୋକ ଯେ ଅଇଲେ ଗୀତ ଶୁଣି ।
ଯେ ଯାହାର ଘର-ଦ୍ୱାର ତେଜି ସର୍ବଜନ ।
ସେ ଗୀତ ଶୁଣିବାକୁ ଯେ ଅନୁକ୍ଷଣେ ମନ ।
ସନ୍ଧ୍ୟାବେଳେ ପୋଏ ତ‌ହୁଁ ଘରକୁହିଁ ଯାନ୍ତି ।
ପୁଣିହି ସେ ସିଂହଦ୍ୱାରେ ପ୍ରଭାତେ ଗାବନ୍ତି ।
ଏମନ୍ତେହେଁ କେତେକ ଦିନ ଯେ ତ‌ହୁଁ ଗଲା ।
ନୂଆ ଗୀତ ବୋଲି ଲୋକେ ଶବଦ ଶୁଭିଲା ।
ସ୍ନେହେଗେଲେ ନୃପ‌ତିର ଲୋକ ଶୁଣି ଯାନ୍ତି ।
ବାଟେ ଯାଉଁ ଯାଉଁ ଋଷିମାନେ ଯେ ଶୁଣନ୍ତି ।
ପ୍ରଜାମାନେ ଯ‌ହୁଁ ଆସି ଶୁଣନ୍ତି କର୍ଣ୍ଣରେ ।
ଚାରଗଣେ କ‌ହ‌ନ୍ତି ଯେ ଶ୍ରୀରାମ-ଆଗରେ ।
ଭୋ ରଘୁନନ୍ଦନ ବୀରବର ଚକ୍ରବର୍ତ୍ତୀ ।
ଗ୍ରନ୍ଥେକ କରିଛନ୍ତି ବାଲ୍ମୀକି ମହାଯତି ।
ଋଷିକୁମାର ଯେ ଦୁଇଗୋଟି ଆସିଛନ୍ତି ।
ସିଂହଦ୍ୱାରେ ବସିଣ ସେ ନିତି ଗୀତ ଗାନ୍ତି ।
ଅନେକ ଦିନ ହେଲାଣି ଆସିବା ତାଙ୍କର ।
ସବୁ ଗୀତ ଦେବ ଅଟେ ଚରିତ ତୁମ୍ଭର ।
ଋଷ୍ୟଶୃଙ୍ଗ-ଯଜ୍ଞ ଆଉ ତାଡ଼କୀ-ବିନାଶ ।
ଶିବଧନୁ-ଭଗ୍ନ ସୀତା-ବିଭା ବନ‌ବାସ ।
ରାବଣ ବିଧ୍ୱଂସିବା ସ‌ହିତେ ଦେବଅଛି ।
ଅମୃତରସ ପ୍ରାୟେକ ଶ୍ରବଣର ରୁଚି ।
ଚାର କ‌ହ‌ନ୍ତେ ଶ୍ରୀରାମ ହେଲେ ସାବଧାନ ।
ହୋଇ ଦେବ ଏକ‌ଥା କ‌ହ‌ନ୍ତି ରାଜଗଣ ।
ଏ ତୋର ଚରିତ ଗୀତ ବାଲମୀକ କଲା ।
ରାମାୟଣ ବୋଲିଣ ସେ ଗ୍ରନ୍ଥ ନାମ ଦେଲା ।
ବାଳପୁଅ ଦୁଇଗୋଟି ନିତ୍ୟେ ଗାଉଛନ୍ତି ।
କିଜାଣି ଅମୃତରସ ଶ୍ରବଣେ ଦିଅନ୍ତି ।
ମୁନିମାନେ କ‌ହିଲେ ଅମୃତରସବାଣୀ ।
ଶୁଣିଣ ହରଷ ଯେ ହୋଇଲେ ରଘୁମଣି ।
ଡଗରାକୁ ଆଜ୍ଞା ଦେଲେ ବେଗେ ଆଣ ଯାଇଁ ।
ଆଜ୍ଞାପ୍ରମାଣେ ଡଗରା ଗଲା ବେଗେ ଧାଇଁ ।
ସିଂହଦ୍ୱାରେ ଯାଇଁ ଲବ‌କୁଶକୁ ଭେଟିଲେ ।
ଠାକୁରଙ୍କର ହକରା ବୋଲିଣ ବୋଇଲେ ।