ପୃଷ୍ଠା:Typical selections from Oriya literature.pdf/୧୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୬୨
ଓଡ଼ିଆ ସାହିତ୍ୟ-ପରିଚୟ

କୋଇଲି ବୃନ୍ଦାବନ ନ ଶୋଭଇ ମୋର ।
ବତ୍ସା କିଏ ଚରାଇବ ଯମୁନାର ତୀର ଲୋ ।
ବିନୟ ହୋଇଣ ପୁଣ ପାର୍ଥ ପଚାରଇ ।
ବ ଅକ୍ଷର ଅର୍ଥ ମୋତେ କ‌ହ ଭାବଗ୍ରାହୀ ।
ବୃନ୍ଦାବନ ଗୋଟା ପାର୍ଥ ଦେହକୁଟି କ‌ହି ।
ବତ୍ସା ବୋଲି କରି ପାର୍ଥ ପ୍ରକୃତି ଅଟଇ ।
ପିଣ୍ତରୁ ପରମ ଜୀବ ଅନ୍ତର ହୋଇଲା ।
ବୃନ୍ଦାବନ ତେଣୁ କରି ଅଶୋଭା ଦିଶିଲା ।
ବ ଅକ୍ଷର ଅର୍ଥ ଶୁଣି ଅର୍ଜୁନ ସନ୍ତୋଷ ।
କୃଷ୍ଣର ହୋଇଣ ପୁଣି କ‌ହେ କୃଷ୍ଣ-ଦାସ ।
କୋଇଲି ଶ୍ରୀମ‌ନ୍ତ ପୁରୁଷ ମୋ ମାଧୋଇ ।
ଶିରୀରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ ।
ଶ୍ରୀନୀଳକନ୍ଦର ପାର୍ଥ ଜୀବର ଆସନ ।
ଶ୍ରୀମନ୍ତ ପୁରୁଷ ଗଲେ ପିଣ୍ତ ହୁଏ ଲୀନ ।
ନୀଳ ଯେ ମାଧବ ରୂପ କଣ୍ଠ ମଧ୍ୟେ ଥିଲା ।
ବ୍ରହ୍ମା ଶବଦେକ ପ୍ରାଣ ସେହି ଛାଡ଼ିଗଲା ।
ମୃତ୍ୟୁପିଣ୍ତ କରି ଜୀବ ଛାଡ଼ିକରି ଗଲା ।
ନନ୍ଦର ପରମ ଜୀବ ଛାଡ଼ି ଚଳିଗଲା ।
କୋଇଲି ସାତଦିନ ଇନ୍ଦ୍ର ବୃଷ୍ଟି କଲା ।
ସପତବରଷ ପୁତ୍ର ମନ୍ଦର ଧଇଲା ଲୋ ।
ସପତ ଦଣ୍ତରେ ପିଣ୍ତୁ ପ୍ରାଣ ଛାଡ଼ି ଯାଇ ।
ତେଣୁ କରି ସାତଦିନ ଶାସ୍ତ୍ରେ ଅଛି କ‌ହି ।
ସାତବାର ଭିତରେ ଏ ଆତ‌ଯାତ ହୋଇ ।
ସପତ ବରଷେ ପାର୍ଥ ବ୍ରହ୍ମଜ୍ଞାନ ପାଇ ।
ଜଳରୁ ଜନ୍ମଇ ପିଣ୍ତ ଜଳରେ ଯେ ନାଶ ।
ସପତ ଦଣ୍ତରେ ପାର୍ଥ ଘୋଟଇ ଆକାଶ ।
ଶୁଣି କରି ଅର୍ଜୁନ ଯେ ହୋଇ ଦିବ୍ୟ ତୋଷ ।
ସ ଅକ୍ଷର ଅର୍ଥ ମୋତେ କ‌ହ ପୀତବାସ ।
କୋଇଲି ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ ।
ସେହିପରି କ୍ଷୀଣ ହେଲେ ନନ୍ଦ ଯେ ରାଜନ ଲୋ ।
ଶଶୀ ଚନ୍ଦ୍ର ଯେହ୍ନେ ପାର୍ଥ ଆକାଶରେ ଥାଇ ।
କଳଙ୍କ ମିଶିଲେ ସେ ଯେ ନାଶହିଁ ନ ପାଇ ।