ପୃଷ୍ଠା:Typical selections from Oriya literature.pdf/୨୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୬୪
ଓଡ଼ିଆ ସାହିତ୍ୟ-ପରିଚୟ

SELECTIONS FROM
ଶ୍ରୀମଦ୍‌ଭାଗବତ
BY JAGANNATH DAS
ପ୍ରଥମ ଅଧ୍ୟାୟ (FIRST SKANDA)
(1)
ଗ୍ରନ୍ଥାରମ୍ଭ

ନମଇ ନୃସିଂହ-ଚରଣ । ଅନାଦି ପରମକାରଣ ।
ଯାହାର ଆଦି ମଧ୍ୟ ଅନ୍ତେ । ବିଚାର ନ ଘଟେ ଜଗତେ ।
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସତ୍ୟ ଯେ ନିତ୍ୟ ପ୍ରକାଶଇ ।
ଆନନ୍ଦ ମନେ ବେଦସାର । ବ୍ରହ୍ମାରେ କଲା ଯେ ବିସ୍ତାର ।
ଯାର ସ୍ୱରୂପ ହୃଦେଚିନ୍ତି । ବେଦପୁରୁଷେ ନ ଜାଣନ୍ତି ।
ମୃତ୍ତିକାବିକାରେ ଯେମନ୍ତ । ଜଳେ ଅନଳେ ସୁଯନ୍ତ୍ରିତ ।
ରୂପ, ଅରୂପ, ସ୍ଥିତି, ତିନି । ଯାହା ଗୋଚରେ ଅନୁମାନି ।
ସ୍ୱଭାବେ ନୁହେ ଯେ ଏମନ୍ତ । ଏ ସାଙ୍ଖ୍ୟ ଯୋଗିଙ୍କର ମତ ।
ଆତ୍ମ‌ପ୍ରକାଶେ ଛନ୍ନ ହୋଇ । ନିରସ୍ତକୁ‌ହ‌କ ବୋଲାଇ ।
ସତ୍ୟ ପରମାନନ୍ଦ ହରି । ଯାହା ଭାବିଲେ ଭବୁଁତରି ।
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସୁଜ୍ଞଜନ ।
ସେ ହରି ନ‌ବ‌ହୃଦେ ଧରି । ପ୍ରବନ୍ଧେ ଗୀତ ନାଦ କରି ।
ଅଶେଷ ଜଗତର ହିତେ । ବନ୍ଦଇ ଦାସ ଜଗନ୍ନାଥେ ।
ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାବଗତେ ।
କ‌ହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ।
କପଟ ଧର୍ମ ଯ‌ହିଁ ନାହିଁ । ସ୍ୱଭାବେ ଶାସ୍ତ୍ର ସେ ବୋଲାଇ ।
ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧ କର୍ମ ।
ଯେ ଧର୍ମ ଯେହୁ ଅନୁମାନି । ଏଣୁ ସଂସାରେ ଯେତେ ଜ୍ଞାନୀ ।
ତାଙ୍କ ବିଚାରେ ବସ୍ତୁ ଯେତେ । କ‌ହିବା ଶୁଣ ଏକଚିତ୍ତେ ।
ଲକ୍ଷ ଅଲକ୍ଷ ଯେତେ ଜାଣି । ବୋଧ ବିଚାରେ ପରିମାଣି ।
ଯେ ବସ୍ତୁ ଅଛି ‌ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ।
ଶ୍ରବଣମାତ୍ରେ ମୋକ୍ଷ ପାଇ । କ୍ରିତାପମାନ କ୍ଷୟ ଯାଇ ।
ହୃଦରେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ।
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ।
ଏ ଭାଗବତର ମହିମା । କେ କ‌ହିପାରେ ଗୁଣସୀମା ।