ସ୍ୱଭାବେ ମନ୍ଦବୁଦ୍ଧି ହୋନ୍ତି । ପ୍ରାଣୀଙ୍କୁ ଉପଦ୍ରବ ଚିନ୍ତି ।
ଯୁଗ ବେଭାର ପରିମାଣି । ସକଳ ଧର୍ମ ଆମ୍ଭେ ଜାଣି ।
ଏ ପ୍ରଶ୍ନ ଶୁଭ ଆମ୍ଭମତେ । ସାର ଉଦ୍ଧାରି ତୁମ୍ଭଚିତ୍ତେ ।
କହ କେମନ୍ତେ ପ୍ରାଣୀଙ୍କର । ଏ ଘୋର ମାୟାରୁ ନିସ୍ତାର ।
ଯେଣେ ପ୍ରସନ୍ନ ହୋଇ ହରି । ଏ ଜୀବ ଆତ୍ମାକୁ ଉଦ୍ଧରି ।
ତୁମ୍ଭେ ଏ ପ୍ରଶ୍ନ ଯୋଗବଳେ । ପ୍ରକାଶ କର ମହୀତଳେ ।
କି ପ୍ରୟୋଜନେ ଜଗନ୍ନାଥ । ଦେବକୀ-ଉଦରେ ସମ୍ଭୂତ ।
ସେ ପ୍ରଶ୍ନ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁଁ ଜନହିତେ ।
ଘୋର ସଂସାରେ ପ୍ରାଣୀ ପଡ଼ି । ଆତ୍ମା-ନିସ୍ତାର ପଥହୁଢ଼ି ।
ଯାହାର ନାମ ଉଚ୍ଚାରିଲେ । ସଙ୍କଟୁଁ ତରିଯାନ୍ତି ଭଲେ ।
ଯାର ଜୀବ ତେଜହରେ । ସେ ହରି ନାମଶୁଣି ଡ଼ରେ ।
ଯାର ଚରଣ ଆଶ୍ରେ କରି । ପତିତ ହୋନ୍ତି ବ୍ରହ୍ମଚାରୀ ।
ଶୁଦ୍ଧ କରନ୍ତି ସର୍ବଜନେ । ଗଙ୍ଗା ଯେସନେ ସ୍ନାନ-ପାନେ ।
ଯାହାର ଗୁଣଯଶ ଶ୍ଳୋକେ । ପୁଣ୍ୟେ ରଣନ୍ତି ଏକେ ଏକେ ।
କଳି-କଳୁଷ ନ ଲାଗଇ । କେବା ନ ତରେ ଏହା ଗାଇ ।
ଯେ ଯଶ ଗାଇ ମୁନିଗଣେ । ସୁଖେ ତରନ୍ତି ଭବବଣେ ।
ଯେ ହରି ବ୍ରହ୍ମାଣ୍ତ ମଧ୍ୟରେ । ଲୀଳାଶରୀରେ ଅବତରେ।
କଳି-ଆଗମ-ଭୟ ଦେଖି । ସକଳସମ୍ପଦ ଉପେକ୍ଷି ।
ଏ ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ । କୃଷ୍ଣର କଥା ଅନୁକ୍ଷଣେ ।
କହି ତାରିବୁ ଭବମାୟା । ଭୋ ମୁନି କର ତୁମ୍ଭେ ଦୟା ।
ଆମ୍ଭର ପୂର୍ବ ପୁଣ୍ୟଫଳେ । ସଙ୍ଗ ହୋଇଲୁଁ ତୁମ୍ଭ ମେଳେ ।
ଏ ଭୟଙ୍କର କଳିକାଳେ । ଆମ୍ଭେ ଯେ ଅଛୁଁ ଭବଜଳେ ।
ଏ ଜଳୁଁ କର ତୁମ୍ଭେ ପାର । ବୋଇତେ ଯେହ୍ନେ କର୍ଣ୍ଣଧାର ।
ସେ ହରି ବ୍ରାହ୍ମଣବତ୍ସଳ । ସର୍ବ ଦେବଙ୍କ ଆଦିମୂଳ ।
ସକଳ ଧର୍ମ ଯାର ସଙ୍ଗେ । ସୁଖେ ବିହରେ ନାନାରଙ୍ଗେ ।
କଳି-ଆଗମେ ଭଗବାନ । ପଶିଲେ ଆପଣା ଭୁବନ ।
ସେ କାହିଁ ଶରଣ ପଶିବ । ଯେ ଧର୍ମ ସଂସାର ରଖିବ ।
ସେ କଥା କହ ମୁନିବର । ଆମ୍ଭ ସଂଶୟ ହେଉ ଦୂର ।
ଆତ୍ମାର ମାୟା ଯୋଗବଳେ । ବିହରେ ଅବନୀମଣ୍ତଳେ ।
ତାର ମହିମା ଶୁଣି ନିତ୍ୟେ । ତୋଷ ନ ଲଭେ ଆମ୍ଭଚିତ୍ତେ ।
ଜିହ୍ୱା ଯେସନେ ସୁଧାରସ । ଜୀବନ୍ତେ ନୁହଇ ସନ୍ତୋଷ ।
ଅନନ୍ତରୂପେ ଥାଇ ହରି । ବାହ୍ୟ ଅନ୍ତରେ କର୍ମ କରି ।
ଏମନ୍ତେ ନଇମିଷେ ଯେତେ । ସକଳ ମୁନିଙ୍କ ଅଗ୍ରତେ ।
ଶୌନକ ଆଦି ମୁନିଗଣେ । ଯେ ପ୍ରଶ୍ନ କଲେ ଜଣେ ଜଣେ ।
ପୃଷ୍ଠା:Typical selections from Oriya literature.pdf/୨୦୨
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୬୬
ଓଡ଼ିଆ ସାହିତ୍ୟ-ପରିଚୟ