ନିର୍ମଳ ବିଷ୍ଣୁର ଚରିତ । କୃଷ୍ଣ-ବିଷୟେ ଭାଗବତ ।
ସୁଜନ ଜନଙ୍କର ହିତେ । କହଇ ଦାସ ଜଗନ୍ନାଥେ ।
(2)
ପାଣ୍ତବଙ୍କ ପ୍ରତି ଅଶ୍ୱତ୍ଥାମାର ବ୍ରହ୍ମଶର
ଏବେ ହୋ ଶୁଣ ବିପ୍ରଗଣେ । ହରିଚରିତ ସାବଧାନେ ।
ଭକତ ପରୀକ୍ଷିତ-କଥା । ପଣ୍ତୁ-ତନୟଙ୍କ ବ୍ୟବସ୍ଥା ।
କୁରୁପାଣ୍ତବ-ଯୁଦ୍ଧ-ଅର୍ଥେ । ବୀରେ ମିଳିଲେ ବୀରପଥେ ।
ଭୀମର ଗଦାଘାତ ବାଜି । ଦୁର୍ଯ୍ୟୋଧନର ଜାନୁ ଭାଜି ।
ପଳାଇଗଲା ପ୍ରାଣ-ଡ଼ରେ । ଲୁଚିଲା ବ୍ୟାସ-ସରୋବରେ ।
ଏମନ୍ତେ ହୋଇଲା ରଜନୀ । କୁଳେ ଭାଳଇ ଭୟ ଘେନି ।
କାନ୍ଦଇ ଜୀବନ-ବିକଳେ । ଦ୍ରୋଣ-ନନ୍ଦନ ଦେଖି କୂଳେ ।
କହଇ ରାଜା-ମୁଖ ଚାହିଁ । ମୋତେ ନ ବରିଲୁ ଯେ ତୁହି ।
ଯୁଦ୍ଧେ ସକଳ ବୀର ମାରି । ଏ ଭୂମି ଅପାଣ୍ତବ କରି ।
ତୋତେ ବସାନ୍ତି ରାଜକୁଳେ । ଅଖଣ୍ତ ଅବନୀମଣ୍ତଳେ ।
ଶୁଣି କହଇ ନୃପବର । ଏବେ ତୁ ନିପାଣ୍ତବ କର ।
ଏବେ କରିଲି ସେନାପତି । ଫେଡ଼ ତୁ ମୋହର ଦୁର୍ଗତି ।
ଏମନ୍ତେ କହି ଅନ୍ଧବଳା । ତାହାର ହସ୍ତେ ଜଳ ଦେଲା ।
ଦ୍ରୋଣ-କୁମର ବେଗେ ଉଠି । ଧନୁକୁ ଧରି ଦୃଢ଼ ମୁଷ୍ଟି ।
ମନ୍ତ୍ରିଣ ନାରାଚ ପେଷିଲା । ପାଣ୍ତବ-ଗୃହେ ସେ ପଡ଼ିଲା ।
ଦ୍ରୋପଦୀ-ପଞ୍ଚସୁକୁମରେ । ଶୋଇ ଯେ ଥିଲେ ଅନ୍ତଃପୁରେ ।
ପଡ଼ି କାଟିଲା ତାଙ୍କ ଶିର । ଶବଦକଲା ମହାଘୋର ।
ପୁଣି କମ୍ପିଲେ ଦିଗପାଳ । ପୂରିଲା ଭୂମି-ଅନ୍ତରାଳ ।
ଅତି ଅନୀତି କର୍ମକଲା । ବିଧାତାବଳେ ଦ୍ରୋଣବଳା ।
ଦ୍ରୋପଦୀ ଶୟନ ଉପେକ୍ଷି । ପୁତ୍ର-ମରଣ ଦେଖି ଦୁଃଖୀ ।
ବିକଳେ କରଇ ରୋଦନ । ତା ପାଶେ ଥିଲେ ଯେ ଅର୍ଜୁନ ।
ଅନେକ ଶାନ୍ତିବାକ୍ୟ କହି । କହେ ଦ୍ରୌପଦୀ-ମୁଖ ଚାହିଁ ।
ଦ୍ରୋଣ-କୁମର-ଶିର ବାଣେ । କାଟି ସ୍ଥାପିବି ତୋ ଚରଣେ ।
ତେବେ ହରିବି ତୋର ଶୋକ । ତୁ ଏବେ ସ୍ଥିରଚିତ୍ତେ ଦେଖ ।
ଏମନ୍ତେ ମଧୁର ବଚନ । ଶାନ୍ତି କରାଇ ତାର ମନ ।
ଯାର ସାରଥୀ ଭଗବାନ । କେ ତାରେ କରେ ଅପମାନ ।
ଗାଣ୍ତିବ ଧନୁ ଧରି ହସ୍ତେ । ବସିଲା କପିଧ୍ୱଜ ରଥେ ।
ବେଗେ ଧାଇଁଲା ସଜ ହୋଇ । ଦେବେ ଗଗନେ ଛନ୍ତି ଚାହିଁ ।