ପୃଷ୍ଠା:Typical selections from Oriya literature.pdf/୨୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୧
ଓଡ଼ିଆ ସାହିତ୍ୟ-ପରିଚୟ

ଏବେ ହୋ ଶୁଣ ବିପ୍ରଜନେ । କୃଷ୍ଣ-ମହିମା ଶୁଦ୍ଧ ମନେ ।
ଗୋବିନ୍ଦ-ଚରଣକମଳେ । ପଣ୍ଡୁକୁମରେ ଭାବ ଭୋଳେ ।
ସଂସାର-ମାୟା ଦୂର କଲେ । ଜଗତଜନ ନିସ୍ତାରିଲେ ।
ପରମ ମଙ୍ଗଳ ଏ ବାଣୀ । ଯେ ପ୍ରାଣୀ ଶୁଦ୍ଧଚିତ୍ତେ ଶୁଣି ।
ସେ ଭକ୍ତିଲଭେ ଅପ୍ରମାଦେ । ଅନ୍ତେ ପଶଇ କୃଷ୍ଣପାଦେ ।
କୃଷ୍ଣ ମହିମା ସୁଧାରସ । କହଇ ଜଗନ୍ନାଥ ଦାସ ।

(4)
ଦକ୍ଷ‌ଯାଗ-ନାଶ (FORTH SKANDA, CH. V)
ମୈତ୍ରେୟ ଉବାଚ

ନାରଦ-ବାକ୍ୟେ କୋପମନେ । ରୁଦ୍ର ଉଠିଲେ ସାବଧାନେ ।
ଧାଇଁଲେ ରୁଦ୍ରଗଣ ଘେନି । ଚଳନ୍ତେ କମ୍ପଇ ମେଦନୀ ।
ଦକ୍ଷର ଯଜ୍ଞ ନାଶ ଅର୍ଥେ । କୋପ ବସିଲା ରୁଦ୍ରଚିତ୍ତେ ।
ସକଳ ପାରୁଷଦଗଣେ । ନାନା ଆୟୁଧ ତୀକ୍ଷ୍ଣବାଣେ ।
ଅତି ଅସଂହ୍ୟ କୋପଭରି । ଧାଇଁଲେ ଘୋରନାଦ କରି ।
ରୁଦ୍ରବଦନେ କୋପ ଦେଖି । ବିବୁଧେ ତ୍ରିଦଶ ଉପେଖି ।
କମ୍ପିଲେ ରୁଦ୍ରବୋଲ ଶୁଣି । ମହାପ୍ରଳୟ ପ୍ରାୟେ ମଣି ।
କୋପେ କାମୋଡ଼ି ଓଷ୍ଠପାଟୀ । ପ୍ରଚଣ୍ତ ଦିଶଇ ଭୃକୁଟୀ ।
ଜଟାକଳାପେ ଅଗ୍ନିଜଳେ । ଦେଖି କମ୍ପିଲେ ଦିଗପାଳେ ।
ରୁଦ୍ରର ଜଟାଭାର ମଧ୍ୟେ । ପୁରୁଷେ ଉଠେ ଘୋରନାଦେ ।
ହସେ ଗଭୀର ଘୋରସ୍ୱନେ । ରୁଦ୍ରଗଣଙ୍କ ଅବଧାନେ ।
କୋପେ ଅଧର ସେ କାମୋଡି । ରୁଦ୍ରଙ୍କୁ କହେ କରଯୋଡି ।
ସହସ୍ରବାହୁ ମେଘସ୍ୱନେ । ଅନଳ ଜଳଇ ନୟନେ ।
କୋଟିଏ ସୂର୍ଯ୍ୟ ତେଜଯେହ୍ନେ । ଦେଖି ପଳାନ୍ତି ସର୍ବଜନେ ।
କରାଳଦଂଷ୍ଟ୍ର ଶୋହେ ତୁଣ୍ଡେ । ଅଗ୍ନି ଜଳଇ ଶିଖାଖଣ୍ଡେ ।
ନାନା ଆୟୁଧ ଦିଶେ କରେ । ମୁଣ୍ଡମାଳା ଯେ ଲମ୍ବେ ଉରେ ।
ରୁଦ୍ରଙ୍କୁ କହେ କରଯୋଡ଼ି । କହଇ ଅଧର କାମୋଡି ।
କ‌ହ ତୁ କି କରିବି ମୁହିଁ । ରୁଦ୍ର କହନ୍ତି ତାକୁ ଚାହିଁ ।
ତୁ ମୋର ଗଣଙ୍କ ଈଶ୍ୱର । ତୁ ଏବେ ମୋର ବୋଲ କର ।
ଦକ୍ଷର ପ୍ରାଣ-ଯଜ୍ଞସଙ୍ଗେ । ବିନାଶ କର ରଣରଙ୍ଗେ ।
ତୁ ମୋର ଅଂଶ ଆତ୍ମାରୂପୀ । ସ‌ହସ୍ରଭୁଜ ଶୂନ୍ୟେ ବ୍ୟାପୀ ।
ଦକ୍ଷର ଯଜ୍ଞ ନାଶ କର । ଏହାର ପ୍ରାଣ ବେଗେ ହର ।
ଏମନ୍ତ ରୁଦ୍ର-ଆଜ୍ଞା ପାଇ । କୋପେ କମ୍ପିଲା ତାରଦେ‌ହୀ ।
ଜଳଇ ଅତି କୋପାନଳେ । ନମିଲା ରୁଦ୍ର-ପାଦତଳେ ।