ପୃଷ୍ଠା:Typical selections from Oriya literature.pdf/୨୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୦
ଓଡ଼ିଆ ସାହିତ୍ୟ-ପରିଚୟ

ଅନୁଚିତ ଉଚିତ ନ କ‌ହେ ନୃପ ବାଣୀ ।
ସଭାମଧ୍ୟେ ଶୁଣି ସେ ସୁରୁଚି-ଗର୍ବବାଣୀ ।
ତାହାର ଗୌରବେ ସେ ଯନ୍ତ୍ରିତଚିତ୍ତ ହୋଇ ।
ସଭାମଧ୍ୟେ ଏକବାକ୍ୟ ନ ପାରଇ କ‌ହି ।
ଏମନ୍ତେ ନୃପତି ପୁଣ ଦେଖି ଧ୍ରୁବମନେ ।
ଧାତ୍ରୀସଙ୍ଗେ ନୃପସୂନୂ ଗମିଲେ ଭୁବନେ ।
ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶ ।
ସର୍ପ‌ପ୍ରାୟ ପୁଣ ପୁଣ ଛାଡ଼ଇ ନିଶ୍ୱାସ ।
ମାତାର ସନିଧ୍ୟେ ଧ୍ରୁବ ନିଜପୁରେ ଯାଇ ।
ଅଶ୍ରୁବ‌ହେ ଲୋଚନୁ କମ୍ପଇ ନିଜଦେହୀ ।
ଅଶ୍ରୁକଣ୍ଠ କୁଣ୍ଠିତ ବଚନ ଗଦ ଗଦ ।
ନ ସ୍ଫୁରଇ ବାକ୍ୟ ମୁଖେ ଦୁଃଖମନ ଖେଦ ।
ଏମନ୍ତେ ପୁତ୍ର-ବଦନ ସୁନୀତି ଅନାଇଁ ।
ଛନ୍ନ‌ଚିତ୍ତେ ପଚାରଇ ଧାତ୍ରୀ-ମୁଖ ଚାହିଁ ।
ତୁ ଯେ ପୁତ୍ର ଘେନିଗଲୁ ନୃପତି-ସମୀପେ ।
କିମ୍ପା ଏ ରୋଦନ କରେ ଅତି ମନତାପେ ।
ମାତାର ବଚନ ଶୁଣି ନୃପତିନନ୍ଦନ ।
ଊର୍ଦ୍ଧ୍ୱମୁଖ ଚାହିଁ କ‌ହେ ବିକଳ ବଚନ ।
ଜନନୀ ଜାଣିଲେ ପୁତ୍ର ଅପମାନ ପାଇ ।
ପିତାର ସମୀପେ କିବା ଅପମାନ ବ‌ହି ।
ମୁଖଲକ୍ଷ୍ମୀ ଏହାରତ ନ ଦିଶେ ସୁନ୍ଦର ।
ଅତି ଦୁଃଖେ ବୁଡ଼ିଲାତ ମୋହର କୁମର ।
ବେନିକରେ ଆକ୍ରୋଶି ପୁତ୍ରକୁ କୋଳେ ଧରି ।
ମୂର୍ଦ୍ଧନି ଆଘ୍ରାଣ କରି ନିଶ୍ୱାସ ସଂହରି ।
ଅତି ମ୍ଳାନମୁଖ ଦେଖି ପୁନଃ ପୁନଃ କୋଳେ ।
ଉଦରେ ଲଗାଇ ପୁଛେ ଅତି ସ୍ନେହଭରେ ।
ମୁଖେ ଜଳ ସିଞ୍ଚି ସେ ବଦନୁ ପୋଛେ ଲୁହ ।
କିମ୍ପା ତୁ ରୋଦନ କରୁ ବେଗେ ବତ୍ସ କ‌ହ ।
ରାଜାର କୁମର ତୁ ଦୁର୍ଲ୍ଲଭ ପ୍ରାଣିଙ୍କର ।
ସ୍ୱଭାବେ ସୁନ୍ଦର ଗୁଣ ନୀତି ମନୋହର ।
ତୋତେ ଶୋକ ଦେବାକୁ କେ ଅଛଇ ଜଗତେ ।
କିପାଁ ତୁ ରୋଦନ କରୁ କ‌ହ ମୋ ଅଗ୍ରତେ ।
ମାତାର ବଚନ ଶୁଣି ଧ୍ରୁବ ଦୁଃଖ ମନେ ।
ନିଶ୍ୱାସ-କୁଣ୍ଠିତ-କଣ୍ଠ ଅଶ୍ରୁତ ବଦନେ ।