ପୃଷ୍ଠା:Typical selections from Oriya literature.pdf/୨୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୧
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣ ଗୋ ଜନନୀ କ‌ହୁଁ ତୋହର ଅଗ୍ରତେ ।
ରାଜା ମହାଦେଇ ତୁମ୍ଭେ ବୋଲାଅ କେମନ୍ତେ ।
ସୁରୁଚୀ ସମାନେ ତୋତେ ଜାଣନ୍ତି ଜଗତେ ।
ସେ ରାଜାର ପ୍ରିୟ ତୁମ୍ଭେ ଦୁର୍ଭାଗା କେମ‌ନ୍ତେ ।
କେଉଁ ମତେ ଉତ୍ତମ ବୋଲାଇ ତାର ପୁଅ ।
ମୁଁ କିପାଁ ଅଧମ ମାତା ସତ ମୋତେ କ‌ହ ।
ନୃପସିଂହାସନେ ବସିବାକୁ ବେନିଭାଇ ।
ସେ କିପାଁ ହୋଇଲା ଯୋଗ୍ୟ ମୋତେ ଭୋଗ୍ୟ ନାହିଁ ।
ସେ କିମ୍ପା ଉତ୍ତମ ନାମ ବ‌ହିଲା ଜଗତେ ।
ତୋର ପୁତ୍ର ହୋଇ ମୁହିଁ ଅଧମ କେମ‌ନ୍ତେ ।
ମୋହର ସୁକୃତ କିପାଁ ଏମନ୍ତ ହୋଇଲା ।
ଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା ।
ଏମନ୍ତେ ପୁତ୍ର-ବଚନ ଶୁଣିଣ ସୁନୀତି ।
ପୁତ୍ରର ବିଚାରପ୍ରଶ୍ନେ ଦୃଢ଼ ତାର ମତି ।
ସ୍ତବଧେ ରହି ନିଶ୍ୱାସ ପାଡ଼େ ଧୀରେ ଧୀରେ ।
ଶିଶୁ-କୋପ ଶାନ୍ତିଅର୍ଥେ କ‌‌ହଇ ମଧୁରେ ।
ସ୍ୱଭାବେ ରାଜନୀତି ସେ କ‌ହେ ପୁତ୍ର ଚାହିଁ ।
କ‌ହିବା ସକଳ ମ‌ନୋଦୁଃଖ ଛାଡ଼ ତୁହି ।
ଜାଣିଲା ନୃପସମୀପେ ଅପମାନ କଥା ।
ଶୁଣ ହେ ସାଧୁନନ୍ଦନ ଛାଡ଼ ମନୋବ୍ୟଥା ।
ତୁ ଯେତେ କ‌ହିଲୁ ବାବୁ ସତ୍ୟ ଏ ପ୍ରତ୍ୟକ୍ଷେ ।
ସୁନୀତିବଚନ ଶୁଣି ନୃପତିର ଚକ୍ଷେ ।
ସୁରୁଚି ସୌଭାଗୀ ସେ ରାଜାର ପାଟରାଣୀ ।
ସର୍ବ ରାଜପତ୍ନୀଙ୍କ ଉପରେ ଶିରୋମଣି ।
ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲା ।
ତପବଳେ ସ୍ୱାମୀର ସେ ସୌଭାଗୀ ହୋଇଲା ।
ଜାଣିଲି ନିଶ୍ଚୟ ମୋର ପୂର୍ବ ତପ ନାହିଁ ।
ସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ ।
ପୂର୍ବେ ତୋର ଭାଇ ଯେ ଉତ୍ତମ ତପ କଲା ।
ତପବଳେ ନୃପସିଂହାସନେ ସେ ବସିଲା ।
ସୁରୁଚି ସୌଭାଗୀ ତପବଳେ ରାଜା-ରାଣୀ ।
ସର୍ବ ପତ୍ନୀମଧ୍ୟେ ସେ ବୋଲାଇ ଇଷ୍ଟରାଣୀ ।
ଉତ୍ତମ ଉତ୍ତମ ପୁତ୍ର ପୁଣ୍ୟ ତା ଉଦର ।
ଜନ୍ମିଲା ଉତ୍ତମ ସିଂହାସନେ ଅଧିକାର ।