ପୃଷ୍ଠା:Typical selections from Oriya literature.pdf/୨୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୫
ଓଡ଼ିଆ ସାହିତ୍ୟ-ପରିଚୟ

ତ‌ଥାପି କ‌ହିବି ଶୁଣ ସାବଧାନ ଚିତ୍ତେ ।
ରାଜାର ଭୁବନେ ଅଛି ସପତ୍ନୀ ଆୟତ୍ତେ ।
ତାର ବାକ୍ୟ-ନିର୍ଘାତେ ମୋହର ଚିତ୍ତ ଦ‌ହେ ।
ଗିରିରୁ ସ୍ରବିଲାପ୍ରାୟେ ଅଶ୍ରୁଧାରା ବ‌ହେ ।
ଏବେ ତୋର ବନ‌ଗ‌ତି ଶୁଣି ମୋର ମନ ।
ଅଧିଲେ ଶ୍ରବଇ ଯେ ଲୋତକ ମୋ ନୟନ ।
ନ‌ଦୀପ୍ରାୟେ ବ‌ହେ ବାରି କେବେହେଁ ନ ରହେ ।
କ‌ହ ପୁତ୍ର ଏବେ ମୁଁ କି କରିବି ଉପାୟେ ।
ସ୍ୱଭାବେ ମୁଁ ଏକପୁତ୍ରୀ ରାଜାର ଭୁବନେ ।
ପ୍ରାଣ ଦେହ ଧରଇ ତୋହର ଦରଶନେ ।
ମୋହର ତୁ ଅନ୍ଧ‌ଯଷ୍ଟି ତୋର ପଛେ ଥାଇ ।
ବାଡି ହସ୍ତୁଁଗଲେ ଅନ୍ଧ କେମନ୍ତେ ବଞ୍ଚଇ ।
ପୁତ୍ରଜନ୍ମ ନୋହିଲା ମୋହର ମନେ ବ୍ୟଥା ।
ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା ।
କୃଚ୍ଛ୍ର ଚାନ୍ଦ୍ରାୟଣ ଉପାସିକ ବ୍ରତ କଲି ।
ସେ ତପ ସାଧନେ ପୁତ୍ର ତୋତେ ମୁଁ ପାଇଲି ।
ତୋର ମୁଖ ଚନ୍ଦ୍ରୋଦ‌ୟ ଦେଖି ମୋର ମନ ।
ସମୁଦ୍ର ତରଙ୍ଗ ପ୍ରାୟେ ଉଲ୍ଲୋଳ ନୟନ ।
ଆନନ୍ଦେ ପୟସ ପୂରେ ମୋର ବେନିସ୍ତନ ।
ଗଳିତ ହୁଅଇ ଦେଖି ତୋହର ବଦନ ।
ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେ ।
ତକ୍ଷଣେ ଶୀତଳ ହୋଏ ମିଳିଲେ ସମୀପେ ।
ମୋହର ହୃଦରେ ତୁ ନିଦ୍ରିତ ସ୍ତନପାନେ ।
ବସ୍ତ୍ର-ଆରୋହିତ ଦୁଗ୍ଧ-ବୋଧିତ ବଦନେ ।
ତୋହର ଶୀତଳବାକ୍ୟ କର୍ଣ୍ଣେ ଶୁଭେ ଯେବେ ।
ସପତ୍ନୀର ବାକ୍ୟତାପ ହୃଦରେ ନ ବାଧେ ।
ବିଳମ୍ବ ତୋହର ନିଦ୍ରା ଦେଖି ମୋର ଚିତ୍ତ ।
ପଦ୍ମ ଯେହ୍ନେ ଚାହୁଁ ଥାଇ ସୂର୍ଯ୍ୟର ଉଦିତ ।
ବାଳକଙ୍କ ସଙ୍ଗେ କ୍ରୀଡ଼ା କରିବାର ଅର୍ଥେ ।
ଗୃହରୁ ବାହାର ହୋଇ ମିଳୁ ଯେବେ ପଥେ ।
ତୋହର ବିଳମ୍ବେ ହୃଦେ ବେନିସ୍ତନ ମୋର ।
ତନ୍ମୁଖେ ଝରଇ ଯେହ୍ନେ ମେଘ-ଜଳଧାର ।
ତୁମୋର ତପସ୍ୟା ଅର୍ଥେ ଯେବେ ଯିବୁ ହଟେ ।
ମୋର ପଞ୍ଚପ୍ରାଣ ଯେ ମିଳିବ କଣ୍ଠତଟେ ।