ପୃଷ୍ଠା:Typical selections from Oriya literature.pdf/୨୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୭
ଓଡ଼ିଆ ସାହିତ୍ୟ-ପରିଚୟ

ଭବିଷ୍ୟତେ ଋଜୁବନ୍ଧେ କରି ଆକର୍ଷଣ ।
ନାନାସ୍ଥାନେ କରୁଥାଇ ଭବିଷ୍ୟ କରଣ ।
ଶରୀର ସଂପଦ ବିତ୍ତ ବିବିଧ ଚେଷ୍ଟିତ ।
ତେଜୋବଳ ଉଦ୍ଦମ ଯେ ସ‌ହାୟ ପ୍ରମଥ ।
ପୁଣ୍ୟବଳ ଥିଲେ ଯେ ସମସ୍ତ ଫଳ ପାଇ ।
ପୂର୍ବେ ନ ଅର୍ଜିଲେ ଲାଭ ନ ପାଇଟି କାହିଁ ।
ଚକ୍ଷୁମିଳି ଚାହାଁନ୍ତେ ଦେଖିଲା ମୁନିଗଣ ।
ତେଜ ବିରାଜଇ ଯେହ୍ନେ ସୂର୍ଯ୍ୟର କିରଣ ।
ଭାଗ୍ୟ ଜାତ ଆକ୍ରୋଶେ ମିଳିଲେ ସର୍ବ ମୁନି ।
ଲ‌ଲାଟେ ତିଳକ ଦଣ୍ତପ୍ରଭା କରେ ଘେନି ।
କୃଷ୍ଣାଜିନ ପରିଧାନ ପବିତ୍ର ଉତ୍ତରି ।
ଉନ୍ମୀଳ‌ଲୋଚନ ଅକ୍ଷସୂତ୍ର ଦଣ୍ତଧାରୀ ।
ଅକସ୍ମାତେ ମିଳିଲେ ଅଗାଧ କ୍ଷୀରନିଧି ।
ଆଦିଧାତା ଜାଣି ଜ୍ଞାନ‌ଗୁଣେ ଯେ ପ୍ରସିଦ୍ଧି ।
ଅମୃତ ବଚନ କି ବଦନେ ବରଷନ୍ତି ।
କ୍ଷୀରସିନ୍ଧୁମଧ୍ୟେ ହଂସ ପ୍ରାୟେ ସେ ଦିଶନ୍ତି ।
ଏମନ୍ତେ ମୁନିଙ୍କି ଧ୍ରୁବ ସନିଧ୍ୟରେ ଦେଖି ।
ସମ୍ଭ୍ରମଚିତ୍ତେ ଉଠିଲା ଆସନ ଉପେଖି ।
କପାଳେ କରସଂପୁଟ ଦେଇ ଦୃଢ଼ମନେ ।
ମୁନିଙ୍କି ପ୍ରଣାମ କଲା ଅଶ୍ରୁତବଦନେ ।
ଆନନ୍ଦେ ମୁନିଙ୍କପାଦେ ଧ୍ରୁବ କର ଯୋଡି ।
କ‌ହଇ କୋମଳବାଣୀ ବିନୟ ଆଦରି ।
ଉତ୍ତାନପାଦ ବୀର୍ଯ୍ୟରେ ସୁନୀତି ଉଦରେ ।
ଶରୀର ବ‌ହିଲି ମୁହିଁ ଏ ଘୋର ସଂସାରେ ।
ଧ୍ରୁବନାମ ବୋଲାଇ ଅଧ୍ରୁବ ନାମ ମୋର ।
ନିର୍ମାଣମାନ ସେ ମୁହିଁ ମନ୍ଦରୁ ବାହାର ।
ଅନାଥ ହୋଇ ମିଳିଲି ଏ ଘୋର କାନନେ ।
ସନାଥ ହୋଇଲି ଏବେ ତୁମ୍ଭ ଦରଶନେ ।
ନିରାଶ ଶରୀର ମୋର ଏଣେ କାର୍ଯ୍ୟ ନାହିଁ ।
ବଞ୍ଚିତ ହୋଇଲି ନୃପସିଂହାସନେ ମୁହିଁ ।
ପୂର୍ବେ କୋଟିଜନ୍ମେ ମୁଁ ନ‌କଲି ତପରାଶି ।
ଏବେ କଲି ଚିତ୍ତ ନୃପସିଂହାସନେ ବସି ।
ଏଣୁ ମୁଁ ନିରାଶ ଚିତ୍ତେ ପଶିଲି ବନସ୍ତେ ।
ସ୍ଥିରଭାବେ ମନ ମୋ ନ ରହେ ଅନ୍ତର୍ଗତେ ।