ପୃଷ୍ଠା:Typical selections from Oriya literature.pdf/୨୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୯
ଓଡ଼ିଆ ସାହିତ୍ୟ-ପରିଚୟ

ଆପଣାପୁତ୍ରକୁ କଲା ଉତ୍ତମ ସ୍ୱଭାବେ ।
ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ ।
ବୋଇଲା ଅଭାଗୀ ଗର୍ଭେ ଜନମ ତୋହର ।
ଦେଖ ଅତିଭାଗ୍ୟବନ୍ତ ମୋହର କୁମର ।
ଏଗର୍ଭେ ଜନ୍ମିଲେ ନୃପ-ସିଂହାସନ ପାଇ ।
ମୋର ଗର୍ଭେ ଜନ୍ମ କିପାଁନ ଲଭିଲୁ ତୁହି ।
ତୋହର ମାତାର ପୂର୍ବେ କିଛି ପୁଣ୍ୟ ନାହିଁ ।
ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ ।
ଦୁର୍ଭାଗାର ପୁତ୍ର ହୋଇ ନୃପ-ସିଂହାସନେ ।
ତୋର ପୁଣ୍ୟ ନାହିଁ ଏବେ ବସିବୁ କେସନେ ।
ଏମ‌ନ୍ତପ୍ରକାରେ ମୋତେ ମାତା ନିନ୍ଦା କଲା ।
ଧିକ ଧିକ ଜନ୍ମ ବୋଲି ବ‌ହୁ ଝିଙ୍ଗାସିଲା ।
ମୁ କାନ୍ଦି କ‌ହିଲି ନିଜ ଜନନୀ-ଅଗ୍ରତେ ।
ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ ।
ବୋଇଲେ ସଂସାରେ ସାର ତପସ୍ୟା କାରଣ ।
ଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର ଧାରଣ ।
ନୃପସିଂହାସନେ ଯେବେ ବାଞ୍ଛା ଅଛି ତୋର ।
ଏବେ ନରଦେହେଁ ପୁତ୍ର ତପ ସିଦ୍ଧ କର ।
ଏମ‌ନ୍ତେ ଜନନୀ-ମୁଖୁଁ ଉପଦେଶ ପାଇ ।
ତପସାଧେ ଘୋରବନେ ପ୍ରବେଶ ହେଲାଇଁ ।
ନିବେଦନ କାରଣେ କ‌ହିଲି ତୁମ୍ଭ ଆଗେ ।
ପଶି ବନେ ଭାଳଇ ମୁଁ ବାଳକସ୍ୱଭାବେ ।
ଏମନ୍ତ ଧ୍ରୁବର ବାକ୍ୟ ମୁନିଗଣେ ଶୁଣି ।
ଅନ୍ୟେ ଅନ୍ୟରେ ଚାହିଁ ସେ କ‌ହ‌ନ୍ତି ମନେ ଗୁଣି ।
ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର ।
ପୁଣି ଧ୍ରୁବ-ମୁଖ ଚାହିଁ ‌କ‌ହ‌ନ୍ତି ମଧୁର ।
ଆମ୍ଭରେ କି ସାଧ୍ୟକର୍ମ ତୋର ଉପକାର ।
ନିର୍ଣ୍ଣୟ କରିଣ କ‌ହ ଆମ୍ଭର ଆଗର ।
ତୋର ମନୋରଥ ଆମ୍ଭେ ଜାଣିବୁଁ କେମନ୍ତେ ।
ଭ୍ରାନ୍ତି ଛାଡ଼ି ବାଳ କ‌ହ ଆମ୍ଭର ଅଗ୍ରତେ ।
ଶୁଣିମା ଭୋ ମୁନିଜନେ ମୋର ମନୋରଥ ।
ପିତାର ଦୁର୍ଲ୍ଲଭପୁତ୍ର ଉତ୍ତମ ମୋ ଭ୍ରାତ ।
ପିତାର ସମୀପେ ବସେ ନୃପସିଂହାସନେ ।
ତାହାକୁ ମୋହର କିଛି ଆନ ନାହିଁ ମନେ ।