ପୃଷ୍ଠା:Typical selections from Oriya literature.pdf/୨୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୩
ଓଡ଼ିଆ ସାହିତ୍ୟ-ପରିଚୟ

ଶାମ୍ବକୁ ନାରୀବେଶ କରି । ଅନେକ ଅଳଙ୍କାରେ ଭରି ।
ପ୍ରସବଗର୍ଭ ପ୍ରାୟ କରି । ଉଦରେ ଲୋହପାତ୍ର ଭରି ।
ଚାଲଇ ଚରଣ ମନ୍ଥରେ । ଶ୍ରମେ ଘୃମିତ କଳେବରେ ।
ମୁନିଙ୍କି ଦେଖି ଲାଜପାଇ । ଅନ୍ତରେ ଅଧୋମୁଖ ହୋଇ ।
ରହିଲା ଲତା-ଅଭ୍ୟନ୍ତରେ । ଏମନ୍ତେ କୃଷ୍ଣର କୁମରେ ।
ମୁନିଙ୍କ ପାଶେ ଯାଇ ଧୀରେ । କର‌ଯୁଗଳ ଦେଇ ଶିରେ ।
କୋମଳ ମଧୁର ବଚନେ । ବୋଲନ୍ତି ଶୁଣ ବିପ୍ରଜନେ ।
ଯାଦବବଂଶ ନାରୀ ଏହି । ଅନେକ ଦିନ ଗର୍ଭ ବ‌ହି ।
ପ୍ରସବ ନୋହେ କି କାରଣେ । କ‌ହିଲୁଁ ତୁମ୍ଭର ଚରଣେ ।
ଲାଜେ ନ ରହେ ତୁମ୍ଭ ଆଗେ । ଚଳି ନ ପାରେ ଶ୍ରମ‌ଭାଗେ ।
ତୁମ୍ଭେ ସର୍ବଜ୍ଞଜନ ସାର । କି ଅଛି ଗର୍ଭରେ ଏହାର ।
ପୁତ୍ର ଦୁହିତା କିବା ଜାତ । ମାୟା ନ କରି କ‌ହ ସ‌ତ ।
ଶୁଣିଣ ତାଙ୍କର ବଚନ । କୋପେ ବୋଇଲେ ମୁନିଜନ ।
ଏ ନାରୀ ଗର୍ଭବାସ ବାଣୀ । ଆମ୍ଭେ ଜାଣିଲୁଁ ପରିମାଣି ।
ଏହାର ଗର୍ଭେ ଅଛି ବାଳ । ନିଷ୍ଠୁର ଲୋହର ମୁଷଳ ।
ଆଜ ଏ ଗର୍ଭ ପ୍ରସବିବ । ତୁମ୍ଭର ବଂଶ ବିନାଶିବ ।
କୁଳସମୂଳେ କରି ନାଶ । ଭୂମିରେ ଯେତେ ଯଦୁବଂଶ ।
ଏମନ୍ତ କ‌ହି ଗଲେ ମୁନି । କୃଷ୍ଣକୁମରେ ତାହା ଶୁଣି ।
ବଜ୍ର ପଡ଼ିଲା ଯେହ୍ନେ ମୁଣ୍ତେ । ଶାମ୍ବ‌କୁ ଘେନି ରାଜଦାଣ୍ତେ ।
ତ‌ତ୍‌କ୍ଷଣେ ଲୋହପାତ୍ର ଫେଇ । ପେଟ ଖୋଜନ୍ତି ହସ୍ତ ଦେଇ ।
କର୍କଶ ପିଙ୍ଗଳ ପିଛିଳ । ଦେଖିଲେ ଲୋହର ମୁଷଳ ।
ଗର୍ଭୁ ପଡ଼ିଲା ବ‌ଜ୍ରପାୟେ । ଦେଖି କମ୍ପିଲେ ମହାଭୟେ ।
ଲୋହ‌ମୁଷଳ ତେଜଭରେ । ଚକ୍ଷୁ ବୁଜିଲେ ନିଜକରେ ।
ବୋଲନ୍ତି କଲୁଁ ମନ୍ଦକର୍ମ । କିବା ବୋଲିବେ କୃଷ୍ଣ ରାମ ।
ଏମନ୍ତେ ଗୋବିନ୍ଦର ସୁତେ । ଲୋହ‌ମୁଷଳ ଘେନି ହସ୍ତେ ।
ଉଗ୍ରସେନର ସଭାତଳେ । ମିଳିଲେ ହୃଦ‌ୟ ଚଞ୍ଚଳେ ।
ଲୋହ‌ମୁଷଳ ତଳେ ଥୋଇ । କ‌ହ‌ନ୍ତି ସଭାମୁଖ ଚାହିଁ ।
ଆମ୍ଭେ ଯେ କ୍ରୀଡ଼ା କଉତୁକେ । ଖେଳନ୍ତେ ତୀର୍ଥ ପିଣ୍ତାରକେ ।
ଶାମ୍ବକୁ ନାରୀବେଶ କରି । ଉଦରେ ଲୋହପାତ୍ର ଭରି ।
ମୁନିଙ୍କି ପଚାରିଲୁଁ ଭାବେ । ଏ ଗର୍ଭ-ପ୍ରସବ-ପ୍ରସ୍ତାବେ ।
ଶୁଣି କୋପିଲେ ମୁନି ଭ୍ରମେ । ବନ-ଗ‌ହ‌ନ-ପ‌ଥଶ୍ରମେ ।
ବୋଇଲେ ଗର୍ଭେ ଅଛି ବାଳ । ନିଷ୍ଠୁର ଲୋହର ମୁଷଳ ।
ଭୂମିରେ ଯଦୁବଂଶ ଯେତେ । ଏ ଲୋହେ ମରିବେ ସମସ୍ତେ ।
ନାଶ କରିବ ଯଦୁକୁଳ । ଏ ଜାତ ଲୋହର ମୁଷଳ ।