ପୃଷ୍ଠା:Typical selections from Oriya literature.pdf/୨୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୪
ଓଡ଼ିଆ ସାହିତ୍ୟ-ପରିଚୟ

ତ‌ତ୍‌କ୍ଷଣେ ଗର୍ଭ ଫେଇ ଦେଖି । ଭୟେ ବୁଜିଲୁଁ ଆମ୍ଭେ ଆଖି ।
ଏମନ୍ତେ କ‌ହି ସଭାମଧ୍ୟେ । କୁମରେ ବସିଲେ ବିଷାଦେ ।
ଶୁଣି ସକଳ ପୁରଜନେ । କ‌ହ‌ନ୍ତି ଦୁଃଖିତବଦନେ ।
ନିଷ୍ଠୁର ବିପ୍ର-କୋପାନଳ । ଦ‌ହଇ ଭୁବ‌ନମଣ୍ତଳ ।
କେ ତାହା ଅନ୍ୟଥା କରିବ । ବ୍ରହ୍ମା ଶଙ୍କର ବାସୁଦେବ ।
ଶୁଣି ବିଷାଦ ସଭାଜନ । ବଦନୁ ନ ସ୍ଫୁରେ ବଚନ ।
ତା ଦେଖି ରାଜା ଉଗ୍ରସେନ । ଭୀମକୁ ବୋଲଇ ବଚନ ।
ଏ ଲୋହ ଗିରିଶିଖେ ନେଇ । ଘଷ ସମୁଦ୍ରଜଳ ଦେଇ ।
ବିଶେଷ କରି ଲୋହ ଘଷ । ଯେମନ୍ତ ନ ରହଇ ଶେଷ ।
ତ‌ତ୍‌କ୍ଷଣେ ରାଜା ଆଜ୍ଞା ପାଇ । ମୁଷଳ ଘେନି ବେଗେ ଯାଇ ।
ପର୍ବତେ ସମୁଦ୍ରର ଜଳେ । ଲୌହ ଘଷିଲେ ଭୁଜବଳେ ।
ଘଷନ୍ତେ ଲୋହଚୂର୍ଣ୍ଣ ହୋଇ । ପଡ଼ନ୍ତି ସମୁଦ୍ରରେ ଯାଇଁ ।
ଅନେକ ଦିନ ଘଷି ରୋଷେ । ଅଳପ ରହେ ଅବଶେଷେ ।
ଅଙ୍ଗୁଳି ଛିଡ଼େ ଘରଷଣେ । ନିଷ୍ଠୁର ନିଃଶେଷ କରଣେ ।
ଲୋହ ପଡ଼ନ୍ତେ ଘୋର ପାଣି । ଆହାର ପ୍ରାୟ ତାହା ମଣି ।
ମୀନ ଗିଳିଲା ଅତି ବେଗେ । ସେ ମୀନ ମତ୍ସ୍ୟଗଣ ସଙ୍ଗେ ।
ଚରନ୍ତେ ସମୁଦ୍ରର କୂଳେ । ଜାଳେ ପଡ଼ିଲା ରାତ୍ରିକାଳେ ।
ଧୀବର ନେଇ ମୀନ ଏକା । ଜରା ଶବରେ ଦେଲା ଦେଖା ।
ମୀନ କାଟନ୍ତେ ତାର ଘରେ । ଲୋହ ଦେଖିଲା ତା ଉଦରେ ।
କର୍କଶ ପିଙ୍ଗଳ ପ୍ରଚଣ୍ତ । ଜଳଇ ଯେହ୍ନେ ମାରତଣ୍ତ ।
ଦେଖି ଶିବର ତୋଷ ହୋଇ । ନାରାଚ କଲା ତାହା ନେଇ ।
ବାଣର ମୂଳେ ତୀକ୍ଷଣ୍ ଫଳ । ତେଜେ କି ଜଳଇ ଅନଳ ।
ଯେ ଲୋହଚୂର୍ଣ୍ଣ ପଡ଼ିଥିଲା । ସମୁଦ୍ରଜଳରେ ଭାସିଲା ।
ତୀରେ ଲାଗନ୍ତେ ଲୋହଚୂର୍ଣ୍ଣ । ଜନ୍ମିଲା ଏରକାର ବନ ।
ତୀକ୍ଷ୍ଣ ତ୍ରିଶିର ସେ ସ୍ୱଭାବେ । ଯେଣେ ଯାଦବେ ନାଶ ଯିବେ ।
ଯେ କାଳରୂପୀ ଭଗବାନ । ଜାଣଇ ସକଳ ବିଧାନ ।
ଖେଳଇ ମାୟାମୟକଳ୍ପେ । ସେ ପ୍ରଭୁ ଡରେ ବ୍ରହ୍ମଶାପେ ।
କୁଳ ବିନାଶ ହେତୁ କରି । ଅବନୀଭାରା ହେଳେ ହରି ।
ନିଜଭୁବ‌ନେ ଅବଧାନ । ନିର୍ଲେପ ପ୍ରଭୁ ଭଗବାନ ।
ବୋଲଇ ବିପ୍ର ଜଗନ୍ନାଥ । ଶ୍ରୀ ଏକାଦଶେ ଭାଗବତ ।
ଜାହ୍ନ‌ବୀତୀରେ ରାଜା ଆଗେ । ଶୁକ କ‌ହିଲେ ବ୍ରହ୍ମ‌ଭାଗେ ।
ସଂସାର-ତାରଣ ଏ ବାଣୀ । ସୁଜନେ ତର ଏହା ଶୁଣି ।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଏକାଦଶସ୍କନ୍ଧେ ବିପ୍ରଶାପକ‌ଥନଂ

ନାମ ପ୍ରଥମୋଧ୍ୟାୟଃ