ପୃଷ୍ଠା:Typical selections from Oriya literature.pdf/୨୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୭
ଓଡ଼ିଆ ସାହିତ୍ୟ-ପରିଚୟ

ଆଉ ଯେ ଊନଶତ ଭାଇ । ତାଙ୍କ ମହିମା ଶୁଣ ତୁହି ।
ତାହାଙ୍କ ମଧ୍ୟେ ନ‌ବ ସୁତ । ସାଧୁ ସୁଗୁଣ ଶୁଚିମନ୍ତ ।
ହୋଇଲେ ନ‌ବଦ୍ୱୀପେ ରାଜା । ସୁଖେ ପାଳିଲେ ଜନ ପ୍ରଜା ।
ଏକ ଅଧିକ ଅଶୀ ସୁତେ । ବେଦ ଅଭ୍ୟାସି ଦୃଢ଼ଚିତ୍ତେ ।
ତପେ ଆରାଧି ନାରାୟଣ । ଜଗତେ ହୋଇଲେ ବ୍ରାହ୍ମଣ ।
ଶେଷେ ଯେ ନ‌ବ ସୁତେ ଥିଲେ । ନିର୍ଗୁଣ ଯୋଗ ଅଭ୍ୟାସିଲେ ।
ସେ ଅଧିଜ୍ଞାନୀ ସାଧୁ ଧୀର । ଜଟା ବିଭୂତି ଦିଗମ୍ବର ।
ମିତ୍ର ଅଇରିପକ୍ଷ ସମ । ଶୁଣ ହୋ ତାହାଙ୍କର ନାମ ।
ସେ କବି ହବି ଅନ୍ତରିକ୍ଷ । ଏ ତିନି ଜ୍ଞାନୀ ଧ୍ୟାନେ ଦକ୍ଷ ।
ପ୍ରବୃଦ୍ଧ ସୁପିପ୍ପଳାୟନ । ଷଷ୍ଠରେ ଆବିର୍ହୋତ୍ର ନାମ ।
ଦ୍ରବିଡ଼ ଚମସ ଏ ଦୁଇ । କରଭାଜନ ନ‌ବଭାଇ ।
ତାହାଙ୍କ ମନ କୃଷ୍ଣଦେହେ । କପଟେ ଥାନ୍ତି ଏକସ୍ନେହେ ।
ଦେଖନ୍ତି ସର୍ବଜୀବ ଦେହେ । ଏକା ଗୋବିନ୍ଦ ଭିନ୍ନ ନୁହେ ।
ହୋଇଣ ଅବ୍ୟାହତ ରାତି । ଏମନ୍ତେ ନ‌ବବିପ୍ରେ ଥାନ୍ତି ।
ସିଦ୍ଧ ଗନ୍ଧର୍ବ ସୁରମେଳେ । ପକ୍ଷ ରାକ୍ଷସ ରସାତଳେ ।
ଏ ଆଦି ନାନା ଦେଶ ପୁରେ । ଭ୍ରମନ୍ତି ନ‌ବ ସ‌ହୋଦରେ ।
ଶିବ ସୁରଭିଲୋକେ ଥାନ୍ତି । ବ୍ରାହ୍ମଣ-ଭୁବନେ ପଶନ୍ତି ।
ଯଜ୍ଞଶାଳକୁ ଆଗମନ । କରନ୍ତେ ନ‌ବ ମୁନିଗଣ ।
ସମ୍ଭ୍ରମେ ତେଜିଣ ଆସନ । ଉଭା ହୋଇଲା ଯଜମାନ ।
ଦେଖିଲା ଦିବ୍ୟ ତେଜୋମୟ । ରବି ଶଶାଙ୍କ ସମ ନୁହେ ।
ଅଗ୍ନି ଯେ କୁଣ୍ତମଧ୍ୟେ ଥିଲା । ବିପ୍ରଙ୍କ ସଙ୍ଗତେ ଉଠିଲା ।
ଆନନ୍ଦମନେ ନୃପବର । ପଡ଼ିଲା ମୁନିଙ୍କ ପୟର ।
ପ୍ରଣାମ କରି ତାଙ୍କ ପାଦେ । ଆସନେ ବସାଇ ଆନନ୍ଦେ ।

ନିମିରୁବାଚ

କର‌ଯୁଗଳ ଶିରେ ଦେଇ । ବୋଲନ୍ତି ନିସ୍ତରିଲି ମୁହିଁ ।
ତୁମ୍ଭ ଚରଣ‌ଯୁଗ ଦେଖି । ନିର୍ମଳ କଲି ଚର୍ମ ଆଖି ।
ତୁମ୍ଭେ ଯେ ନ‌ବ ବିପ୍ରବର । ନିଶ୍ଚେ କୃଷ୍ଣଙ୍କ ଅନୁଚର ।
ସଂସାରେ ତୁମ୍ଭର ଭ୍ରମଣ । ଅଶେଷ ଜନ ପରିତ୍ରାଣ ।
ଏ ଯେ ମନୁଷ୍ୟ-କଳେବର । ଦୁଲଭ କ୍ଷଣିକ ଭଙ୍ଗୁର ।
ତ‌ଥାପି ମନୁଷ୍ୟ-ଶରୀରେ । ଯେ ଭଜେ ଗୋବିନ୍ଦ-ପୟରେ ।
ତାହାଙ୍କୁ ଭଜନ୍ତି ଯେ ପ୍ରାଣୀ । ତରନ୍ତି ଭବତରଙ୍ଗିଣୀ ।
କ୍ଷଣେ ନିମେଷେ ଲବେ ଲେଶେ । ଯେବେ ସେ ସାଧୁଜନପାଶେ ।
ଚିତ୍ତେ ଚିନ୍ତଇ ବିଷ୍ଣୁଭାବ । ତାହାକୁ ବୋଲି ନିଧିଲାଭ ।