ପୃଷ୍ଠା:Typical selections from Oriya literature.pdf/୨୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୮
ଓଡ଼ିଆ ସାହିତ୍ୟ-ପରିଚୟ

ସେ ଲାଭ ତୁମ୍ଭର ବଚନ । ମୁଁ ଯେବେ ଶୁଣି ତା ଭାଜନ ।
ଯେ ଧର୍ମ ଆଚରିଲେ ପ୍ରାଣୀ । ନିଶ୍ଚେ ଲଭନ୍ତି ଚକ୍ରପାଣି ।
ସେ ହରି ତାଙ୍କ ବଶେ ଥାଇ । ଏ ମାୟା ତାଙ୍କୁ ନ ଲାଗଇ ।
ଏମନ୍ତେ ନିମି-ବାକ୍ୟ ଶୁଣି । ବୋଲନ୍ତି ନ‌ବ ମହାମୁନି ।
ଶୁଣ ହେ ରାଜା ଏକଚିତ୍ତେ । ଯାହା କ‌ହିବୁଁ ଭାଗବତେ ।

କବିରୁବାଚ

କବି ବୋଲନ୍ତି ରାୟେ ଶୁଣ । ଯେ ଧର୍ମେ ଚିତ୍ତ ମୋ ନିର୍ଗୁଣ ।
ନାନାପ୍ରକାରେ ହରିପାଦେ । ଯାହାର ଚିତ୍ତ ଅପ୍ରମାଦେ ।
ଭଜଇ ଜାଣି ବିଷ୍ଣୁମାୟା । ସେ ହରି ତାକୁ କରେ ଦୟା ।
ବିଷ୍ଣୁର ଅଭୟ-ଚରଣ । ମଙ୍ଗଳ କୁଶଳ କଲ୍ୟାଣ ।
ଅଶେଷ ଦୁଃଖ ନାଶ କରେ । ନିତ୍ୟେ ଯେ ବିଷ୍ଣୁନାମ ଧରେ ।
ଦେହ ସମ୍ପଦ ଦାରା ସୁତ । ଏଥେଁ ମୋହିତ ଯାର ଚିତ୍ତ ।
କାମସଂକଳ୍ପ ଦିନେ ଦିନେ । ବଢ଼ଇ ବିଷୟ ଚିନ୍ତନେ ।
ମାୟାରେ ମନ ଅଗୋଚର । ଭ୍ରମଇ ଅଶେଷ ପ୍ରକାର ।
ବିଷ୍ଣୁର ଅଭୟ-ଚରଣ । ଅଶେଷ ମଙ୍ଗଳ-କାରଣ ।
ହରିଚତଣ-ସେବାଅର୍ଥେ । ଯେବା ଉପାୟ ବେଦପ‌ଥେ ।
ଭାବ ଅଭାବ ମନେ ଗୁଣି । ମୂର୍ଖେ ତରନ୍ତି ତାହା ଶୁଣି ।
ଏ ଭାଗବତ-ଧର୍ମସାର । ଏ ଧର୍ମେ ଲଭ ଚକ୍ରଧର ।
ଏଣେ ଯେ ଚିନ୍ତେ କୃଷ୍ଣପାଦ । ତାହାଙ୍କୁ ନ ପଡ଼େ ପ୍ରମାଦ ।
ହୃଦେ ଗୋବିନ୍ଦ ପାଦ ଧ୍ୟାୟି । ନୟନ ବୁଜି ଯେବେ ଧାଇଁ ।
ପ‌ଥ ନ ଜାଣି ଯେବେ ହୁଡ଼େ । ସେ ପ୍ରାଣୀ କେବେହେଁ ନ ପଡ଼େ ।
ବେଦ ବଚନ ଧର୍ମଶାସ୍ତ୍ର । ଏ ବେନି ବିପ୍ରଙ୍କର ନେତ୍ର ।
ଏକ ନ ଥିଲେ କଣା ହୋଇ । ଦୁଇ ଅଭାବେ ଅନ୍ଧ ସେହି ।
ଏମନ୍ତ ବିପ୍ର ଯେବେ ଚିନ୍ତେ । ଦୃଢ଼େ ଭାବଇ ହୃଦଗତେ ।
ତାହାର ଅମଙ୍ଗଳ ନାହିଁ । ସକଳ ପାପୁଁ ସେ ତରଇ ।
ଏ ଧର୍ମ ଭାଗବତ-ମତ । ଈଶ୍ୱର-ବଚନ-ନିର୍ମିତ ।
ଏହା ଯେ ନ କରନ୍ତି ପ୍ରାଣୀ । ଧର୍ମେ ସଂଶୟ ମନେ ଗୁଣି ।
ମନ ବଚନ ଦେହେ ଚିନ୍ତି । ଯେ ଅନ୍ୟ ଧର୍ମ ଆଚରନ୍ତି ।
ଜୀବର ସ୍ୱଧର୍ମ ଏ ଭାବ । ହରି ଚରଣେ ସମର୍ପିବ ।
ଏ ଭାଗବତ-ଧର୍ମ-ଗୁଣ । ଈଶ୍ୱର-ବଚନ ପ୍ରମାଣ ।
ଏଣେ ସକଳ ଜ୍ଞାନ ପାଇ । ଅଜ୍ଞାନ‌ତମ କ୍ଷୟ ଯାଇ ।
ଶୁଣ ବିଦେହ-ମ‌ହୀପ‌ତି । ଯେ ହରି ଭାବ ନ ଜାଣନ୍ତି ।
ନାନାପ୍ରକାର ତପ କରେ । ସେ ପ୍ରାଣୀ ସଂସାରୁ ନ ତରେ ।