ପୃଷ୍ଠା:Typical selections from Oriya literature.pdf/୨୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୯
ଓଡ଼ିଆ ସାହିତ୍ୟ-ପରିଚୟ

ହରି-ବିମୁଖ ପ୍ରାଣୀ ଯେତେ । ସେ ଥାନ୍ତି ପଶୁଙ୍କ ସଙ୍ଗତେ ।
ତାହାଙ୍କୁ ମୋହେ ବିଷ୍ଣୁ-ମାୟା । ବିଷୟରସେ ବଢ଼େ ସ୍ନେହା ।
ଦେହକୁ ବସ୍ତୁ ପ୍ରାୟ ମଣି । ବଇରୀ ମିତ୍ର ନ ପ୍ରମାଣି ।
ଭ୍ରମଇ ଶୋକ-ମୋହ-ପଥେ । ଅଜ୍ଞାନ-ଭ୍ରମ-ବୁଦ୍ଧି ଗ୍ରସ୍ତେ ।
ତେଣୁ ସଂସାର-ମୋହେ ପଡ଼ି । ଦୁଃଖ-ସଙ୍କଟେ ଥାନ୍ତି ଜଡ଼ି ।
ଯାର ମାୟାରେ ଏତେ ଗତି । ଏ ଭାବ ବୁଧଜନେ ଚିନ୍ତି ।
କୃଷ୍ଣ ଭଜନ୍ତି ଏକମନେ । ନିର୍ମଳ ଧର୍ମ-ଆତ୍ମାଜ୍ଞାନେ ।
ମାନେ ଭାବନ୍ତି ଜ୍ଞାନଲାଭେ । ଯେସନେ ଗୁରୁ-ଶିଷ୍ୟ-ଭାବେ ।
ଜୀବ-ଅଜ୍ଞାନଭାବ ଦେଖ । ଦୁଃଖକୁ ମଣେ ମହାସୁଖ ।
ଯେସନେ ସ୍ୱପ୍ନ ମନୋରଥେ । ଭ୍ରମଇଁ ନିଦ୍ରାର ଆୟତ୍ତେ ।
ମଣଇ ସତ୍ୟପ୍ରାୟେ ତାହା । ନିଦ୍ରାବୋଧନେ ସର୍ବ ମାୟା ।
ଏ ମନ କୃଷ୍ଣପାଦେ ଦେଲେ । ଏ ମାୟା ନ ଲାଗଇ ଭଲେ ।
ଦୁର୍ଗମ ପଥ ଏ ଭଜନ । ଭୟେ ଭାଜିଲେ ଯୋଗୀଜନ ।
ଏବେ କ‌ହିବା ଶୁଣ ରାୟ । ସେ ହରି-ଭଜନ-ଉପାୟ ।
କୃଷ୍ଣର ଜନ୍ମ-କର୍ମ ଯେତେ । ନାନା ଚରିତ ଏ ଜଗତେ ।
ଶ୍ରବଣେ ସ୍ମରଣେ ମଙ୍ଗଳ । ତାରଇ ଭୁବନମଣ୍ତଳ ।
ସେ ନାମ‌ଭାବେ ଚିତ୍ତ ଜଡ଼ି । ହୃଦରୁ ଲାଜ ଭୟ ଛାଡ଼ି ।
ଉଚ୍ଚେ ଡାକିବ ନାମ ଗୁଣ । ଶୁଭିବ ସକ‌ଳ ଶ୍ରବଣ ।
ଆନନ୍ଦେ ତୋଳି ବେନିକର । କଣ୍ଠଗର୍ଜ୍ଜନ ଉଚ୍ଚୈଃସ୍ୱର ।
ଉନ୍ମତ୍ତ ପ୍ରାୟେ ନୃତ୍ୟ କରେ । ଲୋକ ବେଭାର ପରିହରେ ।
ଗ‌ଗନ ସମୀରଣ ଜ୍ୟୋତି । ଯେ ଅବା ସଲିଳ ଧରିତ୍ରୀ ।
ନ‌ଦୀ ସରିତ ତରୁଗଣ । ପର୍ବତ ସ୍ଥାବର ଜଙ୍ଗମ ।
ଏ ସବୁ କୃଷ୍ଣଙ୍କ ଶରୀର । ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର ।
ନିଶ୍ଚୟ ଜାଣି ଦୃଢ଼ଚିତ୍ତେ । ପ୍ରଣାମ କରୁଥିବ ନିତ୍ୟେ ।
ଅମୃତ ବିନୟ ବଚନ । କ‌ହି ତୋଷିବ ପ୍ରାଣୀମ‌ନ ।
ଏ ଭାବେ ଲଭେ କୃଷ୍ଣପାଦ । ହରଇ ବିଷୟ-ବିଷାଦ ।
ଏ ଭାବେ ପୂର୍ବ ତପ‌ଫଳେ । ଜନ୍ମଇ ଭାରତମଣ୍ତଳେ ।
ନିର୍ମଳ ଜ୍ଞାନ ହୃଦଗତେ । ଯେବେ ଚିନ୍ତଇ ଏକଚିତ୍ତେ ।
ଦୁର୍ଲ୍ଲଭ କର୍ମ ଏ ବଚନ । ଯେ କରେ ଶ୍ରବଣ କୀର୍ତ୍ତନ ।
ଅନେକ ଜନ୍ମେ ଏହା ସାଧି । ନିଗମ‌ବାକ୍ୟ ଏ ପ୍ରସିଦ୍ଧି ।
ଶୁଣ ହୋ ରାଜା ମନ ଦେଇ । ଉତ୍ତମ ଶିଷ୍ୟେ ଏହା କ‌ହି ।
ଭକ‌ତିଯୋଗ ପ୍ରାଣୀଙ୍କର । ଶ୍ରବଣ-କୀର୍ତ୍ତନ-ଗୋଚର ।
ଏଣେ ହୋ ତ‌ତ୍ତ୍ୱଜ୍ଞାନେ ସ୍ମରେ । ବିଷ‌ୟ-ରସ ନ ସୁମରେ ।
ବଢ଼ଇ ଦିନେ ଦିନେ ଜ୍ଞାନ । ଜନ୍ତୁକୁ ଭୋଜନ ଯେସନ ।