ପୃଷ୍ଠା:Typical selections from Oriya literature.pdf/୨୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୨
ଓଡ଼ିଆ ସାହିତ୍ୟ-ପରିଚୟ

(10)
Sk. XI, Ch. IV. (Same subject continued).
ନିମିରୁବାଚ

ବୋଲନ୍ତି ନିମି ପୁଣ୍ୟଦେହା । ଜଗନ୍ମୋହିନୀ ବିଷ୍ଣୁମାୟା ।
ଏରୂପେ ସଂସାରେ ପ୍ରଚରେ । ପ୍ରାଣୀ କେମନ୍ତେ ତ‌ହୁଁ ତରେ ।
ଗୋବିନ୍ଦ-କଥା ସୁଧାପାନ । ଶୁଣି ସନ୍ତୋଷ ନୁହେ ମନ ।
ବିଷ୍ଣୁମାୟାରେ ମୁହିଁ ଭ୍ରମି । ଜନ୍ମ-ମରଣ-ପଥଶ୍ରମୀ ।
ତାପେ ତାପିତ ମୋର ଦେହ । ଅମୃତ ପାନ ମୋତେ ଦିଅ ।
ହରି-କଥନେ ମୋତେ ରଖ । ତା ଶୁଣି ବୋଲେ ଅନ୍ତରୀକ୍ଷ ।

ଅନ୍ତରୀକ୍ଷ ଉବାଚ

ଶୁଣ ରାଜନ ଶୁଦ୍ଧଚେତା । ଯେ ବିଷ୍ଣୁ-ମାୟାର ବ୍ୟବସ୍ଥା ।
କେ ଜାଣିପାରେ ତା ସଂସାରେ । ଶୁଣ କ‌ହିବା ତୋ ଗୋଚରେ ।
ଅନାଦି ପୁରୁଷ ଅନନ୍ତ । ଯେମନ୍ତ ସୃଜିଲା ଜଗତ ।
ନିର୍ଲେପ ପ୍ରଭୁ ଭଗବାନ । ମାୟାର ପରମକାରଣ ।
ସଂସାରେ କ୍ରୀଡ଼ା-ଇଚ୍ଛା କରି । ଭାବେ ଈଶ୍ୱର-ରୂପ ଧରି ।
ଈଶ୍ୱର-ତେଜ ଅନ୍ତରାଳ । ତ‌ତ୍‌କ୍ଷଣେ ଉପୁଜିଲା କାଳ ।
କାଳଶରୀରୁ ଆତ୍ମା ଜାତ । ସେ ନୁହେ ବିଷ୍ଣୁ ମାୟାଗ୍ରସ୍ତ ।
ଆତ୍ମା ସମୀପେ ଆଶ୍ରା କରି । ଜୀବ ଉପୁଜେ ମାୟା ଧରି ।
ସେ ଜୀବ ଈଶ୍ୱର-ଆୟତ୍ତ । ତ୍ରିଗୁଣ ମାୟାରେ ଜନ୍ମିତ ।
ଏ ଜୀବ ମାୟା ଦେହେ ଥାଇ । ପ୍ରକୃତିରୂପେ ସମ୍ଭବଇ ।
ସେ ପୁଣ ମାୟା ମୋହ ଆଦି । ଜଗତ-କାରଣ ପ୍ରସିଦ୍ଧି ।
ସେ ମାୟା ଜୀବ‌କୁ ଅନାଇ । ଈଶ୍ୱରବଶେ କ୍ଷୋଭ ପାଇ ।
ଯେସନେ ନୀରବିମ୍ବ ଜଳେ । ରୂପ ପ୍ରକାଶେ ବାୟୁବଳେ ।
ସେରୂପ ବିରାଟ ପୁରୁଷ । ଈଶ୍ୱର ମାୟାରେ ପ୍ରବେଶ ।
ତାହାର ମଧ୍ୟେ ଲିଙ୍ଗରୂପେ । ଜୀବ ଭ୍ରମଇ ମାୟାକଳ୍ପେ ।
ଜୀବ ବିଷୟ-ଭୋଗ ଅର୍ଥେ । ନାନା ପ୍ରପଞ୍ଚେ ଏ ଜଗତେ ।
ସୃଷ୍ଟି କରଇ ଭଗବାନ । ଯେ ମାୟା ପ୍ରକାରେ ପ୍ରଧାନ ।
ପ୍ରବେଶ ହୁଏ ତାର ମଧ୍ୟେ । ବେଦ-ବିଧାନ ଅନୁବାଦେ ।
ବସଇ ଜୀବର ସମୀପେ । ନିର୍ଲେପ ଅନ୍ତର୍ଯ୍ୟାମୀରୂପେ ।
ଜୀବକୁ ଭୁଞ୍ଜାଇ ଭୁଞ୍ଜଇ । ଅନ୍ତରେ ସାକ୍ଷୀରୂପେ ଥାଇ ।
କରେ କରାଇ ସର୍ବ କର୍ମ । ଯେ ବେଦ-ବିଧି ନିଜ ଧର୍ମ ।
ସଙ୍ଗ ନୁହଇ କର୍ମଫଳେ । ନଳିନୀଦଳ ଯେହ୍ନେ ଜଳେ ।
ଜୀବ ଈଶ୍ୱରେ ବଶ ହୋଇ । ଇନ୍ଦ୍ରିୟ ଅର୍ଥେ ଭୋଗ ପାଇ ।
ଦେହ‌କୁ କରେ ଅହ‌ଙ୍କାର । ବୋଲଇ ସର୍ବକର୍ମ ମୋର ।