ଏମନ୍ତେ ଥାଇ ଗୃହବାସେ । କର୍ମ କରଇ ଫଳଆଶେ ।
କାମିନୀ ସଙ୍ଗେ କରେ ଭାବ । କେବଳ ଦୁଃଖମାତ୍ର ଲାଭ ।
ମରଣ-ପଥ-ହେତୁ ଧନ । ତାର ଅର୍ଜ୍ଜୁନେ ନିତ୍ୟ ମନ ।
ଅନେକ ଦୁଃଖେ ତା ସଞ୍ଚଇ । ନିଶି ଦିବସେ ମନ ଦେଇ ।
ନିରତେ ହୃଦୟେ ନିର୍ଦ୍ଦୟ । ଏଣୁଟି ଧନ ଦୁଃଖମୟ ।
ଦୁଃଖେ ସଞ୍ଚିତ ଯେତେ ଧନ । ସେ ନୁହେ ସୁଖେ ପ୍ରୟୋଜନ ।
ସୁତ, ତନୟ, ଦାରା, ଦାସ । ଏ ସର୍ବ ବିଜୁଳୀ ପ୍ରକାଶ ।
ଏହାଙ୍କ ସ୍ନେହେ ବନ୍ଦୀ ହୋଇ । ପୋଷଇ ଦୁଃଖଭାର ବହି ।
ଏ ପୁଣି ଯାନ୍ତି କର୍ମପଥେ । ଶୋକ-ସନ୍ତାପ ଦେଇ ଚିତ୍ତେ ।
ଏହାଙ୍କ ସଙ୍ଗେ ଲାଭ ଏହି । ଏ ଭାବ ମୂଢ଼ ନ ଜାଣଇ ।
ଉଭୟକୁଳ କରେ ନାଶ । ଏହି କାରଣେ ଗୃହବାସ ।
ଗୃହୀ ସ୍ୱଭାବେ ପୁଣ୍ୟ କରି । ସ୍ୱର୍ଗେ ବସନ୍ତି ଦେହ ଧରି ।
ଭୁଞ୍ଜନ୍ତି ନିଜ କର୍ମଫଳ । ସେ ପୁଣି ନୁହନ୍ତି ନିଶ୍ଚଳ ।
କ୍ରମଶେ ଭୋଗ କ୍ଷୀଣ ହୋଇ । କର୍ମ ସରିଲେ ଭୋଗ କାହିଁ ।
ପୁଣି ପଡ଼ନ୍ତି ଘୋରତମେ । ଗତ ଆଗତ ପଥଶ୍ରମେ ।
ଏ କଥା ବୁଝି ଗୁରୁପାଦେ । ଆଶ୍ରା କରିବ ଅପ୍ରମାଦେ ।
ଉତ୍ତମ ଗୁରୁ ଆଶ୍ରା କରି । ଗୁରୁ-ବଚନ ଶିରେ ଧରି ।
ଯେ ଗୁରୁ ଜାଣେ ବେଦତତ୍ତ । ନିର୍ଗୁଣ ଆତ୍ମାଜ୍ଞାନେ ରତ ।
ସମଦରଶୀ ନିଷ୍ଠାପର । ତପ-କଷଣ ସହେ ଧୀର ।
ନିରତେ ଥାଇ ପରହିତେ । ଈଶ୍ୱର-ମାୟା ଜାଣି ଚିତ୍ତେ ।
ଏମନ୍ତ ଗୁରୁପାଦେ ଭଜି । ହିଂସା କପଟ ଦୂରେ ତେଜି ।
ସେବା କରିବ ଦୃଢଚିତ୍ତେ । ଯେଗୁରୁ ଶିଷ୍ୟ ଭାବମତେ ।
ପ୍ରଥମେ ବିଷୟ-ଅସଙ୍ଗୀ । ପ୍ରେମପୁଲକେ ତନୁଭଙ୍ଗୀ ।
ମନ ନ ଥିବ ଅନ୍ୟ ସଙ୍ଗେ । ଚିତ୍ତ ନିବେଶି ଗୁରୁଅଙ୍ଗେ ।
ସାଧୁ ସଙ୍ଗତେ ଥିବ ନିତ୍ୟେ । ଜନ୍ତୁଙ୍କୁ ଦୟା ହୃଦଗତେ ।
ନିରତେ ପ୍ରେମ ମିତ୍ରଭାବ । ଏ ଆଦି ଯତନେ ସାଧିବ ।
ଶଉଚ-ତପ-ଦୟା-ଗୁଣ । ମଉନ-ବେଦ-ଅଭ୍ୟାସନ ।
କପଟତ୍ୟାଗ ଶମ ଦମ । ଏ ଆଦି ବ୍ରହ୍ମଚର୍ଯ୍ୟ କର୍ମ ।
ଜଗତ ବିଷ୍ଣୁ-ଭାବେ ଚାହିଁ । ଉଦାସମତେ ଦେହ ବହି ।
ନିର୍ଲ୍ଲୋଭେ ସର୍ବ ସଙ୍ଗେ ଥିବ । ସ୍ୱଭାବ କର୍ମହିଁ କରିବ ।
ଗୃହ ଆରମ୍ଭି ଗୃହୀମେଳେ । ନ ପଶି ରହିବ ନୀରୋଳେ ।
କର୍ମେ ଈଶ୍ୱର ଯାହା ଦେବ । ସେ ଭାବେ ଉଦର ପୋଷିବ ।
ପରମଶାସ୍ତ୍ର ଭାଗବତ । ଅଭ୍ୟାସ କରୁଥିବ ନିତ୍ୟ ।
ଅନ୍ୟ ଶାସ୍ତ୍ରର ଗୁଣ-ଦୋଷ । ମୁଖେ ନ କରିବ ପ୍ରକାଶ ।
ପୃଷ୍ଠା:Typical selections from Oriya literature.pdf/୨୪୦
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୪
ଓଡ଼ିଆ ସାହିତ୍ୟ-ପରିଚୟ