ପୃଷ୍ଠା:Typical selections from Oriya literature.pdf/୨୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୬
ଓଡ଼ିଆ ସାହିତ୍ୟ-ପରିଚୟ

ସୁଷୁପ୍ତି ବୋଧହିଁ ନ ଜାଣି । ବାହ୍ୟ ଅନ୍ତର ପରିମାଣି ।
ଦେହ ଇନ୍ଦ୍ରିୟ ପଞ୍ଚପ୍ରାଣ । ଏ ଆଦି ଅନ୍ତର କାରଣ ।
ତେଣେ ବିଷୟ ସଞ୍ଚରନ୍ତି । ଯାହାର ଆଶ୍ରୟେ ଜୀଅନ୍ତି ।
ବ୍ରହ୍ମାଣ୍ତ କୋଟି କୋଟିମାତ୍ରେ । ଘଟନ କରେ ନିଜଗାତ୍ରେ ।
ଭୂତ ଭବିଷ୍ୟ ବର୍ତ୍ତମାନ । ସର୍ଜଇ କରି ଅନୁମାନ ।
ସମ୍ପୂର୍ଣ୍ଣେ ସର୍ବଜୀବେ ବସେ । କାହାରି ସଙ୍ଗତେ ନ ମିଶେ ।
ମନ ବଚନ ଯାର ଦେହେ । ପଶି ନ ପାରନ୍ତି ଉପାୟେ ।
ନୟନେ ଯାହା ନ ଦେଖଇ । ଇନ୍ଦ୍ରିୟଗଣେ ଭେଦ କାହିଁ ।
ଆବର ମନ ବୁଦ୍ଧି ପ୍ରାଣ । ଯାହାର ଦେହେ ହୋନ୍ତି ଲୀନ ।
ସେ ପୁଣି ନ ପାରନ୍ତି ଚିନ୍ତି । ଅନେକ ଦୂରେ ସେ ରହ‌ନ୍ତି ।
ଅଗ୍ନି-କଣିକା ତେଜବଳେ । ଯେହ୍ନେ ଉଡ଼ଇ ଅନ୍ତରାଳେ ।
ପବନେ ଦଶଦିଗେ ଯାନ୍ତି । ପୁଣି ଅନଳେ ନ ପଶନ୍ତି ।
କୋଟି ବ୍ରହ୍ମାଣ୍ତ ଏହି ମତେ । ଯାହାର ଦେହେ ହୋନ୍ତି ନିତ୍ୟେ ।
ଏମନ୍ତେ ମହିମା ଯାହାର । ତାହାକୁ କେ କରେ ଗୋଚର ।
ଶବଦ ବ୍ରହ୍ମ ଥାଇ ଦୂରେ । ସେ ପୁଣି ବୁଦ୍ଧି ଅନୁସାରେ ।
ନାନା ପ୍ରପଞ୍ଚ ଏ ଜଗତେ । ବିଧି-ନିଷେଧ ଜ୍ଞାନପ‌ଥେ ।
ଜଗତେ ଭ୍ରମାଇ ଭ୍ରମଇ । ସେ ତାକୁ ତ‌ତ୍ତ୍ୱେ ନ ଜାଣଇ ।
ପ୍ରଥମେ ଏକ ବ୍ରହ୍ମ ଥିଲା । ଦ୍ୱିତୀୟେ ପ୍ରକୃତି ହୋଇଲା ।
ପ୍ରକୃତି ତ‌ହୁଁ ପୁତ୍ର ଜାତ । ଯାହାକୁ ବୋଲି ଜ୍ଞାନ‌ତ‌ତ୍ତ୍ୱ ।
ତାର ସମୀପେ ଜୀବ ଜାତ । ସେ ଜୀବ କର୍ମର ଆୟତ୍ତ ।
ସେ ବ୍ରହ୍ମ ଥାଇ ଏକସ୍ୱରେ । ମାୟାରେ ନାନାଶକ୍ତି ଧରେ ।
ଖେଳଇ ନାନାରୂପ ଧରି । ସୁଖ ଆନନ୍ଦେ ମୋଦ ଭରି ।
ତୁ ଯେବେ ବୋଲୁ ବ୍ରହ୍ମ ଏକ । ସେ ପୁଣି ପ୍ରକାଶେ ଅନେକ ।
କ୍ରୀଡ଼ାର ଅନ୍ତେ ସର୍ବେ ନାଶେ । କେବଳ ରହେ ଅବଶେଷେ ।
କିପାଁ ନୁହଇ ବ୍ରହ୍ମ‌ବଧ । ଆଗମ-ନିଗମ-ପ୍ରମାଦ ।
ଏମନ୍ତ କରୁ ଯେବେ ମନେ । ଶୁଣ କ‌ହିବା ସାବଧାନେ ।
ନିତ୍ୟ ନିର୍ଗୁଣ ଭଗବାନ । ସେ ନୁହେ ଆଦି ଅବସାନ ।
ଯାହାର କ୍ଷୟ ବୃଦ୍ଧି ନାହିଁ । ଅଳପ ବ‌ହୁତ ନୁହଇ ।
ଯେ ନିତ୍ୟ ଏକରୂପେ ଥାଇ । ଆଧି ଉପାଧି ଯାର ନାହିଁ ।
ନିତ୍ୟ ଆନନ୍ଦମୟ ସାକ୍ଷୀ । ସଂସାରେ ଏତେ ମାତ୍ର ଲେଖି ।
ମନର କଳ୍ପନା ଜଗତ । ଯେରୂପ ଦେଖି ନାନାମତ ।
କୀଟ ପ‌ତଙ୍ଗ ତରୁ ତୃଣେ । ବସଇ ଶରୀର ପ୍ରମାଣେ ।
ସମେ ବସଇ ସର୍ବଦେହେ । ସ୍ଥୂଳ ନୟନେ ଭେଦ ନୋହେ ।
ଏ ରୂପେ ବ୍ରହ୍ମ ପରମାଣି । ଯାହା ନୟନେ ଦେଖି ପୁଣି ।