ପୃଷ୍ଠା:Typical selections from Oriya literature.pdf/୨୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୧
ଓଡ଼ିଆ ସାହିତ୍ୟ-ପରିଚୟ

ବିଚାରି ଦେବଙ୍କ ସଙ୍ଗତେ । ତପ ସମାଧି ବିଘ୍ନ ଅର୍ଥେ ।
ଉପାୟ କଲା ଶିରୀପ୍ତି । ଯେଣୁ ସ୍ୱଭାବେ ମନ୍ଦମତି ।
କନ୍ଦର୍ପ ରାଇ ପୁରନ୍ଦର । ବୋଇଲା ଯାଅ ମର୍ତ୍ତ୍ୟପୁର ।
ବସନ୍ତ ପବ‌ନ‌କୁ ଚାହିଁ । ବୋଲଇ ସଙ୍ଗେ ଚଳ ତୁହି ।
ତୁତ ସ୍ୱଭାବେ ମନ୍ଦ ଗନ୍ଧ । ଘେନିଣ ଅପସରାବୃନ୍ଦ ।
କୋକିଳ-ଧ୍ୱନି-ଗୀତ ସ୍ୱନେ । ନୃତ୍ୟ କରିବ ବିଦ୍ୟମାନେ ।
ନାନା ପ୍ରକାରେ ମନ ହରି । ତପ-ସମାଧି ଭଗ୍ନ କରି ।
ବ‌ହ‌ନ ଆସ ସ୍ୱର୍ଗସ୍ଥାନେ । ଏମନ୍ତ ଇନ୍ଦ୍ରର ବଚନେ ।
ମଧୁରଧ୍ୱନି ଗୀତ-ସ୍ୱନେ । ମିଳିଲେ ନାରାୟଣ-ସ୍ଥାନେ ।
ବସନ୍ତେ ପୁଷ୍ପିତ କାନନ । ଦେଖି ହରଇ ପ୍ରାଣିମନ ।
କନ୍ଦର୍ପ ନାରାୟଣେ ଚାହିଁ । ପୁଷ୍ପକୋଦଣ୍ତେ ଗୁଣ ଦେଇ ।
ପଞ୍ଚ ନାରାଚ ଅତିତମେ । ବିନ୍ଧିଲା କୃଷ୍ଣଙ୍କୁ ମରମେ ।
ଲଳିତ ବ‌ହଇ ବସନ୍ତ । ଗଭୀର ନାଦେ ଶୁଭେ ଗୀତ ।
ଦେଖିଣ ତାହାଙ୍କ ଉପାୟ । ଧ୍ୟାନେ ଜାଣିଲେ ଦେବରାୟ ।
ଇନ୍ଦ୍ର ଯେ ଭୟ କରି ଚିତ୍ତେ । ମୋର ସମାଧି ଭଗ୍ନ ଅର୍ଥେ ।
ଏହାଙ୍କୁ ପେକ୍ଷି ଉଦବେଗେ । ମନ ବିଷାଦେ ଅଛି ସ୍ୱର୍ଗେ ।
ଏହା ବିଚାରି ନାରାୟଣ । ବୋଇଲେ ଇନ୍ଦ୍ରଗଣେ ଶୁଣ ।
ରଙ୍ଗଅଧରେ ମନ୍ଦ‌ହସି । ତାହାଙ୍କୁ ବୋଲନ୍ତି ଆଶ୍ୱାସି ।
ଭୟ ନ କର ତୁମ୍ଭେ ଚିତ୍ତେ । ଉପାୟ କର ନାନାମତେ ।
ମୋହର ତପ ଭଗ୍ନ କର । ଇନ୍ଦ୍ରକୁ ଯେବେ ତୁମ୍ଭେ ଡର ।
ଆଜ ତୁମ୍ଭର ଆଗମନ । ଧନ୍ୟ ମଙ୍ଗଳ ମୋର ସ୍ଥାନ ।
ଏମନ୍ତ କ‌ହି ଭଗବାନ । ତ‌ତ୍‌କ୍ଷଣେ ହୋଇଲେ ମଉ‌ନ ।
ତା ଦେଖି ଇନ୍ଦ୍ରଗଣ ଡ଼ରେ । ନମିଲେ ବିଷ୍ଣୁଙ୍କ ପୟରେ ।
ଭୟେ କମ୍ପନ୍ତି ମୁଖ ଚାହିଁ । ବୋଲନ୍ତି ଶୁଣ ଭାବଗ୍ରାହୀ ।
ଏ ଯେ ବିଚିତ୍ର କ‌ଥା ତୋର । ତୁ ଧର୍ମ ପ୍ରଭୁ ନିରାକାର ।
ନିର୍ଗୁଣ ନିର୍ବିକାର ଦେହୀ । ପ୍ରକୃତି ତୋତେ ନ‌ଜାଣଇ ।
ତୋହର ଅଭୟ ଚରଣ । ସେବନ୍ତି ଆତ୍ମଜ୍ଞାନ‌ଗଣ ।
ଯୋଗିଙ୍କ ହୃଦୟ-କମଳେ । ତୋହର ଆସନ ନିଶ୍ଚଳେ ।
ତୋର ଚରଣେ ଯେ ସେବନ୍ତି । ଦେବେ ତାହାକୁ ବିଘ୍ନ ଚିନ୍ତି ।
ବୋଲନ୍ତି ଜପ-ଯଜ୍ଞ-ତ୍ୟାଗୀ । ଏ ଯେ ହୋଇବ ମୋକ୍ଷଭାଗୀ ।
ଏଣୁ ଡରନ୍ତି ଦେବଗଣ । କରନ୍ତି ବିଘ୍ନ ଆଚରଣ ।
ଯେ ଅନ୍ୟ ଦେବତା ଭଜନ୍ତି । ତାହାକୁ ବିଘ୍ନ ନ କରନ୍ତି ।
ସମସ୍ତେ ମିଳି ଅଗ୍ନି-କୁଣ୍ତେ । ଘୃତ ସମିଧ ଭକ୍ଷି ତୁଣ୍ତେ ।
ଯଜ୍ଞ ଭୋଜନେ ସୁଖେ ଥାନ୍ତି । ତାହାକୁ ଦୟା ସେ କରନ୍ତି ।