ପୃଷ୍ଠା:Typical selections from Oriya literature.pdf/୨୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୨
ଓଡ଼ିଆ ସାହିତ୍ୟ-ପରିଚୟ

ଯେ ତୋର ଚରଣେ ସେବନ୍ତି । ସକଳ ଧର୍ମ ସେ ତ୍ୟଜନ୍ତି ।
ଏକାନ୍ତଚିତ୍ତେ ସୁଖେ ଥାଇ । ଅନ୍ୟ ଦେବଙ୍କୁ ନ ଗଣଇ ।
ତେଣୁ ସେ ଦେବେ କୋପଭରେ । ବିଘ୍ନ ଆଚରନ୍ତି ତାହାରେ ।
ଯେ ତୁମ୍ଭ ଚରଣେ କିଙ୍କର । ତାହାକୁ ତୁମ୍ଭେ ଦୟାକର ।
ବିଘ୍ନ ତାହାଙ୍କ ପାଦେ ନମେ । ଅନ୍ୟ ସଂସାରେ ଯାଇ ଭ୍ରମେ ।
କ୍ଷୁଧା ପିପାସା ଶୀତ ଜ୍ୱର । ଦୁର୍ଜୟ ଶୋକ ଭୟଙ୍କର ।
ମଦନ ଲୋଭ ଆଦି ଆମ୍ଭେ । ଥାଉଁ ନିରତେ ପ୍ରାଣିସଙ୍ଗେ ।
ବିଘ୍ନ ଆଚରୁ ଶତ୍ରୁପଣେ । ଯେ ଧର୍ମ କରେ ଅନୁକ୍ଷଣେ ।
ଆମ୍ଭର ହିଂସା ଏହିମତ । ଯେ ପ୍ରାଣୀ ତୁମ୍ଭର ଭକ‌ତ ।
ତାହାଙ୍କୁ ଦେଖି ଆମ୍ଭେ ଡରି । ସେ ପ୍ରାଣୀ ଭବୁଁ ଯାନ୍ତି ତରି ।
ବାଛୁରୀ ଖୋଜେ ଜଳ ଥିଲେ । ତାହା ଯେସନେ ଲଙ୍ଘି ଭଲେ ।
ସେ ଘୋର ତପ ଆଚରନ୍ତି । ତାହାଙ୍କୁ ଆମ୍ଭେ ବିଘ୍ନ ଚିନ୍ତି ।
କଠୋର ତପ କରି ନାଶ । ଯେ ହୋନ୍ତି କାମଲୋଭେ ବଶ ।
ଛାଡ଼ନ୍ତି ତପ ଧର୍ମ ଭୟେ । ପଡ଼ନ୍ତି ବିଷ୍ଣୁମାୟା ମୋହେ ।
ଏମନ୍ତ କ‌ହୁଁ ଇନ୍ଦ୍ରଗଣେ । ବିଷ୍ଣୁ ସମୀପେ ତ‌ତ‌କ୍ଷଣେ ।
ଅଦ୍ଭୁତ ନାରୀ ରୂପରାଶି । ବିଜୁଳୀ ଯେହ୍ନେ ମେଘୁଁ ଖସି ।
ସେବନ୍ତି ନାରାୟଣ ପାଶେ । ତା ଦେଖି ଇନ୍ଦ୍ରଗଣ ତ୍ରାସେ ।
କମ୍ପନ୍ତି ଜୀବନ କାତରେ । ନୟନ ବୁଜି ଦୁଇ କରେ ।
ସେ ରୂପରାଶି ଦେହ ଗନ୍ଧେ । ଆଘ୍ରାଣ କରି ନାସାରନ୍ଧ୍ରେ ।
ହରିଲା ତାହାଙ୍କର ମନ । ରୂପକୁ ଚାହିଁ ହତଜ୍ଞାନ ।
ମୋହେ ପଡ଼ିଲେ ମହୀସ୍ଥଳେ । କନ୍ୟାଙ୍କ ରୂପ ଗନ୍ଧବଳେ ।
ତା ଦେଖି ପ୍ରଭୁ ବ୍ରହ୍ମରାଶି । ରଙ୍ଗ ଅଧରେ ମନ୍ଦ ହସି ।
ବୋଲନ୍ତି ଦେବଗଣେ ଚାହିଁ । ଭୟ ନ କର ତୁମ୍ଭେ କେହି ।
ମୋର ନିକଟେ କନ୍ୟା ଯେତେ । ଅଛନ୍ତି ସେବା ଅନୁମତେ ।
ତାହାଙ୍କ ପାଦେ ସେବା କର । କନ୍ୟା ଗୋଟିଏ ମାଗ ବର ।
ସେ ଯେବେ ଦ୍ୟନ୍ତି ଏକ ନାରୀ । ତା ଘେନି ଚଳ ସ୍ୱର୍ଗପୁରୀ ।
ସେ ହେଉ ସ୍ୱର୍ଗେ ଅଳଙ୍କାର । ରୂପେ ମୋହିବ ପୁରନ୍ଦର ।
ତ‌ତ୍‌କ୍ଷଣ ଆଜ୍ଞା ଶିରେ ଧରି । କନ୍ୟାଙ୍କ ପାଦେ ସେବା କରି ।
କନ୍ୟାଏ ଲଭି ତାଙ୍କ ମଧ୍ୟେ । ସ୍ୱର୍ଗେ ମିଳିଲେ ଅପ୍ରମାଦେ ।
ଇନ୍ଦ୍ର ସମୀପେ ଦେଲେ ନେଇ । ଉର୍ବଶୀ ନାମ ଯେ ବୋଲାଇ ।
ଦେଖି ସାନନ୍ଦ ପୁରନ୍ଦର । ରୂପେ ମୋହିଲା ସ୍ୱର୍ଗପୁର ।
ପ୍ରଣାମ କରି ଶଚୀନାଥ । କ‌ହିଲେ ସକଳ ବୃତ୍ତାନ୍ତ ।
ଇନ୍ଦ୍ର ଆନନ୍ଦ ତାହା ଶୁଣି । ନିଶ୍ଚେ ଜାଣିଲା ଚକ୍ରପାଣି ।
ବିସ୍ମୟ ଛାଡ଼ି ଦମ୍ଭ ମନେ । ରହିଲା ଇନ୍ଦ୍ର ନିଜସ୍ଥାନେ ।