ପୃଷ୍ଠା:Typical selections from Oriya literature.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୩
ଓଡ଼ିଆ ସାହିତ୍ୟ-ପରିଚୟ

ଏବେ ହୋ ଶୁଣ ନରେଶ୍ୱର । ବିଷ୍ଣୁର ଅଂଶେ ଅବତାର ।
ପରମହଂସ ରୂପ ହୋଇ । ଅଶେଷ ଜ୍ଞାନମୟ ଦେହୀ ।
ଯେ ଅବା କଲେ ଏ ଜଗତେ । ଏବେ ତୁ ଶୁଣ ଏକଚିତ୍ତେ ।
ତୃତୀୟେ ଦତ୍ତାତ୍ରେୟ ହୋଇ । ଜ୍ଞାନ ମଙ୍ଗଳ ପୂର୍ଣ୍ଣ ଦେହୀ ।
ବ୍ରହ୍ମାର ମନୁଁ ଅବତରି । ଚତୁଃସନ‌କ ରୂପ ଧରି ।
ପୁଣି ଋଷଭ ଅବତାର । ଆମ୍ଭେ ହେ ତାହାଙ୍କ କୁମର ।
ସେ ପୁଣି ହୟଗ୍ରୀବ ହୋଇ । ସେରୂପେ ବେଦ ଉଦ୍ଧାରଇ ।
ମଧୁକୈଟଭ ସଂହାରିଲେ । ବ୍ରହ୍ମାଙ୍କୁ ସଙ୍କଟୁ ତାରିଲେ ।
ପଞ୍ଚମେ ମୀନରୂପ ହୋଇ । ଧରଣୀ ନାବ ସଙ୍ଗେ ବ‌ହି ।
ପ୍ରଳୟ ଜଳେ ଶଙ୍ଖା ମାରି । ସେ ରୂପେ ନିଗମ ଉଦ୍ଧାରି ।
ପ୍ରଳୟ ବୃଷ୍ଟିଜଳେ ଭାସି । ଭୂମି ପାତାଳେ ଥିଲା ପଶି ।
ଶୁକର ରୂପ ଧରି ହରି । ଭୂମି ତୋଳିଲେ ଦନ୍ତୋପରି ।
ଇନ୍ଦ୍ର ସମ୍ପଦ ଲାଭ ଅର୍ଥେ । ଦେବ ଦାନବ ଅନୁମତେ ।
ଗଭୀର କ୍ଷୀରସିନ୍ଧୁ ମଧ୍ୟେ । ମନ୍ଦର ଆଣି ସୁଖସାଧେ ।
ଜଳେ ପକାନ୍ତେ ମହାଗିରି । ହରି ତା କୂର୍ମ୍ମରୂପେ ଧରି ।
ଅମୃତ ଆଦି ନାନା ଦ୍ରବ୍ୟ । ଇନ୍ଦ୍ରକୁ ଦେଲେ ହରି ସର୍ବ ।
ଗଜ କୁମ୍ଭୀର ଯୁଦ୍ଧକାଳେ । ସେ ହରି ରୂପ ଅନ୍ତରାଳେ ।
ଚକ୍ରେ କୁମ୍ଭୀର ମୁଣ୍ତ ହାଣି । ଗଜ ଉଦ୍ଧାରି ଚକ୍ରପାଣି ।
କଶ୍ୟପ‌ଋଷି ଯଜ୍ଞମେଳା । ଷାଠିସ‌ହସ୍ର ବାଳଖିଲ୍ୟା ।
ନିତ୍ୟେ ଚାଲନ୍ତି ବନ ଦାଣ୍ତେ । କାଠ ବ‌ହନ୍ତି କନ୍ଧେ ମୁଣ୍ତେ ।
ଦିନେକ ଘେନି ଏକଡ଼ାଳେ । ଷାଠିସ‌ହ‌ସ୍ର ଏକମେଳେ ।
ବ‌ହି ଆଣନ୍ତି ବାହୁବଳେ । ବୁଡ଼ିଲେ ଗୋଷ୍ପଦସଲିଳେ ।
ସମସ୍ତେ ହୋଇ ଏକମୁଖ । ଡାକନ୍ତି ନାରାୟଣ ରଖ ।
ଦେଖିଣ ତାହାଙ୍କ ବିକଳ । ଦୟାସାଗର ଆଦିମୂଳ ।
ତ‌ତ୍‌କ୍ଷଣେ ଦିବ୍ୟରୂପ ଧରି । ବିପ୍ରଙ୍କୁ ସଙ୍କଟୁଁ ଉଦ୍ଧରି ।
ଦେବ ଅସୁର ଯୁଦ୍ଧକାଳେ । ବାସବ ନିଜ ଭୁଜବଳେ ।
ବଜ୍ରେ ଛେଦିଲା ବୃତ୍ରକନ୍ଧ । ତେଣୁ ଲଭିଲା ବ୍ରହ୍ମ‌ବ‌ଧ ।
ବିଚାରି କଲା ମନେ ଦୁଃଖ । ଡାକିଲା ନାରାୟଣ ରଖ ।
ତ‌ତ୍‌‌କ୍ଷଣେ ଧର୍ମରୂପ ଧରି । ଇନ୍ଦ୍ରଙ୍କୁ ସଙ୍କଟୁ ଉଦ୍ଧରି ।
ସତ ଉଦ୍ଧାର ହେତୁ କରି । ନୃସିଂହେ ହିରଣ୍ୟ ସଂହାରି ।
ଦୟାସାଗର ଦାମୋଦର । ଦାନ ଘେନିଲେ ତିନିପୁର ।
ଅଦ୍ଭୁତ ବାମନ ଶରୀରେ । ମିଳିଲେ ବଳି ଯଜ୍ଞଦ୍ୱାରେ ।
ସେରୂପେ ମୋହି ତାର ମନ । ଦାନେ ହରିଲେ ତ୍ରିଭୁବନ ।
ପାଦେ ତାହାର ଶିର ଚାପି । ପାତାଳପୁରେ ନେଇ ସ୍ଥାପି ।