ପୃଷ୍ଠା:Typical selections from Oriya literature.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୫
ଓଡ଼ିଆ ସାହିତ୍ୟ-ପରିଚୟ

ସେ ପ୍ରାଣୀ ପତିତ ପାମର । ଅନ୍ତେ ପଡ଼ଇ ତମ ଘୋର ।
ବଦନ ଥାଉଁ ହରି-ବାଣୀ । ମୁଖେ ଯେ ନ ବୋଲନ୍ତି ପ୍ରାଣୀ ।
ନାମ ନ ଶୁଣନ୍ତି ଶ୍ରବଣେ । ଯେ ଥାନ୍ତି ପାପ-ଆଚରଣେ ।
ମ୍ଳେଚ୍ଛ ପତିତ ଦୁରାଚାର । ସ୍ତ୍ରୀ ଶୂଦ୍ର ଆଦି ଯେତେ ନର ।
ସେ ଯେବେ ସାଧୁଙ୍କୁ ଦେଖନ୍ତି । କଳୁଷ-ପଙ୍କୁ ଉଦ୍ଧରନ୍ତି ।
ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଜନ । ସ୍ୱଭାବେ ଧନ୍ୟ ତିନି ବର୍ଣ୍ଣ ।
ବିଷ୍ଣୁ-ଚରଣ ସନ୍ନିଧାନେ । ଏ ଥାନ୍ତି ନିଗମ ବଚନେ ।
ବ୍ରାହ୍ମଣ ବେଦ ପଢି ବଳେ । କୁଳ-ସମ୍ପଦ ଧନ‌ଛଳେ ।
ମଜ୍ଜଇ କରି ଅହଂକାର । ସ୍କନ୍ଧେ ବ‌ହଇ ବେଦଭାର ।
ଧର୍ମ ଅଧର୍ମ ମାର୍ଗ ବ‌ହି । ଆତ୍ମାକୁ ପଣ୍ତିତ ବୋଲାଇ ।
ସଭାର ମଧ୍ୟେ ଚାଟୁ କ‌ହି । ହସି ହସାଇ ଜନ ମୋହି ।
ସ୍ୱଭାବେ ରଜୋଗୁଣେ ଖଣ୍ତେ । ସଂକଳ୍ପ କରେ କର୍ମକାଣ୍ତେ ।
ଧନ ତନୟ ସୁଖ ଆଶେ । ଶରୀର ଅନ୍ତେ ନର୍କେ ପଶେ ।
ଅଳପ କାର୍ଯ୍ୟେ କ୍ରୋଧ ବ‌ହେ । କାଳ ଭୁଜଙ୍ଗ ପ୍ରାୟ ହୁଏ ।
ସ୍ୱଭାବେ କାମ କ୍ରୋଧ ବଳେ । ନିତ୍ୟେ ଅସାଧୁ ସଙ୍ଗେ ମିଳେ ।
ଏଣୁ ସେ ବିପ୍ର ଆଦି ବର୍ଣ୍ଣ । ପାପୀ ଦୁର୍ଜନ ମତିହୀନ ।
ବିଷ୍ଣୁ ଜନ‌ଙ୍କୁ ଦେଖି ପାଶେ । ନିନ୍ଦା କରଇ ଉପ‌ହାସେ ।
ହସି ବୋଲଇ ହାସ୍ୟ ବାଣୀ । ନିକଟେ କୃଷ୍ଣ-କଥା ଶୁଣି ।
ଗୃହେ ଗୃହିଣୀ ଅଙ୍ଗ ସଙ୍ଗେ । ଚିତ୍ତ ବୁଡ଼ାଇ କାମ‌ଭୋଗେ ।
ଆଶା ବନ୍ଧନେ ଧନ ସଞ୍ଚେ । ମାୟାସଂକଳ୍ପେ ଦିନ ବଞ୍ଚେ ।
ପିଣ୍ତ ପରାଣ ତୃଷାମାତ୍ରେ । ପଶୁ ହିଂସଇ ହିଂସାଶାସ୍ତ୍ରେ ।
ବେଦ ଉଦ୍ଦେଶେ ଜନ୍ତୁ ମାରି । ପୂଜଇ ନାନା ଯଜ୍ଞ କରି ।
ଦାନ ଦକ୍ଷିଣା ବିଧିହୀନେ । କୁକର୍ମ କରଇ ଅଜ୍ଞାନେ ।
ପଶୁ-ମାରଣେ ପାପ ଯେତେ । ଦେଖି ନ ଦେଖଇ ଅଗ୍ରତେ ।
ସମ୍ପଦେ ବଢ଼େ ଅଭିମାନ । ଐଶ୍ୱର୍ଯ୍ୟ-ମଦିରାରେ ମଗ୍ନ ,
ବିଦ୍ୟା-ପଠନ-ଦାନ ବଳେ । ସମ୍ପଦ ଦେଖି ନିଶ୍ଚଳେ ।
ସମ୍ପଦମଦେ ଅନ୍ଧ ହୋଇ । ସାଧୁ ଅସାଧୁ ନ‌ଗଣଇ ।
ବିଷ୍ଣୁ ବୈଷ୍ଣବ ଜନ ଚାହିଁ । ନିନ୍ଦା କରଇ ଗର୍ବ ବ‌ହି ।
ଏ ଭାବେ ସର୍ବ ନାଶ କରେ । ନରକେ ପଡ଼ଇ ନିର୍ଭରେ ।
ସକଳ ଜୀବ ମଧ୍ୟେ ହରି । ବସେ ଅନନ୍ତ ରୂପ ଧରି ।
ବିଷ୍ଣୁର ମାୟାମାତ୍ର ଭ୍ରାନ୍ତି । ଏହା ପାମରେ ନ ବୁଝନ୍ତି ।
ଯାର ମହିମା ବେଦ ଭଣେ । ଯୋଗୀନ୍ଦ୍ର ଯେ ହରି-ଚରଣେ ।
ନିତ୍ୟେ ନିର୍ମଳ ଚିତ୍ତେ ଚିନ୍ତି । ଧ୍ୟାନ ଧାରଣେ ନ ଦେଖନ୍ତି ।
ସେ ହରି ନ ଭଜଇ ଚିତ୍ତେ । କୁବୁଦ୍ଧି ଭାବ ଅବିରତେ ।