ପୃଷ୍ଠା:Typical selections from Oriya literature.pdf/୨୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୯
ଓଡ଼ିଆ ସାହିତ୍ୟ-ପରିଚୟ

ଭବ ବିରଞ୍ଚି ଯାକୁ ଚିତ୍ତେ । ସ୍ତୁତି କରନ୍ତି ଅବିରତେ ।
ଶରଣଜନର ରକ୍ଷଣ । ଭୃତ୍ୟ-ଆରତ-ନିବାରଣ ।
ପ୍ରଣୀତଜନ ଯେ ପାଳଇ । ଏ ଭବଜଳେ ନାବ ହୋଇ ।
ଯେ ରାଜଲକ୍ଷ୍ମୀ ଦେବଗଣେ । ଧ୍ୟାନେ ଚିନ୍ତନ୍ତି ଅନୁକ୍ଷଣେ ।
ମନୁଷ୍ୟଦେହ ମର୍ତ୍ତ୍ୟେ ଧରି । କେ ଅବା ପାରେ ଦୂର କରି ।
ପିତୃବଚନ ଶିରେ ଧରି । ଯେ ରାଜ୍ୟ ଦୂରେ ପରିହରି ।
ଧର୍ମିଷ୍ଠଗୁଣେ ପଶି ବନେ । ଯନ୍ତ୍ରିତ ପ୍ରିୟାର ବଚନେ ।
ଧାଇଁଲା ମାୟାମୃଗ ଅର୍ଥେ । ବନ-ଗ‌ହ‌ନ-ଘୋରପଥେ ।
ସେ ପଦେ ମୋର ନମସ୍କାର । ଧ୍ୟାନେ ଖଣ୍ତଇ ତମଘୋର ।
ଯୁଗକୁ ଯୁଗ ଏହିମତେ । ପରମାନନ୍ଦ ଏ ଜଗତେ ।
ଧରଣୀ ମଧ୍ୟେ ଅବତରି । ଭ୍ରମଇ ନାନାରୂପ ଧରି ।
ସେ ରୂପ ପୂଜି ନର ନାରୀ । ମାୟା ସଂସାରୁ ଯାନ୍ତି ତରି ।
ଯେ ପ୍ରାଣୀ ପଣ୍ତିତ ବୋଲାଇ । ଗୁଣଜ୍ଞ ସର୍ବ ସାରଗ୍ରାହୀ ।
ସକଳ ଶାସ୍ତ୍ର ଅନୁମାନେ । ନିର୍ମଳଚିତ୍ତେ ମହାଜ୍ଞାନେ ।
ବେଦ ବିଚାରି ବ୍ରହ୍ମ‌ଭାଗ । ସେ ବୋଲେ ଧନ୍ୟ କଳିଯୁଗ ।
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କୃଷ୍ଣର ନାମ ସଂକୀର୍ତ୍ତନେ ।
କଳିକଳୁଷେ ଦୁଷ୍ଟଚିତ୍ତେ । ଗୃହ-କଷଣେ ଅବିରତେ ।
ନାନା ସଙ୍କଟେ ଯେବେ ଥାନ୍ତି । ସଂସାରେ ନାହିଁ ତାଙ୍କ ଭ୍ରାନ୍ତି ।
ଲବେ ନିମିଷେ କ୍ଷଣେ ଲେଶେ । ଯେ ଅବା ଥିବେ ଯେଉଁଦେଶେ ।
କୃଷ୍ଣର ନାମ ଉଚ୍ଚେ ଗାଇ । ଲୋମ‌ପୁଲକ ତନୁ ବ‌ହି ।
ନୟନୁ ବ‌ହି ଅଶ୍ରୁଜଳ । ଲ‌ଭନ୍ତି କୋଟିତୀର୍ଥ ଫଳ ।
ଏ ବଡ଼ ଲାଭ ଏ ଜଗତେ । କୃଷ୍ଣଭଜନ ନାନାମତେ ।
ମୁଖେ ଉଚ୍ଚାରି ନିତି ନିତି । ଅଶେଷ ପାପୁଁ ତରିଯାନ୍ତି ।
ସତ୍ୟ‌ଯୁଗର ପ୍ରଜାଗଣ । ଭବିଷ୍ୟମତେ ପରିମାଣ ।
କରି କଳ୍ପନ୍ତି ସୁଖଭୋଗ । ଆମ୍ଭେ ଜନ୍ମିବୁଁ କଳିଯୁଗ ।
ବ୍ରାହ୍ମଣାଆଦି ଚାରିବର୍ଣ୍ଣେ । ତରିବେ ନାମ ସଂକୀର୍ତ୍ତନେ ।
ତାହାଙ୍କ ମଧ୍ୟେ ଆମ୍ଭେ ଥାଇ । ତୁଣ୍ତେ ଗୋବିନ୍ଦ ନାମ ଗାଇ ।
ଭକତମୁଖୁଁ କୃଷ୍ଣ ଶୁଣି । ତରିବୁଁ ଭବତରଙ୍ଗିଣୀ ।
ଗୋବିନ୍ଦ-ଚରଣାରବିନ୍ଦ । ସ୍ୱାଦୁ, ସୁଗନ୍ଧ, ମକରନ୍ଦ ।
ମନଭ୍ରମରେ କରି ପାନ । ଯେ ଅବା ଥିବେ ସାଧୁଜନ ।
ତାହାଙ୍କ ସଙ୍ଗେ ମିତ୍ରପଣେ । ସେବିବୁଁ କୃଷ୍ଣର ଚରଣେ ।
ଏମନ୍ତ ଚିତ୍ତେ କରି ଆଶା । କଳିକି କରନ୍ତି ପ୍ରଶଂସା ।
ମୁଖେ ଧରନ୍ତି କୃଷ୍ଣନାମ । ଶ୍ରବଣମାତ୍ରେ ଅଭିରାମ ।
ପ୍ରବେଶ କରି ପ୍ରାଣିମଧ୍ୟେ । ଜନ୍ମ-ମରଣ-ପଥ ଛେଦେ।