ପୃଷ୍ଠା:Typical selections from Oriya literature.pdf/୨୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୦
ଓଡ଼ିଆ ସାହିତ୍ୟ-ପରିଚୟ
ନାରଦ ଉବାଚ

ଏମନ୍ତେ ନବ ମୁନିଗଣେ । ରାଜାଙ୍କୁ ଚାହିଁ ଜଣେ ଜଣେ ।
କ‌ହିଲେ ଭାଗବତ ଧର୍ମ । ଯେରୂପେ ବିଷ୍ଣୁ-ସେବା-କର୍ମ ।
ଶୁଣି ସାନନ୍ଦ ଦଣ୍ତଧାରୀ । ଲୋମ‌‌ପୁଲକ ତନୁ କରି ।
ନୟନୁ ଅଶ୍ରୁଜଳ ଝରେ । ନିର୍ମଳ ବାହ୍ୟ ଅଭ୍ୟନ୍ତରେ ।
ମୁନିଙ୍କ ଚରଣେ ପୂଜିଲା । ଆନନ୍ଦେ ନୟନ ବୁଜିଲା ।
ତ‌ତ୍‌କ୍ଷଣେ ସଭା ବିଦ୍ୟମାନେ । ମୁନି ଚଳିଲେ ଅନ୍ତର୍ଦ୍ଧାନେ ।
ଯେ ଧର୍ମ କ‌ହିଗଲେ ମୁନି । ନିମି ହୃଦରେ ତାହା ଘେନି ।
ଭାବି ହୋଇଲା ଭବୁ ପାର । ଏବେ ହୋ ଶୁଣ ଯଦୁବୀର ।
ତୁ ଏବେ ଏହି ଧର୍ମ କରି । ଅନ୍ତେ ଲଭିବୁ ନରହରି ।
ତୁ ଧନ୍ୟ ଧନ୍ୟ ତୋ ଜୀବନ । ଯାହାର ପୁତ୍ର ଭଗବାନ ।
ଲଭିଲୁ ପୂର୍ବ ତପଫଳେ । ଏଣୁ ତୋ ଯଶ ମ‌ହୀତଳେ ।
ବିଖ୍ୟାତ ତିନି ଭୁବନରେ । ଯେ ଯଶ ଗାଇ ପ୍ରାଣୀ ତରେ ।
ଆସନ ଭୋଜନ ଶୟନେ । ନିରତେ ଦେଖୁ ତୁ ନୟନେ ।
ଏ ମୋର ପୁତ୍ର ବୋଲି ଭୋଳେ । ଚୁମ୍ବନ ଦେଇ ଧରୁ କୋଳେ ।
ବ୍ରହ୍ମକୁ କରୁ ଆଲିଙ୍ଗନ । ଏଣୁ ତୁ ତ୍ରିଭୁବନେ ଧନ୍ୟ ।
ଦନ୍ତ ବିକଟ ବିଦ୍ୟୁରଥ । ଶାଲ୍ୱ ସ‌ହିତେ ଚେଦିନାଥ ।
କଂସ ମଗଧେଶ୍ୱର ଯେତେ । ଦୁଷ୍ଟ ଯେ ଥିଲେ ଭୂମିଗତେ ।
କୃଷ୍ଣେ ବଇରୀଭାବ ବ‌ହି । ପଶିଲେ କୃଷ୍ଣ ଦେହେ ଯାଇ ।
ସେ ହରି-ଚରଣ-କମଳେ । ଯେ ଚିନ୍ତେ ସ୍ନେହଭାବଭୋଳେ ।
ତାହାର ଗତି କେବା ଜାଣି । ବ୍ରହ୍ମା ଶଙ୍କର ପରିମାଣି ।
କୃଷ୍ଣର ପୁତ୍ର ତୁ ନ ମଣ । ସେ ଯେ ଅନାଦି ନାରାୟଣ ।
ଆଦିପୁରୁଷ ତୋର ଘରେ । ମାୟାମନୁଷ୍ୟ ରୂପ ଧରେ ।
ହେଳେ ଅସୁରବଳ ମାରି । ଆପଦୁଁ ଅବନୀ ଉଦ୍ଧାରି ।
ସ୍ୱଭାବେ ଜନ୍ମ ଯାର ନାହିଁ । ମନ ବଚନେ ଭେଦ କାହିଁ ।
ସେ ହରି ଦେବକୀ-ଉଦରେ । ଜନ୍ମ ଲଭିଲେ ତୋର ଘରେ ।
ତୋ ଯଶ ଜଗତେ ବିସ୍ତାରି । ସେ ପୁଣି ଯିବେ ନିଜପୁରୀ ।
ଏମନ୍ତେ ନାରଦର ବାଣୀ । ଦେବକୀ-ବସୁଦେବ ଶୁଣି ।
ତନୁ ପୁଲକ ଲୋମରାଜି । ଭାବ ଗଦ୍ଗଦେ ଚକ୍ଷୁ ବୁଜି ।
କୃଷ୍ଣଙ୍କୁ ପୁତ୍ରଭାବେ ମଣି । କିଛି ନ ବୋଲି ହେଲେ ତୁନି ।

ଶ୍ରୀ ଶୁକ ଉବାଚ

ବୋଲନ୍ତି ଶୁକ ମୁନିବର । ସେ ନବ ଋଷଭକୁମର ।
ନିମିର ଯଜ୍ଞଶାଳେ ଯାଇ । ଯେ ଇତିହାସ ଗଲେ କ‌ହି ।