ପୃଷ୍ଠା:Typical selections from Oriya literature.pdf/୨୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୨୨
ଓଡ଼ିଆ ସାହିତ୍ୟ-ପରିଚୟ

ବୋଲଇ କନ୍ୟା-ମୁଖ ଚାହିଁ । ତଣ୍ତୁଳ ଆଶେ ଧାନ୍ୟ ଦେଇ ।
ବେଗେ ତୁ କୁଟ ରୋଳ ଭରି । ତା ଶୁଣି ବ୍ରାହ୍ମଣକୁମାରୀ ।
ରୋଳ ମୂଷଳ ଏକ‌କରି । କୁଟଇ ବେନିକରେ ଧରି ।
ଭୁଜେ ତା ବଳୟ କଙ୍କଣ । କୁଟନ୍ତେ ଶୁଭେ ରୁଣ ଝୁଣ ।
ପୁଣି କୁମାରୀ ଲଜ୍ଜା ପାଇ । ଅଧେ କଙ୍କଣ ହସ୍ତ ଫେଇ ।
ପୁଣ କୁଟନ୍ତେ ଧୀରେ ଧୀରେ । ହସ୍ତ କଙ୍କଣ ନାଦ କରେ ।
କୁମାରୀ ମନେ ବିଚାରଇ । ସଙ୍ଗ-ଗ‌ହଳେ ଗୋଳ ହୋଇ ।
ଏମନ୍ତ ବିଚାରିଣ ଥୋକେ । ପୁଣି ଫେଇଲା ଏକେ ଏକେ ।
ବେନି କଙ୍କଣ ବେନି କରେ । କୁଟନ୍ତେ ଶବଦ ନ କରେ ।
ଯ‌ହିଁ ଅନେକ ସଙ୍ଗ ମିଳି । ଅବଶ୍ୟ ଉପୁଜଇ କଳି ।
ଏଣୁ କୁମାରୀ ଅନୁରାଗେ । ଗୁରୁବଚନ ଶିକ୍ଷା-ଭାଗେ ।
ଏକାନ୍ତେ ଭ୍ରମୁଥାଇ ମୁହିଁ । କେବେହେଁ ସଙ୍ଗ ନ କ‌ରଇ ।
ଏଣୁମୁଁ ଅଭ୍ୟାସି ପବନ । ନିରୋଧି ଏ ଚଞ୍ଚଳ ମନ ।
ବୈରାଗ୍ୟ-ଯୋଗ-ଅଭ୍ୟାସନେ । ବୁଲଇ ଆତ୍ମା-ସଂଯମନେ ।
ହରିର ପାଦେ ନିବେଦନ । ତେଣୁ ନିଶ୍ଚଳ ମୋର ଧ୍ୟାନ ।
ସ୍ୱଭାବେ ରଜୋଗୁଣ ଛାଡ଼ି । ସତ୍ତୁ ସଂଯୋଗେ ଚିତ୍ତ ଜଡ଼ି ।
ସତ୍ୟକୁ ଜିଣି ସତ୍ତ୍ୱଗୁଣେ । ନିର୍ମାଣି ପରମ କାରଣେ ।
ନିଶ୍ଚଳେ ଥାଇ ଶୁଦ୍ଧ ମନେ । ବାହ୍ୟ ଅନ୍ତରେ ସୁମରଣେ ।
ଯେସନେ ଶରକୃତ ପଥେ । ଶର ବିନ୍ଧଇ ହେଠମାଥେ ।
ତାର ନିକଟେ ରାଜା ଗଲା । ସେ ତାହା ଜାଣି ନ ପାରିଲା ।
ଏଣୁ ତାହାର ତ‌ହୁଁ ଦେଖି । ମୁଁ ଏବେ ଗୁରୁଶିକ୍ଷା ଶିକ୍ଷି ।
ଏକାନ୍ତ ମୁନିପ୍ରାୟ ଧୀରେ । ମୋ ଚିତ୍ତ ନ ର‌ହଇ ଘରେ ।
ଏଣୁ ମୁଁ ସାବଧାନ ଚିତ୍ତେ । ନିରତେ ଭ୍ରମଇ ଜଗତେ ।
ଯେବେ ମଉନବ୍ରତୀ ନର । ନ ଛାଡ଼େ ଉଚିତ ବେଭାର ।
ଏ ଘେନି ଗୃହାରମ୍ଭ ଛାଡ଼ି । ଅଳପ ଧନେ ମନ ବଢ଼ି ।
ପିତୃ-ଅତିଥି-ସେବା-ଅର୍ଥେ । ଆଚାର ଥିବ ଲୋକମତେ ।
ଆତ୍ମା-କାରଣେ ବ୍ୟର୍ଥ ଘର । କେବେହେଁ ନ କରି ତ‌ତ୍ପର ।
ଶରୀର ରଖଇ-ନୀରୋଳେ । ସର୍ପ ଯେସନେ ନାନାବିଳେ ।
ଏଣୁ ମୁଁ ସର୍ପଦୀକ୍ଷା ଧରି । ଗୃହସ୍ଥ ଆଶ୍ରମ ନ କରି ।
ଥୟ ନ କରି ଏକସ୍ଥାନ । ବଞ୍ଚଇ ନାନାତୀର୍ଥେ ଦିନ ।
ଦେଖ ଏ ବିଷ୍ଣୁ ମାୟା କରି । ଜଗତେ ଖେଳଇ ମୁରାରି ।
ପୁଣି ସଂହାରି କାଳରୂପେ । ନିଶ୍ଚିନ୍ତେ ରହେ ଆତ୍ମାସୁଖେ ।
ସ୍ୱଭାବେ ବୋଲାଇ ଈଶ୍ୱର । ସେ ହରି ସର୍ବଶକ୍ତି ଧର ।
ପ୍ରକୃତି-ପୁରୁଷ-ଅନ୍ତର । ସ୍ୱଭାବେ ନାହିଁ ପରାପର ।