ପୃଷ୍ଠା:Typical selections from Oriya literature.pdf/୨୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୨୪
ଓଡ଼ିଆ ସାହିତ୍ୟ-ପରିଚୟ

ତୃଷାର ଇଚ୍ଛାବଳେ ପୁଣି । ମାଗଇ ସୁଶୀତଳ ପାଣି ।
ନ ପାଇ କରେ ବ‌ହୁ ପ୍ରାସ । ଏମନ୍ତେ ପ୍ରାଣ ଯାଏ ନାଶ ।
ଇନ୍ଦ୍ରିୟ ଧରେ ପୁଣି ବଳେ । ଭ୍ରମଇ ସେ ମୈଥୁନ-ଫଳେ ।
ଅମୃତପ୍ରାୟ ଯୋନି ଦିଶେ । ଏଣୁ ଭ୍ରମଇ କାମ‌ବଶେ ।
ଶୀତ ତପତ-ଧର୍ମ ଧରେ । ଅଗ୍ନି, ପବ‌ନ ଆଶ୍ରେ କରେ ।
କ୍ଷୁଧା-ଅନଳେ ଧରେ ପେଟ । ଆତ୍ମାକୁ କରେ ଛଟପଟ ।
ଯାବତ ନ ପୂରେ ଉଦର । ତାବତ ଜ୍ଞାନ କାହିଁ ତାର ।
ଶ୍ରବଣ ଧରେ ପୁଣି ପୁଣି । ସ୍ତୁତି-ନିନ୍ଦନ-ବାକ୍ୟ ଶୁଣି ।
ନାସିକା ଧରେ ଗନ୍ଧ-ଆଶେ । ଏଣୁ ଭ୍ରମଇ ଶୁଚିବାସେ ।
ଚକ୍ଷୁ ଧରଇ ରୂପ ଅର୍ଥେ । ଏଣୁ ଭ୍ରମଇ ନାନାପଥେ ।
ଅନ୍ତେ ଧରଇ କର୍ମ ରାଶି । ବେଷ୍ଟିତ ହୁଏ କାଳପାଶି ।
ଏଣୁ ଏ ସାଧାରଣ ଦେହେ । ଜ୍ଞାନୀଙ୍କି ବସ୍ତୁଜ୍ଞାନ ନୁହେଁ ।
ବ‌ହୁତ ସପତଣୀ ଯେହ୍ନେ । ସ୍ୱାମୀ ମାରନ୍ତି ଅପମାନେ ।
ଜୀବର ଅଳପ ଶକତି । ଶତେ ଯୁବତୀ ଏକପତି ।
କାମିନୀଗଣେ ବନ୍ଦୀ ହୋଇ । ସେ ଯେହ୍ନେ ଅଳପେ ମରଇ ।
ଏଣୁ ଏ ଦେହେ ମାୟା ଜଡ଼େ । ନିଜ ନିସ୍ତାର-ପ‌ଥ ହୁଡ଼େ ।
ଏଣୁ ଏ ବିଷ୍ଣୁର ରଚନା । କୀଟ‌ହୁଁ ବ୍ରହ୍ମାଦି କଳ୍ପନା ।
ଆତ୍ମା-କ୍ରୀଡ଼ନେ ନରହରି । ପୂର୍ବେ ଅନେକ ସୃଷ୍ଟି କରି ।
ସଂସାରେ ଖେଳି ନାନାମତେ । ସନ୍ତୋଷ ନ ପାଇଲା ଚିତ୍ତେ ।
ଏଣୁ ମାନବ ସୃଷ୍ଟି କଲା । ଯହିଁ ବିଶ୍ରାମ ସର୍ବ ଲୀଳା ।
ବ୍ରହ୍ମାଦି ସକଳ ଶରୀରେ । ବିଜ୍ଞାନ-ବିଷୟ-ଗୋଚରେ ।
ମନୁଷ୍ୟ-ଦେହେ ଦିବ୍ୟଜ୍ଞାନ । ଦେଖି ସନ୍ତୋଷ ଭଗବାନ ।
ଅଶେଷି କୋତି ଯୋନି ଭ୍ରମେ । ବିପାକ ଅବଶେଷ କର୍ମେ ।
କେବଳ ସୁଖ-କର୍ମ-ଭାଗେ । ନିଶ୍ଚେ ଗୋବିନ୍ଦ ଅନୁରାଗେ ।
ଦୁର୍ଲ୍ଲଭ ମନୁଷ୍ୟ ଶରୀର । ସ୍ୱଭାବେ ଅନିତ୍ୟ ସଂସାର ।
ଦେହ ଲଭିଣ ମହୀସ୍ଥଳେ । ଅନେକ ଶୁଭକର୍ମ ଫଳେ ।
ଭାଗ୍ୟେ ଦୁର୍ଲ୍ଲଭ ଦେହ ପାଇ । ଯାହାର ଜ୍ଞାନ ପ୍ରକାଶଇ ।
ଜଗତ ଦେଖି ବିଷ୍ଣୁମୟେ । ସେ ଯେ ନ ପଡ଼େ ମାୟାମୋହେ ।
ମନୁଷ୍ୟ-ମୁଣ୍ତେ ମୃତ୍ୟୁ ବସେ । ଆତ୍ମାକୁ ଅନୁକ୍ଷଣେ ଗ୍ରାସେ ।
ଯାବତ ମୃତ୍ୟୁ ଅଛି ଦୂରେ । ସୁନ୍ଦର ଯୁବା କଳେବରେ ।
ସାଧିବ ସକଳ ଶକ‌ତି । ଯେଣେ ଜନ୍ମିବ ବିଷ୍ଣୁଭକ୍ତି ।
ଏ ଜୀବ ବନ୍ଦୀ କର୍ମ‌ପାଶେ । ସାଧିବ ବନ୍ଧନ ଉଶ୍ୱାସେ ।
ଏ ରୂପେ ହୃଦୟେ ନିର୍ବେଦେ । ଆତ୍ମାକୁ ଈଶ୍ୱର ଅଭେଦେ ।
ଦେଖିବ ଜ୍ଞାନ‌ଚକ୍ଷୁଦ୍ୱାରେ । ଦୁର୍ଲ୍ଲଭ ମନୁଷ୍ୟଶରୀରେ ।