ସକଳ ସଙ୍ଗ ପରିହରି । ଏଣୁ ମୁଁ ଏହି ରୂପ ଧରି ।
ସୁଦୂରେ ତେଜି ଅହଂକାର । ଆନନ୍ଦେ ଭ୍ରମଇ ସଂସାର ।
ଏମନ୍ତେ କହି ଅବଧୂତ । ଅତି ଗଭୀର ଗୁଣଯୁତ ।
ଶୁଣି ଆନନ୍ଦ ଯଦୁରାଜା । ତାର ଚରଣେ କରି ପୂଜା ।
ସ୍ତୁତି କରନ୍ତେ ସାବଧାନେ । ବ୍ରାହ୍ମଣ ଗଲା ଅନ୍ତର୍ଦ୍ଧାନେ ।
ବିଚାରି ତାହାର ବଚନେ । ରାଜା ପଶିଲା ଘୋରବନେ ।
ସକଳ ସଙ୍ଗ ଦୂରେ ତେଜି । ଧ୍ୟାନେ ଗୋବିନ୍ଦପାଦେ ଭଜି ।
ଯୋଗେ ବିନାଶି କଳେବର । ଲଭିଲା ଗୋବିନ୍ଦ-ପୟର ।
ଉଦ୍ଧବ-କୃଷ୍ଣର ସମ୍ବାଦ । ଶୁଣନ୍ତେ ଖଣ୍ତଇ ପ୍ରମାଦ ।
ପରୀକ୍ଷେ ଶୁକମୁନି କହେ । ସୁଜନେ ଏଣେ କର ଲୟୈ ।
ଏ ଚଉବିଂଶ ଗୁରୁବାଣୀ । ଉଦ୍ଧବେ କହେ ଚକ୍ରପାଣି ।
ଏ କଥା ପରମ ଆନନ୍ଦେ । ସଂକ୍ଷେପେ ଏକାଦଶସ୍କନ୍ଧେ ।
ପ୍ରାକୃତ ବନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ।
(15)
ଉଦ୍ଧବ-ଶ୍ରୀକୃଷ୍ଣ-ସଂବାଦ (Sk. XI, Ch. XI).
ଶ୍ରୀ ଭଗବାନୁବାଚ
କହନ୍ତି ପ୍ରଭୁ ପଦ୍ମପାଣି । ଶୁଣ ଉଦ୍ଧବ ସାଧୁବାଣୀ ।
ତୁ ଅଟୁ ଭକତ-ପ୍ରଧାନ । ତୋତେ ପ୍ରସନ୍ନ ମୋର ମନ ।
ମୁହିଁ କହିଲି ଧର୍ମ ଯେତେ । ଆଗମ-ନିଗମ-ଉକତେ ।
ସେ ଧର୍ମ ଦୃଢ଼ କରି ମନେ । ସାଧନ କର ସାବଧାନେ ।
ଯେବଣ ଧର୍ମ କୁଳଧର୍ମ । ଯେ ବିଧି, ଆଚାର ଆଶ୍ରମ ।
କର୍ମ କରିବ କର୍ମ ତେଜି । ସାତ୍ତ୍ୱିକ୍ୟେ ମୋର ପାଦେ ଭଜି ।
ଜୀବକୁ ଦୟା ଶୁଦ୍ଧଚିତ୍ତେ । ମହାଗହନ ଏ ଜଗତେ ।
ଆରମ୍ଭମାନ ବିବର୍ଜଇ । ସର୍ବ ବିକାର ମାୟାମୟୀ ।
ସ୍ୱପନେ ନାନା ଉପଭୋଗ । ସେ ଯେହ୍ନେ ଆତ୍ମାର ସଂଯୋଗ ।
ମଣଇ ସତ୍ୟପ୍ରାୟେ ତାହା । ଦୃଷ୍ଟିଶ୍ରବଣେ ବିଷ୍ଣୁମାୟା ।
ଯେତେ ଦେଖଇ ନାନା ରଙ୍ଗେ । ବିଫଳ ହୁଏ ନିଦ୍ରାଭଙ୍ଗେ ।
ଏ ମାୟା ତ୍ରିଗୁଣେ ଜଡ଼ିତ । ବ୍ରହ୍ମାଦି ପ୍ରପଞ୍ଚ ଜଗତ ।
ଏଣୁ ପ୍ରବୃତ୍ତି-ଧର୍ମ ଏଡ଼ି । ନିବୃତ୍ତି-ଧର୍ମେ ଚିତ୍ତ ଜଡ଼ି ।
ସାଧୁ-ସଙ୍ଗମେ ସେବା କରି । ଧର୍ମେ ସାଧିବ ଶିକ୍ଷାଧରି ।