ପୃଷ୍ଠା:Typical selections from Oriya literature.pdf/୨୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୨୬
ଓଡ଼ିଆ ସାହିତ୍ୟ-ପରିଚୟ

ସୂତ, କଳତ୍ର, ଧନ, ପ୍ରାଣ । ଯେ ମୋତେ କରେ ସମର୍ପଣ ।
ଏମନ୍ତେ ଗୁରୁସେବା କରି । ଚିତ୍ତେ ମୋହିବ ରୂପଧରି ।
ତେଜିବ ମାନ ଅହ‌ଙ୍କାର । ମଦ-ମତ୍ସର ଯେ ବିକାର ।
ସୁହୃଦ-ଭାବ ଶୁଦ୍ଧ ଚିତ୍ତେ । ନିର୍ମଳ ହୃଦୟ ବିଭୂତେ ।
ଜ୍ଞାନ-ଅଭ୍ୟାସେ ଅବିରତ । ଚଞ୍ଚଳ ନ କରିବ ଚିତ୍ତ ।
ସମତା ଦୃଷ୍ଟି ସ‌ତ୍ୟ ଭାଷା । ନିତ୍ୟେ କରିବ ଏଣେ ଆଶା ।
ଗ‌ଗନ ଯେହ୍ନେ ସର୍ବଶୂନ୍ୟ । ସେ ରୂପେ ହୋଇ ଉଦାସୀନ ।
ବିମୁକ୍ତବଦ୍ଧ ମହାଶୟ । ସମ୍ପଦ ବିପଦ ସଂଶୟ ।
ସର୍ବ ଦେଖିବ ବିଷ୍ଣୁମୟ । ଧରିବ ଉଦାସୀନ ଦେହ ।
କେବେହେଁ ନୁହଁ ଅଭିମାନୀ । ଆତ୍ମା-ପରତେ ତ‌ତ୍ତ୍ୱଜ୍ଞାନୀ ।
ଦେହକୁ ଦେଖୁଥିବ ଭିନ୍ନେ । କାଷ୍ଠ ଯେସନେ ହୁତାଶନେ ।
ଏମନ୍ତେ ଗୁରୁବାକ୍ୟ ଜାଣି । ଅବସ୍ତୁ ପ୍ରାୟ ସର୍ବ ମଣି ।
ଜଗତ ଦେଖି ବିଷ୍ଣୁମୟ । ଛାଡ଼ିବ ସକଳ ସଂଶୟ ।
କର୍ମକରଣେ ଫଳ ପାଇ । ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ ।
ସ୍ୱତନ୍ତ୍ର ନୋହେ ସର୍ବକାଳେ । ଦୁଃଖେ ଭ୍ରମଇ ଏ ଶୟଳେ ।
ଜୀବର ଦେହେ ବଦ୍ଧ ପାଶ । କେବେହେଁ ନାହିଁ ସୁଖ ଲେଶ ।
ନିଗୂଢ଼ ବନ୍ଧନ ପୟରେ । ବନ୍ଦୀ ଯେସନେ ବନ୍ଦୀଘରେ ।
କାଳ ବଞ୍ଚଇ ଦୁଃଖ ସ‌ହି । ମୂର୍ଖ ପଣ୍ତିତ ଭେଦ ନୋହି ।
ଦାରୁଣ ଦୁଃଖ, ସୁଖ ମଣେ । ଦୁଃଖକୁ ସୁଖପ୍ରାୟ ଗଣେ ।
ଏମନ୍ତେ ବୃଥା ଅହ‌ଙ୍କାରେ । ଜୀବ ଭ୍ରମଇ ନିରନ୍ତରେ ।
ଏ ଯେବେ ଦୁଃଖ ସୁଖ ବୁଝେ । ସକଳେ ମୃତ୍ୟୁ ସଙ୍ଗେ ଯୁଝେ ।
ବୁଦ୍ଧି-ବିବେକ-ଜ୍ଞାନ‌ବଳେ । ମରଣ ଜିଣିପାରେ ହେଳେ ।
ଏହା ନ ବୁଝି ମୂଢ଼ଜନେ । ତପ କରନ୍ତି ଦୃଢ଼ମନେ ।
ଏହାର ପୂର୍ବତପ-ଫଳେ । ଯଦ୍ୟପି ଅର୍ଥ-କାମ ମିଳେ ।
ତେବେହେ ଦୁଃଖ ନୋହେ ନାଶ । ଭୁଞ୍ଜନ୍ତେ ଲଭେ ବ‌ହୁ କ୍ଳେଶ ।
ଯାହାକୁ ବାନ୍ଧି ନେଇ ପ‌ଥେ । ଶ୍ମଶାନେ ଶିରଚ୍ଛେଦ ଅର୍ଥେ ।
ତାହାର ଯେତେ ସୁତ, ଅର୍ଥ । ରକ୍ଷଣେ ନୁହ‌ନ୍ତି ସମର୍ଥ ।
ସଂସାରେ ଦେଖି ଶୁଣି ଯେତେ । ବିଚାରେ ଦୁଃଖ ଏ ସମସ୍ତେ ।
ମାନ-ମତ୍ସର-ମୋହ-ଲୋଭ । ବିନାଶ-ଅପଚୟ-ଭାବ ।
ଏ ସର୍ବ ଦୁଃଖର କାରଣ । ଉଦ୍ଧବ ଏହା ଭଲେ ଜାଣ ।
କର୍ମ୍ମର ଫଳ ନାନାଗତି । ଏଣୁ ତୁ ବୁଝି ଦିଅ ମତି ।
ବିଧି-ବିଧାନ ନାନା ଦାନ । ଯଜ୍ଞେ ଦେବତା-ଆରାଧନ ।
ସେ ପୁଣ୍ୟବଳେ ସ୍ୱର୍ଗେ ଯାଇ । ଭୁଞ୍ଜଇ ଦିବ୍ୟ ଦେହ ବ‌ହି ।
ନାନା ପ୍ରକାରେ ସୁଖ ଯେତେ । ଭୋଗ କରଇ ନାନାମତେ ।