ପୃଷ୍ଠା:Typical selections from Oriya literature.pdf/୨୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୨୭
ଓଡ଼ିଆ ସାହିତ୍ୟ-ପରିଚୟ

କର୍ମ୍ମ ନିରତ ରତ୍ନରଥେ । ଫଳ ଭୁଞ୍ଜଇ ମନୋରଥେ ।
ଗନ୍ଧର୍ବ-କିନ୍ନର-ଯୁବତୀ । ରଥ-ପାରୁଶେ ପନ୍ତି ପନ୍ତି ।
ବିବିଧ ନୃତ୍ୟ ଗୀତ ଗାନ । କରି ତୋଷନ୍ତି ତାର ମନ ।
ଦିବ୍ୟ ଯୁବତୀଗଣ ସଙ୍ଗେ । ବିମାନେ ରମେ ନାନାରଙ୍ଗେ ।
କ୍ଷୁଦ୍ର କିଙ୍କିଣୀ ନାଦ-ଧୀରେ । ଲଳିତ ମଙ୍ଗଳ ସୁସ୍ୱରେ ।
ଯାବତ କର୍ମ୍ମଫଳ ଘୁରେ । ତାବତ ସ୍ୱର୍ଗ ଭୋଗ କରେ ।
ପୁଣି ପଡ଼ଇ କର୍ମ୍ମକ୍ଷୟେ । ସଂସାରେ ବିଷ୍ଣୁ ମାୟାମୋହେ ।
ଏଣୁ ଅର୍ଜିତ କର୍ମ୍ମ‌ପାକେ । ଜୀବ ଭ୍ରମଇ ଦୁଃଖସୁଖେ ।
ସାଧୁସଙ୍ଗତେ ଏତେ ଭାବ । ଉଦ୍ଧବେ କ‌ହିଲେ ମାଧବ ।
ସୁକର୍ମ୍ମେ ସାଧୁସଙ୍ଗ ପାଇ । କୁକର୍ମ୍ମେ ଅସାଧୁ ମିଳଇ ।
ପୂର୍ବ ବିପାକ କର୍ମ୍ମଫଳେ । ଅସାଧୁ-ସଙ୍ଗ ନିତ୍ୟେ ମିଳେ ।
ଅଧର୍ମ ବଢ଼େ ଦିନେ ଦିନେ । ନିରତେ କୁସଙ୍ଗ-ମିଳନେ ।
ଯେ ନାମେ ରତ ନାରୀଯୁତ । ପାଷଣ୍ତ, କୃପଣ, କୁତ୍ସିତ ।
ଜଡ଼ପୀଡ଼ନେ ନିତ୍ୟେ ହିଂସା । ଦୁଃଖଗ‌ହ‌ନେ କରେ ଆଶା ।
ଯଜ୍ଞ ଆରମ୍ଭି ବିଧିହୀନେ । ପଶୁମାରଣ ଅବିଧାନେ ।
କଳ୍ପିତ ପିତୃଯଜ୍ଞ-ଛଳେ । ପଶୁକୁ ବଧ କରେ ବଳେ ।
ପୂଜଇ ଭୂତପ୍ରେତଗଣେ । ଆତ୍ମାର ହିଂସା ସେ ନ ମଣେ ।
ଜୀବମାରଣ କର୍ମ କଲେ । ନରକେ ପଡ଼େ ଅନ୍ତରାଳେ ।
ମାୟା ଯନ୍ତ୍ରିତ ନାନାଯୋନି । ଭ୍ରମଇ ନିଜ ଆତ୍ମା ଘେନି ।
ସ୍ଥାବର ଆଦି ଚାରି ଦେହେ । ପଶୁ ପତଙ୍ଗ କୀଟ ହୁଏ ।
ଶ୍ୱାନ,ଶୃଗାଳ,ବାଜୀ,ଗଜେ । ଏମନ୍ତେ ନାନାଯୋନି ଭଜେ ।
ଅଶେଷ କୋଟି ଯୋନି ଭ୍ରମି । ଅର୍ଜିତ କର୍ମେ ପ‌ଥଶ୍ରମୀ ।
ଏମନ୍ତେ ଦୁଃଖ ଅବଶେଷେ । କିଞ୍ଚିତ ଧର୍ମ୍ମର ବିଶ୍ୱାସେ ।
ଦୁର୍ଲ୍ଲଭ ମନୁଷ୍ୟ-ଶରୀରେ । ଦେହ ଲଭଇ ମର୍ତ୍ତ୍ୟପୁରେ ।
ଭାଗ୍ୟେ ଦୁର୍ଲ୍ଲଭ-ଦେହ ଧରି । ପୁଣି ଭ୍ରମଇ କର୍ମ କରି ।
କର୍ମ୍ମଟି ନାନା ଦୁଃଖ ଦେଇ । କିଞ୍ଚିତ ସୁଖ ନାହିଁ ତ‌ହିଁ ।
କର୍ମ କରନ୍ତେ ପାଏ ଦେହ । ଏଣୁଟି କର୍ମ ଦୁଃଖମୟ ।
କୁବେର ବରୁଣ ଅନଳ । ଏ ଆଦି ଦଶ ଦିଗପାଳ ।
ମୋ ତ‌ହୁଁ ଜନମ ଲଭନ୍ତି । ଭୟେ ନିକଟେ ନ ରହ‌ନ୍ତି ।
ଦେଖ ଏ କଳ୍ପ-ଅଧିକାରୀ । ସ୍ୱଭାବେ ମୋର ଅଂଶଧାରୀ ।
ବ୍ରହ୍ମା ମୋହର ଅଂଶ ବ‌ହି । ସକଳ ସୃଷ୍ଟି ସେ କରଇ ।
ଗୁଣ ସକାଶୁଁ ସୃଷ୍ଟି ସୃଜେ । ଏଣୁ ବିଷୟ ଜୀବ ଭୁଞ୍ଜେ ।
ଏଣୁ ଏ ଜୀବ କର୍ମମୟେ । ଅକର୍ମେ ଦଣ୍ତେହେଁ ନ ରହେ ।
ଯାବତ ବିଷୟର ଗତି । ଗୁଣ କଳ୍ପିତ ଭାବ ଚିନ୍ତି ।